ଲଗାଣ ବର୍ଷାରେ ସ୍ବାଭିମାନ ଅଞ୍ଚଳ ବେହାଲ; ନଦୀ ଅତିକ୍ରମ କରି ଯିବାକୁ ପଡୁଛି ଡାକ୍ତରଖାନାକୁ

Advertisment
ଲଗାଣ ବର୍ଷାରେ ସ୍ବାଭିମାନ ଅଞ୍ଚଳ ବେହାଲ; ନଦୀ ଅତିକ୍ରମ କରି ଯିବାକୁ ପଡୁଛି ଡାକ୍ତରଖାନାକୁ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳ ଆଜି ବି ଏକ ପ୍ରକାର ଅପହଞ୍ଚ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବେ ଲୋକେ ସେହି ଅଞ୍ଚଳରେ ଅତି ଶୋଚନୀୟ ଜୀବନଯାପନ କରୁଛନ୍ତି। ଏବେ ଜିଲ୍ଲାର ସବୁଠାରୁ ବେଶୀ ବର୍ଷା ସ୍ବାଭିମାନ ଅଞ୍ଚଳରେ ହେଉଥିବା ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ଲୋକେ ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହେଉଛନ୍ତି। ଘରେ ସାଇତି ରଖିଥିବା ଖାଦ୍ୟକୁ ଏବେ ଖାଉଥିବା ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ପାହାଡି ନଦୀ ଗୁଡିକରେ ପାଣି ଜୋର ପ୍ରବାହିତ ହେଉଥିବାରୁ ଗ୍ରାମବାସୀ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଥିବା ଦେଖିବାକୁ ମିଳିଛି।

ଧୂଳିପୁଟ ପଞ୍ଚାୟତର ମାଳିଗୁଡା ଗ୍ରାମର ଲୋକେ ନିଜର ଦୈନନ୍ଦିନ ସାମଗ୍ରୀ ପାଇଁ ହେଉ ବା ପିଡିଏସ ଚାଉଳ ପାଇଁ ହେଉ ନିକଟରେ ଥିବା ପାହାଡିଆ ନଦୀକୁ ପାର କରିବାକୁ ପଡୁଛି। ଏକ ଦେଶୀ ଡଙ୍ଗା ସାହାଯ୍ୟରେ ନଦୀକୁ ପାର କରୁଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ଏହି ପାହାଡିଆ ନଦୀରେ ଦୁର୍ଘଟଣା ଘଟି ବହୁ ଜୀବନ ହାନି ହୋଇଥିବା ସ୍ଥାନୀୟ ଲୋକେ କହନ୍ତି। କିନ୍ତୁ ନଦୀ ପାର କରିବାକୁ ଏକ ମାତ୍ର ଦେଶୀ ଡଙ୍ଗା ଭରସା ରହିଥିବାରୁ ଏହାକୁ ହିଁ ସେମାନେ ଜୀବନର ପଥ ବୋଲି ବାଛି ନେଇଛନ୍ତି। ଏହି ନଦୀ ଗୁଡିକର ପାଣିର ସ୍ରୋତ କ୍ଷୀପ୍ର ଗତିରେ ପ୍ରବାହିତ ହେଉଥିଲେ ମଧ୍ୟ ଏହାକୁ ପାର କରିବାକୁ ଲୋକେ ଡ଼ଙ୍ଗା କିମ୍ବା ପାଣି ଭିତରେ ପଶି ମଧ୍ୟପାର କରୁଛନ୍ତି। ବହୁ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି।

publive-image Sambad

ସୂଚନାଯୋଗ୍ୟ ଯେ ସ୍ବାଭିମାନ ଅଞ୍ଚଳକୁ ବାଟ କାଢିଥିଲା ଗୁରୁପ୍ରିୟା ସେତୁ। ଗୁରୁପ୍ରିୟା ସେତୁ ହେବା ପରେ ହୁଏତ ସ୍ବାଭିମାନ ଅଞ୍ଚଳର ଭାଗ୍ୟ ବଦଳିବ ବୋଲି ଯେଉଁ ପ୍ରୟାସ କରାଯାଉଛି ତାହା କେତେକାଂଶରେ ସଫଳ ହୋଇଥିବା ବେଳେ ଏବେ ବି ବହୁ ଗ୍ରାମ ପାଣି ଘେରରେ ରହିଛନ୍ତି। ଯାହାକି ପ୍ରଶାସନ ନିକଟରେ ଖବର ନାହିଁ। ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ବହୁ ପାହାଡିଆ ନଦୀ ଏବେ ଫୁଲିଥିବା ବେଳେ ସ୍ବାଭିମାନ ଅଞ୍ଚଳକୁ ଚିତ୍ରକୋଣ୍ଡା ଡ୍ୟାମ ଘେରି ରହିଛି।

publive-image Sambad

ଚିତ୍ରକୋଣ୍ଡା ଡ୍ୟାମର ପଛୁଆ ପାଣି ଅନ୍ୟ ପାହାଡିଆ ନଦୀ ଗୁଡିକରେ ପଶୁଥିବାରୁ ଏହା ମଧ୍ୟ ଫୁଲିବାକୁ ଲାଗିଛି। ଯାହାଫଳରେ ବହୁ ଗ୍ରାମ ବିଛିନ୍ନ ହୋଇ ରହିଛି। ଲୋକେ ଘରୁ ପଦାକୁ ନ ବାହାରିଲେ ଖାଇବେ କଣ ବୋଲି କହିଥିଲେ। ଅନ୍ୟଦିଗରେ ଏବେ ବର୍ଷା ଲାଗି ରହିଥିବାରୁ ଘରେ ଘରେ ଲୋକେ ରୋଗରେ ପଡିଲେଣି। ଡାକ୍ତରଖାନାକୁ ଆସିବାକୁ ହେଲେ ଏହି ପାହାଡିଆ ନଦୀ ଗୁଡିକକୁ ପାର କରିବାକୁ ପଡିଥାଏ। ତେଣୁ ଜୀବନକୁ ବାଜି ଲଗାଇ ଲୋକେ ଏହାକୁ ପାର କରିଥାନ୍ତି ବୋଲି କହନ୍ତି। ସ୍ବାଭିମାନ ଅଞ୍ଚଳର ଗାଜଲମାମୁଡି, ରାଲଗେଡା, ପଣସପୁଟ ଯଡାମ୍ବ ଭଳି ପଞ୍ଚାୟତର ବହୁ ଗ୍ରାମ ଏଭଳି ପାହାଡିଆ ନଦୀ ଦ୍ବାରା ଘେରି ରହିଛି। ଯଦ୍ବାରା ଲୋକେ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି। ବର୍ଷାଦିନ ଆସିଲେ ଏମାନେ ବହୁ ସମସ୍ୟା ଦେଇ ଗତି କରନ୍ତି। ରାସ୍ତା ଗୁଡିକ ମଧ୍ୟ ଶୋଚନୀୟ ହୋଇପଡେ। ପାଦରେ ଚାଲିଯିବାକୁ ମଧ୍ୟ କଷ୍ଟ ହୁଏ। ତେଣୁ ପ୍ରଶାସନ ତରଫରୁ ଏଭଳି ପାହାଡିଆ ନଦୀଗୁଡିକରେ ବ୍ରିଜ ନିର୍ମାଣ କରାଗଲେ ବହୁ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହେବେ ନାହିଁ ଏବଂ ବର୍ଷା ଦିନେ ମଧ୍ୟ ଲୋକେ ଉପକୃତ ହୋଇପାରନ୍ତେ ବୋଲି କୁହାଯାଇଛି। ସ୍ବାଭିମାନ ଅଞ୍ଚଳର ଦୁର୍ଦଶା ବଢିବାରେ ଲାଗିଥିବା ଦେଖବାକୁ ମିଳିଛି। ଆହୁରି କେତେ ବର୍ଷ ପରେ ଏମାନେ ଏଥିରୁ ମୁକୁଳିବେ ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe