ଡାକ୍ତର ନିରାଶବାଣୀ ଶୁଣାଇବା ପରେ ମଧ୍ୟ ଘରକୁ ଫେରିବା ବାଟରେ ଆମ୍ବୁଲାନ୍‌ସରେ ଉଠି ବସିଲେ ଯୁବକ

Advertisment
ଡାକ୍ତର ନିରାଶବାଣୀ ଶୁଣାଇବା ପରେ ମଧ୍ୟ ଘରକୁ ଫେରିବା ବାଟରେ ଆମ୍ବୁଲାନ୍‌ସରେ ଉଠି ବସିଲେ ଯୁବକ

Sambad

ବାରିପଦା: ହସ୍ପିଟାଲ ଡାକ୍ତରମାନେ ନିରାଶାବାଣୀ ଶୁଣାଇ ଦେଇଥିଲେ। ଏପରିକି ଆଉ ମାତ୍ର କେଇ ଘଣ୍ଟାର ଅତିଥି ବୋଲି ମଧ୍ୟ କହି ଦେଇଥିଲେ। ପରିବାର ଲୋକ ମଧ୍ୟ ଆଶା ଛାଡ଼ିଦେଇଥିଲେ। ମାତ୍ର ବିଧିର ବିଧାନ ବଡ଼ ବିଚିତ୍ର। ଘରକୁ ଫେରୁଥିବା ଅବସ୍ଥାରେ ଆମ୍ବୁଲାନ୍ସସରେ ହିଁ ଉଠି ବସିଲେ ଯୁବକ। ଏପରି ଏକ ଘଟଣା ଆଜି ମୟୂରଭଞ୍ଜରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ବିଜାତଳା ବ୍ଲକ ମୁଣ୍ଡାଠାକୁରା ଗ୍ରାମର ଅବିନାଶ ବେହେରାଙ୍କ ପୁଅ ରାକେଶ(୨୭) ଜଣେ ହୃଦ୍‌ରୋଗୀ।

ତେବେ ଗତ ଗୁରୁବାର (୪ ତାରିଖ) ଦିନ ରାକେଶ ରକ୍ତବାନ୍ତି କରିବା ସହିତ ଗୁରୁତର ହୋଇପଡ଼ିଥିଲେ। ଫଳରେ ପରିବାର ଲୋକ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଅକ୍ସିଜେନ୍‌ ସହାୟତାରେ ରଖାଯାଇଥିଲା। କିନ୍ତୁ କ୍ରମଶଃ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ରବିବାର ଦିନ ହସ୍‌ପିଟାଲର ଡାକ୍ତର ଏବଂ ନର୍ସ ରାକେଶ ଅକ୍ସିଜେନ୍‌ ବିନା ବଞ୍ଚିପାରିବେ ନାହିଁ ବୋଲି କହିଥିଲେ। ଏପରିକି ସେ ଆଉ କିଛି ଘଣ୍ଟାର ଅତିଥି ବୋଲି ମଧ୍ୟ ତାଙ୍କ ବାପାଙ୍କୁ କହିଥିଲେ। ଅଗତ୍ୟା ପୁଅର ଜୀବିତ ଆଶା କ୍ଷୀଣ ଭାବି ଆର୍ଥିକ ଅବସ୍ଥା ଖରାପ କାରଣରୁ ଘରୋଇ ହସ୍ପିଟାଲରେ ରଖି ପୁଅ ପାଇଁ ଅଧିକ ଖର୍ଚ୍ଚ କରିବାକୁ ସାହସ କରିପାରିନଥିଲେ। ତେଣୁ ରାକ‌େଶଙ୍କୁ ତାଙ୍କ ପିତା ଏକ ଆମ୍ବୁଲାନ୍ସ ଯୋଗେ ଘରକୁ ଆଣିବା ପାଇଁ ବ୍ୟବସ୍ଥା କରିଥି‌ଲେ।

publive-image Sambad

ରାକେଶ ମଧ୍ୟ ସେହି ସମୟରେ ପ୍ରାୟ ନିସ୍ତେଜ ହୋଇ ପଡ଼ିରହିଥିଲେ। ରବିବାର ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବରରୁ ଆମ୍ବୁଲାନ୍ସରେ ପୁଅକୁ ଘରକୁ ଫେରାଇ ଆଣୁଥିଲେ। ବାଲେଶ୍ବର ଅତିକ୍ରମ କରୁଥିବା ସମୟରେ ହଠାତ୍‌ ରାକେଶ ଉଠିପଡ଼ି କଥାବାର୍ତ୍ତା ଆରମ୍ଭ କରିଥିଲେ। ଏହା ଦେଖି ତାଙ୍କ ବାପା ଖୁସିରେ ଅସ୍ଥିର ହେବାସହ ଭୋର ପ୍ରାୟ ୪ଟା ସମୟରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ରାକେଶ ସୁସ୍ଥ ଥାଇ ଚିକିତ୍ସାଧୀନ ଅଛନ୍ତି। ତାଙ୍କର ପୁଅର ପୁର୍ନଜନ୍ମ ହୋଇଥିବା ରାକେଶଙ୍କ ପିତା ଅବିନାଶ ପ୍ରକାଶ କରିଛନ୍ତି। କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କେ କରିପାରେ ବଳବନ୍ତ। ଏହା ଆଜି ରାକେଶଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଥିବା ଚର୍ଚ୍ଚା ହେଉଛି। କାରଣ ଏହି ଘଟଣାକୁ ନେଇ ଜିଲ୍ଲାରେ ମୃତ ବ୍ୟକ୍ତି ଜୀବିତ ହୋଇଥିବା ଭଳି ଖବର ପ୍ରସାରିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe