ଓଡ଼ିଆ ଭା‌ଷାର ଶୁଦ୍ଧତା ସମସ୍ତଙ୍କ ନିକଟରେ ପହଞ୍ଚିବ: ଡଃ.ଶୁଭଶ୍ରୀ ଲେଙ୍କା

Advertisment

ଭଞ୍ଜନଗର ସମ୍ବାଦ ସାହିତ୍ୟଘର ୭ମ ବାର୍ଷିକ ଉତ୍ସବ

ଭଞ୍ଜନଗର ସମ୍ବାଦ ସାହିତ୍ୟଘର ୭ମ ବାର୍ଷିକ ଉତ୍ସବ

ଓଡ଼ିଆ ଭା‌ଷାର ଶୁଦ୍ଧତା ସମସ୍ତଙ୍କ ନିକଟରେ ପହଞ୍ଚିବ: ଡଃ.ଶୁଭଶ୍ରୀ ଲେଙ୍କା

Sambad

ଭଞ୍ଜନଗର: ଭାଷାର ଓ ଭା‌ବର ମିଳନ ହେଉଛି ସାହିତ୍ୟ। ଏହାର ରୂପ ଏବଂ ସ୍ବରୂପ ଭିନ୍ନ। ସାହିତ୍ୟର ପ୍ରତିଟି ରୂପକୁ ବହୁଳ ବ୍ୟବହାର କରି ‘ସମ୍ବାଦ’ ସାହିତ୍ୟଘର ମାଧ୍ୟମରେ ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚାଇ ପାରିଲେ ଓଡ଼ିଆ ଭାଷାର ଶୁଦ୍ଧତା ସମସ୍ତଙ୍କ ନିକଟରେ ପହଞ୍ଚି ପାରିବ ବୋଲି ଭଞ୍ଜନଗର ‘ସମ୍ବାଦ’ ସାହିତ୍ୟ ଘରର ୭ମ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସଂଯୋଜିକା ତଥା ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ସଦସ୍ୟା ଡଃ. ଶୁଭଶ୍ରୀ ଲେଙ୍କା କହିଛନ୍ତି।

‘ସମ୍ବାଦ’ ସାହିତ୍ୟ ଘର ଗୋଟିଏ  ଅଞ୍ଚଳରେ ସୀମିତ ନରହି ସାରା ଓଡ଼ିଶା ସମ‌େତ ପଡୋଶୀ ରାଜ୍ୟରେ ମଧ୍ୟ ପହଞ୍ଚି ପାରିଛୁ। ସଂପୃକ୍ତିର ସ୍ବାକ୍ଷର ଛାଡିବା ଜରୁରୀ, ତେଣୁ ଆମ ପାଖରେ ଥିବା ଭାଇବନ୍ଧୁ ମାନଙ୍କୁ ଓଡ଼ିଆ ଭାଷା ପଢିବା ଓ ସାହିତ୍ୟ ପ୍ରତି ଆବେଗ ସୃଷ୍ଟି କରିବା ଜରୁରୀ ହୋଇପଡିଛି। ଭାଷା ସାହିତ୍ୟର ଉନ୍ନତି ପାଇଁ ‘ସମ୍ବାଦ’ ଦୁଇ ପାଦ ଆଗକୁ ବଢିଥିବାବେଳେ ସାରା ରାଜ୍ୟର ସାହିତ୍ୟ ଘର ସଭ୍ୟ ମାନଙ୍କ ଅନେକ ପାଦ ଏହି କ୍ଷେତ୍ରରେ ସମ୍ମୀଳିତ ପାଦ ହୋଇ ଏକ ନିଆରା ଯାତ୍ରା ପଥ ତିଆରି କରିପାରିଛନ୍ତି।

ସାହିତ୍ୟ ଘର ନିଜକୁ ସାହିତ୍ୟ ଚର୍ଚ୍ଚାରେ ସୀମିତ ନରଖି ସୁସ୍ଥ ସୁନ୍ଦର ପୃଥିବୀ ବୃକ୍ଷ ରୋପଣ, ଫନି ବାତ୍ୟା ଠାରୁ ଆରମ୍ଭ କରି କରୋନା ସମୟରେ ଅସହାୟଙ୍କୁ ସହାୟତା କରି ଅନ୍ୟମନସ୍କ ହେବା ପାଇଁ ସୁଯୋଗ ଦେଇଛି। ଆଗାମୀ ପିଢୀକୁ ଭଲ ପରିବେଶ ଦେବା ପାଇଁ ସ୍ବର ଏବଂ ସ୍ବାକ୍ଷରକୁ ପ୍ରତିଟି କ୍ଷେତ୍ରରେ ଛାଡିବାକୁ ହେବ ବୋଲି ଶ୍ରୀମତୀ ଲେଙ୍କା କହିଛନ୍ତି। ଏହି ଅବସରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ତଥା ସାହିତ୍ୟ ଏକାଡେମୀ ସଦସ୍ୟ ପ୍ରଫେସର ଡଃ. ପ୍ରସନ୍ନ କୁମାର ସ୍ବାଇଁ ଯୋଗଦେଇ ଘରେ ଘରେ ଭାଷା ସାହିତ୍ୟର ଉନ୍ନତି ପାଇଁ ଅଗାମୀ ପିଢୀ ସହ ସଦାସର୍ବଦା ସାହିତ୍ୟ ଚର୍ଚ୍ଚାର ଆବଶ୍ୟକତା ରହିଛି।

ବିଶେଷକରି ଏହି ମାଟିର ପ୍ରାଜ୍ଞ ପୁରୁଷ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କୃତିକୁ ବିଶ୍ବ ବିଦିତ କରିବାର ଆବଶ୍ୟକତା ରହିଛି। ‘ସମ୍ବାଦ’ ସାହିତ୍ୟ ଘର ପ୍ରତିଟି କବି, ସାହିତ୍ୟିକ ମାନଙ୍କ ମଧ୍ୟରେ ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହ ସାହିତ୍ୟ ରଚନା କରିବାକୁ ବାଧ୍ୟ କରିଛି। ଓଡ଼ିଶାର ପ୍ରତିଟି କ‌ୋଣ ଅନୁକୋଣରେ ସାହିତ୍ୟ ଘରର ସର୍ଜନା କରି ଭାଷା ସାହିତ୍ୟକୁ ବଞ୍ଚାଇ ରଖିବାର ‘ସମ୍ବାଦ’ ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଯେଉଁ ପ୍ରୟାଶ ଜାରି ରଖିଛନ୍ତି ତାହା ନିଶ୍ଚିତ ଭାବେ ସଫଳତାର ଶିଖର ଛୁଉଁଛି ତାହା ଆଜିର ଭଞ୍ଜନଗର ବାର୍ଷିକ ଉତ୍ସବରୁ ପ୍ରତିଫଳିତ ହେଉଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମପୀଠ ତଥା ଘୁମୁସର ମାଟିର ଅଧୀଷ୍ଠାତ୍ରୀ ଦେବୀ ମାଁ ବ୍ୟାଘ୍ରଦେବୀଙ୍କ ପୀଠ କୁଲାଡ ଠାରେ ଆୟୋଜିତ ୭ମ ବାର୍ଷିକ ଉତ୍ସବରେ ସଭାପତି କୃତ୍ତିବାସ ବିଶ୍ବାଳ ଅଧ୍ୟକ୍ଷତା କରିଥିଲେ।

publive-image Sambad

ଏହି ଅବସରରେ ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଭି.ରାଜୀବ ଲୋଚନ ରାଜୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାହିତ୍ୟ ଘରର ପରିକଳ୍ପନା ଓ କାର୍ଯ୍ୟାଧାରକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଅତିଥି ମାନେ ‘ଘୁମୁସର’ ବାର୍ଷିକ ପତ୍ରିକାକୁ ଉନ୍ମୋଚନ କରିଥିଲେ। ଏଥିରେ ବିଶିଷ୍ଟ ସାହିତ୍ୟିକ ତ୍ରିନାଥ ନାୟକ, ଗୀତିକାର ତଥା କବି ସୁରେନ୍ଦ୍ର ସାହୁ, ଅଲ୍‌ଓଷ୍ଟା ରାଜ୍ୟ ସଭାପତି ଜଗବନ୍ଧୁ ଜେନା ଏବଂ ସଂସ୍କୃତିରତ୍ନ ନାରାୟଣ ମହାରଣାଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ନିଜ କୃତି ପାଇଁ ‌କେତେ ସମ୍ବର୍ଦ୍ଧନା ମିଳିଲେ ମଧ୍ୟ ନିଜ ମାଟିରେ ଶ୍ବିକୃତି ପାଇବା ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ସମ୍ବର୍ଦ୍ଧିତ ବ୍ୟକ୍ତି ମାନେ ପ୍ରକାଶ କରିଥିଲେ। ଏଥିସହ ଗୁରୁଦିବସ ଅବସରରେ ଅଞ୍ଚଳର ୭ ଜଣ ବରିଷ୍ଠ ଶିକ୍ଷକଙ୍କ ସମେତ ଅଞ୍ଚଳର ସମସ୍ୟା ଓ ଘଟଣାକୁ ଲୋକ ଲୋଚନକୁ ଆଣିବା ସହ କରୋନା ସମୟରେ ନିସ୍ବାର୍ଥପର ଭାବେ କାର୍ଯ୍ୟ କରିଥିବା ସମସ୍ତ ସାମ୍ବାଦିକ ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଉପଦେଷ୍ଟା ମନୁନନ୍ଦ ପତି ମଞ୍ଚାସୀନ ରହିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ବ୍ୟାଘ୍ରଦେବୀ ମନ୍ଦିର ଦର୍ଶନ କରିବା ସହ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିରେ ଅନୁଷ୍ଠାନର ସଙ୍ଗଠନ ସମ୍ପାଦକ ବିଶ୍ବମ୍ବର ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଅତିଥି ମାନଙ୍କୁ ମଞ୍ଚ ଆହ୍ବାନ କରିଥିବାବ‌େଳେ ସହ ସମ୍ପାଦକ ଡଃ. ଗୁରୁମୂର୍ତ୍ତି ନାୟକ ଅତିଥି ପରିଚୟ ଓ ଉପସଭାପତି ନେତାଜୀ ବି‌ଷୋୟୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ସନ୍ତୋଷ ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ତ୍ରିନାଥ ବେହେରା, ସାଂସ୍କୃତିକ ସମ୍ପାଦିକା ରୀତାରାଣୀ ମହାପାତ୍ର, ଅଶୋକ ସ୍ବାଇଁ, ଜ୍ୟେତ୍ସା ଦେବୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଉପଦେଷ୍ଟା ଶୂଳପାଣି ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ‌ଶେଷରେ ଅନୁଷ୍ଠିତ ଭାଗ୍ୟଶାଳୀ ବିଜେତା କାର୍ଯ୍ୟକ୍ରମରେ ରୁନୁବାଳା ଦାସ ଏବଂ ବିଜୟ କୁମାର ନାୟକ ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟ ପ୍ରେମୀ, ଶିକ୍ଷକ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe