ଶିବ ପ୍ରସାଦ ତ୍ରିପାଠୀଙ୍କ ପରଲୋକ

Advertisment
ଶିବ ପ୍ରସାଦ ତ୍ରିପାଠୀଙ୍କ ପରଲୋକ

ସମ୍ବଲପୁର : ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଶିବ ପ୍ରସାଦ ତ୍ରିପାଠୀ(୭୦ ବର୍ଷ) ଆଉ ଆମ ଗହଣରେ ନାହାନ୍ତି। ଆଜି ଅପରାହ୍‌ଣରେ ସମ୍ବଲପୁର ସମଲେଶ୍ବରୀ ମନ୍ଦିର ପାଖ ନିଜ ବାସଭବନରେ ତାଙ୍କ ପରଲୋକ ଘଟିଛି। କିଛିଦିନ ତଳେ ତାଙ୍କୁ ମସ୍ତିଷ୍କଘାତ ହୋଇଥିଲା। ପ୍ରଥମେ ବୁର୍ଲା ଏବଂ ପରେ ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ଅପରାହ୍‌ଣରେ ଘରକୁ ଅଣାଯିବାର କିଛି ସମୟ ପରେ ସେ ଆରପାରିକୁ ଚାଲି ଯାଇଥିଲେ। ତାଙ୍କ ବିୟୋଗରେ ସମ୍ବଲପୁରରେ ଶୋକର ଛାୟା ଖେଳିଯାଇଛି ।

ଶିବ ପ୍ରସାଦ ୧୯୫୨ ମସିହା ମାର୍ଚ୍ଚ ୧୨ ତାରିଖ ହୀରାକୁଦ ଜଳଭଣ୍ଡାରରେ ଜଳମଗ୍ନ ହୋଇଥିବା ଲର୍ବଙ୍ଗା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ବର୍ତ୍ତମାନ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଥିବା ଶିବ ପ୍ରସାଦଙ୍କ ଛାତ୍ର ଜୀବନରୁ ସାହିତ୍ୟ ପ୍ରତି ରୁଚି ରହିଥିଲା। ସେ ହୀରାଖଣ୍ଡ, ପ୍ରଜାତନ୍ତ୍ର, କୋଶଳ, ଲୋକସ୍ବର, ଦିନଲିପି, ମୁକ୍ତଦିଶା ଭଳି ବିଭିନ୍ନ ସମ୍ବାଦପତ୍ରରେ ସାମ୍ବାଦିକତା କରିବା ସହିତ ‘ବର୍ତ୍ତମାନ’ ନାମରେ ଏକ ପତ୍ରିକାର ସମ୍ପାଦନା କରିଥିଲେ। ‘ସମ୍ବାଦପତ୍ରର ବିକାଶ ଓ ସାମ୍ବାଦିକତା’, ‘କାଳଜୟୀ ମହତାବ’, ‘ମେହେର ସାହିତ୍ୟ ସଂପଦ,’ ‘କରୁଣାମୟୀ ସମଲେଶ୍ବରୀ’, ‘ସମ୍ବଲପରରେ ଓଡ଼ିଆ ଭାଷାର ଉଚ୍ଛେଦ ଓ ପୁନଃ ପ୍ରଚଳନ’, ‘ ଭାଷାପ୍ରେମୀ ଶ୍ରୀପତି ମିଶ୍ର’ ସମେତ ବହୁ ପୁସ୍ତକ ରଚନା କରାଯାଇଛନ୍ତି। ସେ ‘ମଂଗଳୁଚରଣ ରଚନାବଳୀ’ ଏବଂ ‘ରାମଚନ୍ଦ୍ର ନାଥ ଗ୍ରନ୍ଥାବଳୀ’ର ସଂକଳକ ଅଟନ୍ତି। ଏହା ବ୍ୟତୀତ ଓଡ଼ିଆ ଓ ଇଂରାଜୀ ଭାଷାରେ ତାଙ୍କ ବହୁ ପୁସ୍ତକ ପ୍ରକାଶିତ ହୋଇଛି। ସେ ‘ବର୍ତ୍ତମାନ ପବ୍ଲିକେସନ୍ସ’ର ସତ୍ତ୍ବାଧିକାରୀ ଭାବରେ ସେ ଅନେକ ପୁସ୍ତକର ପ୍ରକାଶନ ମଧ୍ୟ କରିଛନ୍ତି। ଅନେକ ପୁସ୍ତକର ମୁଖବନ୍ଧ ଲେଖିବା ସହିତ ବହୁ ସ୍ମରଣିକାର ସଂପାଦନା ବି କରିଛନ୍ତି। କଟକର ଏକ ପ୍ରକାଶନୀ ସଂସ୍ଥା ପକ୍ଷରୁ ‘ ଶିବ ପ୍ରସାଦ ତ୍ରିପାଠୀଙ୍କ ଜୀବନ ଓ ପ୍ରତିଭା’ ନାମରେ ଏକ ପୁସ୍ତକ ବି ପ୍ରକାଶିତ କରିଛନ୍ତି। ଭୁବନେଶ୍ବର ଦୟାନନ୍ଦ ସର୍ଭିସ ମିସନ ପକ୍ଷରୁ ‘ଗୁରୁ ପ୍ରଣାମ ସମ୍ମାନ’, କଟକରୁ ଜଷ୍ଟିସ ରାଜକିଶୋର ଦାସ ସମ୍ମାନ, କେନ୍ଦ୍ରପଡ଼ାରୁ ସତୀର୍ଥ ସମ୍ମାନ’, ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ସମେତ ରାଜ୍ୟର ବହୁ ଅନୁଷ୍ଠାନ ଦ୍ବାରା ସେ ସମ୍ମାନିତ ହୋଇଥିଲେ। ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି, ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଦାୟିତ୍ବ ନିର୍ବାହ କରିଥିବା ଶିବ ପ୍ରସାଦ ପଞ୍ଚଶାସନୀ ବ୍ରାହ୍ମଣ ସମାଜର ପ୍ରତିଷ୍ଠାତା ସଦସ୍ୟ ବି ଥିଲେ। ସେ ତାଙ୍କ ପଛରେ ପୁଅ ସୁରଜ, ଝିଅ ସୁମନ, ଦୁଇ ଭାଇ ତ୍ରିଲୋଚନ ଓ ପଞ୍ଚାନନଙ୍କ ସହିତ ଅନ୍ୟ ପରିବାରବର୍ଗଙ୍କୁ ଛାଡ଼ି ଯାଇଛନ୍ତି। ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ସଂଜୟ ବାବୁ, ଓଡ଼ିଶା ସାଂସ୍କୃତିକ ସମାଜର ସଭାପତି ପ୍ରଫୁଲ୍ଲ ହୋତା, ସାହିତ୍ୟିକ ଡ. ଶ୍ୟାମ ସୁନ୍ଦର ଧର, ବରିଷ୍ଠ ସାମ୍ବାଦିକ ପ୍ରିୟରଂଜନ ସାହୁ, ଶିକ୍ଷାବିତ ଅରବିନ୍ଦ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଆଜି ରାତିରେ ରାଜଘାଟରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ.ସିଦ୍ଧାର୍ଥ ଦାସ, ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ସୁବାସ ପାଣିଗ୍ରାହୀ, ପୂର୍ବତନ ସଭାପତି ଲାଲବିହାରୀ ମିଶ୍ର, ଓଡ଼ିଶା ସାମ୍ବାଦିକ ସଂଘର ସମ୍ବଲପୁର ଶାଖାର ସଭାପତି ହିମାଂଶୁ ଶେଖର ମିଶ୍ର, ସାଧାରଣ ସଂପାଦକ ସରୋଜ ସାହୁଙ୍କ ସମେତ ବହୁ ବ୍ୟକ୍ତି ଶିବ ପ୍ରସାଦଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe