ଜୁଆରରେ ଭୁଶୁଡ଼ିବ ଶିଆଳି ଭିୟୁ ଟାୱାର୍‌! ବିପଦରେ ପର୍ଯ୍ୟଟନସ୍ଥଳୀ ଓ ଜନବସତି

Advertisment
ଜୁଆରରେ ଭୁଶୁଡ଼ିବ ଶିଆଳି ଭିୟୁ ଟାୱାର୍‌! ବିପଦରେ ପର୍ଯ୍ୟଟନସ୍ଥଳୀ ଓ ଜନବସତି

Sambad

ଏରସମା: ଜଗତସିଂହପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଏରସମା ବ୍ଲକର ପଦ୍ମପୁର ପଞ୍ଚାୟତରେ ଥିବା ଶିଆଳି ବେଳାଭୂମିର ଭିୟୁ ଟାୱାର ପ୍ରତି ପୁଣିଥରେ ବିପଦ ସୃଷ୍ଟି ହୋଇଛି। ଲଗାଣ ବର୍ଷା ସାଙ୍ଗକୁ ସମୁଦ୍ର ଜୁଆରିଆ ଥିବାରୁ ଭିୟୁ ଟାୱାର ଚାରି ପାଖରୁ ବାଲି ଓ ମାଟି ଅତଡ଼ା ଖସିବା ଆରମ୍ଭ କରିଛି। ଗତକାଲି ଲଗାତାର ଜୁଆର ମାଡ଼ ଯୋଗୁଁ ଟାୱାରର ତଳ ଅଂଶ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ତେଣୁ ଯେକୌଣସି ମୁହୂର୍ତରେ ଏହା ଭୁଶୁଡ଼ି ପଡ଼ିବା ଆଶଙ୍କା ଦେଖା ଦେଇଛି।

ବିଡ଼ମ୍ବନା ହେଲା ଏହି ସମସ୍ୟା ଆଜିର ନୁହଁ। ପ୍ରତିବର୍ଷ ସୁମଦ୍ର ଜୁଆର ମାଡ଼ରେ ଭିୟୁ ଟାୱାରର ଟଳମଳ ପରିସ୍ଥିତି ନେଇ ପ୍ରଶାସନକୁ ଅବଗତ କରାଯାଉଛି। କିନ୍ତୁ ସମସ୍ୟାକୁ ଅଣଦେଖା କରାଯାଉଥିବାରୁ ବର୍ତମାନ ତାହା ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି। ଏପରିକି ସମୁଦ୍ର ଜୁଆରିଆ ଥିବାରୁ ଓ ଉଚ୍ଚା ଲହଡ଼ି ମାଡ଼ି ଆସୁଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ମଧ୍ୟ ଆତଙ୍କ ଦେଖାଦେଇଛି। କାରଣ ସମୁଦ୍ର ଜୁଆରରେ ଯଦି ଭିୟୁ ଟାୱାରକୁ କ୍ଷତି ପହଞ୍ଚିବ ତେବେ ନିକଟସ୍ଥ ଜନବସତି ଆଡ଼କୁ ସମୁଦ୍ର ଜୁଆର ମାଡ଼ିଯିବା ଆଶଙ୍କା ରହିଛି।

ସୂଚନାଯୋଗ୍ୟ ପ୍ରତ୍ୟେକ ବର୍ଷ ବର୍ଷା ଦିନ ଆସିଲେ ସମୁଦ୍ର ଜୁଆରରେ ଶିଆଳି ବେଳାଭୂମି ଚାରି ପାଖର ମାଟିଗଦା କ୍ଷୟ ହୋଇଚାଲିଛି। ଏହାର ପାଖକୁ ଲାଗି ସମୁଦ୍ର ଜୁଆର ଅଟକାଇବାକୁ ଦୃଢ଼ ପଥର ବନ୍ଧ ବ୍ୟବସ୍ଥା କରାଯାଉ ନାହିଁ। ତେଣୁ ଏହି ପର୍ଯ୍ୟଟନସ୍ଥଳୀ ସମୁଦ୍ର ଗର୍ଭରେ ଲୀନ ହୋଇ ସତ୍ତା ହରାଇବ ଓ ପର୍ଯ୍ୟଟକମାନେ ଭିୟୁ ଟାୱାରର ମଜା ଉଠାଇବାରୁ ବଞ୍ଚିତ ହେବେ।

ବ୍ଲକ ପ୍ରଶାସନ ପକ୍ଷରୁ ୧୦ ବର୍ଷ ପୂର୍ବେ ସମୁଦ୍ର କୂଳେ କୂଳେ ଭଲା ପୋତାଯାଇ ବାଲି ବସ୍ତାର ବନ୍ଧ କରାଯାଇଥିଲା। ଭିୟୁ ଟାୱାରକୁ ରକ୍ଷା କରିବା ପାଇଁ ଦୁର୍ବଳ ପଥର ବନ୍ଧ ନିର୍ମାଣ କରାଯାଇଥିଲା। ଏହି ଦୁର୍ବଳ ବନ୍ଧଟି ସମୁଦ୍ରରେ ଭାସିଯିବା ଆଶଙ୍କା ଥିବାରୁ ଏବେ ଭିୟୁ ଟାୱାରକୁ ବିପଦ ମାଡ଼ି ଆସିଛି। ଏ ସମ୍ପର୍କରେଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଭିୟୁ ଟାୱାର ପ୍ରତି ଦେଖା ଦେଇଥିବା ବିପଦ ପ୍ରତି ଜଳସଂପଦ ବିଭାଗ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି। ସେମାନେ ତୁରନ୍ତ ସେଠାକୁ ଯାଇ ବାଲି ବସ୍ତା ପକାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସରପଞ୍ଚ କେଶବ ପାତ୍ର କହିଛନ୍ତି ଏହି ଟାୱାର ପ୍ରତି ଥିବା ବିପଦ ସମ୍ପର୍କରେ ଏକାଧିକବାର ପ୍ରଶାସନକୁ ଅବଗତ କରାଯାଇଥିଲେ ସୁଦ୍ଧା ସେଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ଆଗାମୀ ଦିନରେ ଦେବୀ ମୁହାଣ ଠାରୁ ଜଟାଧାରୀ ମୁହାଣ ପର୍ଯ୍ୟନ୍ତ ପଥର ବନ୍ଧ ନିର୍ମାଣ କରାନଗଲେ ଏଠାକାର ସମୁଦ୍ର ଉପକୂଳ ଗାଁଗୁଡ଼ିକ ସମୁଦ୍ର ଗର୍ଭରେ ଲୀନ ହୋଇଯିବା ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe