ଭାତପଡ଼ା ଛକରେ ସିରିଜ୍‌ ଦୁର୍ଘଟଣା; ୧୨ ଆହତ, ୨ ଗୁରୁତର; ଶିଶୁ ମୃତ

Advertisment
ଭାତପଡ଼ା ଛକରେ ସିରିଜ୍‌ ଦୁର୍ଘଟଣା; ୧୨ ଆହତ, ୨ ଗୁରୁତର; ଶିଶୁ ମୃତ

Sambad

କଟକ/ସାଲେପୁର: ସାଲେପୁର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ଭାତପଡ଼ା ଛକ ନିକଟରେ ଆଜି ଅପରାହ୍ନରେ ସିରିଜ୍‌ ଦୁର୍ଘଟଣା ଘଟିଛି। ପ୍ରଥମେ ଏକ ମହିନ୍ଦ୍ରା ସୁପ୍ରୋ ପାସେଞ୍ଜର ଗାଡ଼ି ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ଦେଖି ଏକ କାର୍‌ ଅଟକିବା ମାତ୍ରେ ପଛପଟୁ ଆସୁଥିବା ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ଅଟୋକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଦୁଇଜଣ ଶିଶୁ ଓ ଜଣେ ଯୁବତୀଙ୍କ ସମେତ ୧୨ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଥିଲା ବେଳେ ଜଣେ ଶିଶୁ ପ୍ରାଣ ହରାଇଥିବା ସୂଚନା ମିଳିଛି।
ସୂଚନା ମୁତାବକ, ଆଜି ଅପରାହ୍ନ ପ୍ରାୟ ୪ଟାରେ ଭାତପଡ଼ା ଛକସ୍ଥିତ ବୁଲେଟ୍‌ ସୋ’ରୁମ୍‌ଠାରୁ କିଛି ଦୂରରେ ସାଲେପୁରରୁ କଟକ ଅଭିମୁଖେ ଯାଉଥିବା ଏକ ମହିନ୍ଦ୍ରା ସୁପ୍ରୋ ପାସେଞ୍ଜର ଗାଡ଼ି ସମ୍ମୁଖକୁ ବାଇକ୍‌ ଚାଲି ଆସିଥିଲା। ଫଳରେ ମହିନ୍ଦ୍ରା ଚାଳକ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଅଟୋକୁ ଧକ୍କା ଦେଇଥିଲେ।

publive-image Sambad

ଏହି ସମୟରେ କଟକ ଅଭିମୁଖେ ଯାଉଥିବା ଏକ କାର୍‌ ବ୍ରେକ୍‌ ମାରିବା ମାତ୍ରେ ପଛପଟୁ ଏକ ଟ୍ରକ୍ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଟ୍ରକ୍‌ ଧକ୍କାରେ କାର୍‌ଟି ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଟୋ ଚାଳକଙ୍କ ସହ ସେଥିରେ ଥିବା ଦମ୍ପତି ଓ ଦୁଇ ଶିଶୁ, ମହିନ୍ଦ୍ରା ଗାଡ଼ିରେ ଥିବା ୫ଜଣ ଯାତ୍ରୀ ଏବଂ କାର୍‌ ଯାତ୍ରୀମାନେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ପଠାଇଥିଲେ। ସେହିପରି ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଦୁଇଜଣ ଶିଶୁ ଏମ୍‌ଡି ଆଫାର (୪ବର୍ଷ) ଓ ଏମ‌୍‌ଡି ଅତିକ୍‌ (୮ବର୍ଷ)ଙ୍କୁ ନିଆଯାଇଥିଲା। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କଟକ ବଡ଼ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା କଟକ ଓଡ଼ିଆ ବଜାରର ଶେଖ୍‌ ଅଜିମ୍‌ଙ୍କ ପୁଅ ଶେଖ୍‌ ଅସ୍‌ଫାକ୍‌ (୭ବର୍ଷ)ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟ ଆହତଙ୍କ ପରିଚୟ ଜଣାପଡ଼ି ନାହିଁ। ସାଲେପୁର ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିଛି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସାଲେପୁର ଥାନାରେ ଏ ନେଇ ଅଭିଯୋଗ ହୋଇ ନ ଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe