Sambad
ଚାନ୍ଦୋଳ: ଡେରାବିଶ ଶିକ୍ଷା ସର୍କଲ ଅଧୀନ ଦାନପୁର ପଞ୍ଚାୟତ ଅନ୍ତର୍ଗତ ଦାନପୁରସ୍ଥିତ ସରକାରୀ ପ୍ରକଳ୍ପ ଉନ୍ନିତ ଉପ୍ରା ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ସପ୍ତମ ଶ୍ରେଣୀଗୃହର ସିଲିଂ ଭୁଶୁଡ଼ି ପଡ଼ିଛି। ନିମ୍ନମାନର କାମ ଯୋଗୁ ଏହା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି। ଯଦି ଏହି ସିଲିଂ ପିଲା ଓ ଶିକ୍ଷକଙ୍କ ଉପରେ ଭୁଶୁଡ଼ି ପଡ଼ିଥାନ୍ତା ତେବେ ପରିସ୍ଥିତି କ’ଣ ହୋଇଥାନ୍ତା ? ସାଧାରଣରେ ଏଭଳି ପ୍ରଶ୍ନ ଉଙ୍କି ମାରିଛି। ଅଭିଭାବକ ମହଲରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସିଲିଂ ଭୁଶୁଡ଼ି ପଡ଼ିବା ଯୋଗୁ ଆଜି ଛାତ୍ରଛାତ୍ରୀ ବିଦ୍ୟାଳୟ ବାରଣ୍ତାରେ ପାଠ ପଢୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ବର୍ଷକ ତଳେ ଏହି ବିଦ୍ୟାଳୟର ୪ଟି ଶ୍ରେଣୀଗୃହ ସିଲିଂ କରାଯାଇଥିଲା।
ବିଦ୍ୟାଳୟକୁ ସ୍ମାର୍ଟ କରାଯିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟ କରାଯାଇଥିଲା। ଆଜି ପୂର୍ବାହ୍ନରେ ଶିକ୍ଷକମାନେ ଆସି ବିଦ୍ୟାଳୟ ଖୋଲିବା ପରେ ସପ୍ତମ ଶ୍ରେଣୀଗୃହର ସିଲିଂ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଦେଖିଥିଲେ। ଖସି ପଡ଼ିଥିବା ସିଲିଂ ପଟାର ଓଜନ ଯାହା ପାଠପଢା ସମୟରେ ଯଦି ତାହା ଭୁଶୁଡ଼ି ପଡ଼ିଥାନ୍ତା ତେବେ ବଡ଼ଧରଣର ଅଘଟଣ ଘଟିଥାନ୍ତ ବୋଲି ମତପ୍ରକାଶ ପାଇଛି। ସୌଭାଗ୍ୟବଶତଃ ବିଦ୍ୟାଳୟ ବନ୍ଦ ସମୟରେ ସିଲିଂ ଭୁଶୁଡ଼ିଲା ଓ ଛାତ୍ରଛାତ୍ରୀ ସୁରକ୍ଷିତ ରହିଗଲେ। ତେବେ ଅନ୍ୟ ଶ୍ରେଣୀ ଗୃହମାନଙ୍କରେ ସିଲିଂଗୁଡ଼ିକ ଫାଟି ଥିବାରୁ ଏହା ଯେ କେତେବେଳେ ଭୁଶୁଡ଼ିପଡ଼ିବ ସେହି ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ ଆଜି ବିଦ୍ୟାଳୟର ବାରଣ୍ତାରେ ଶିକ୍ଷାଦାନ କରାଯାଉଥିବା ପ୍ରଧାନଶିକ୍ଷକ ଶ୍ରୀ ପଣ୍ତା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସେ ଉଚ୍ଚକତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି। ଉଲ୍ଲେଖଥାଉ କି, ଗଲା ସପ୍ତାହରେ ଏହି ପଂଚାୟତର ନରସିଂହପୁର ପ୍ରକଳ୍ପ ଉପ୍ରା ବିଦ୍ୟାଳୟରେ ଅନୁରୂପ ଭାବେ ସିଲିଂ ଭୁଶୁଡ଼ି କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ଓ ମହିଳା ସ୍ବାସ୍ଥ୍ୟ କର୍ମୀ ଆହତ ହୋଇଥିଲେ।
Follow Us