Telegraph India
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଏବଂ ସୁକମା ଜିଲ୍ଲାର ଦୁଇଟି ସ୍ଥାନରେ ପୁଲିସ ଏବଂ ମାଓବାଦୀ ମଧରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୬ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ଜଣେ ଯବାନ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ବିଜାପୁର ଏବଂ ତେଲେଙ୍ଗାନା ସୀମାରେ ପ୍ରାୟ ୫୦ ରୁ ୬୦ ନକ୍ସଲ କ୍ୟାମ୍ପ କରି ରହିଥିବା ଖବର ମିଳିବା ପରେ ତେଲେଙ୍ଗାନା ଗ୍ରେହାଉଣ୍ଡ ଏବଂ ବିଜାପୁର ଜିଲ୍ଲା ପୁଲିସ ସହ ଡିଆରଜି ଯବାନ ମିଳିତ ଭାବେ ବିଜାପୁର ଜିଲ୍ଲାର ଉସୁର ଏବଂ ତେଲେଙ୍ଗାନାର ପେରୁର ଏବଂ ଇଲମିଡି ଅଞ୍ଚଳରେ ତେଲେଙ୍ଗାନା ଷ୍ଟେଟ କମିଟିର ମାଓ କମାଣ୍ଡର ସୁଧାକର ସମେତ ବହୁ ନକ୍ସଲ ଏଠାରେ କ୍ୟାମ୍ପ କରି ରହିଥିଲେ। ଆଜି ସକାଳେ ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ପରେ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିବା ପରେ ସେଠାରୁ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ପରେ ସର୍ଚ୍ଚ ଅପରେସନରେ ୫ ଜଣ ନକ୍ସଲଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି। ଜଣେ ମହିଳା ମାଓବାଦୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଏହି ଗୁଳିବିନିମୟରେ ଜଣେ ଗ୍ରେହାଉଣ୍ଡ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହେଲିକେପ୍ଟର ଯୋଗେ ଵାରଙ୍ଗଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଘଟଣାସ୍ଥଳରୁ ଏଲଏମଜି ଏବଂ ଏସଏଲଆର ବନ୍ଧୁକ ଜବତ କରାଯାଇଛି। ମୃତ ୫ ଜଣ ନକ୍ସଲ ମଧ୍ୟରୁ ମାଓ କମାଣ୍ଡର ସୁଧାକର ମୃତ୍ୟୁବରଣ କରିଥିବା ପୁଲିସ କହିଛି। ଅନ୍ୟମାନଙ୍କର ଚିହ୍ନଟ କରାଯାଉଥିବା କୁହାଯାଇଛି। ସେହିପରି ସୁକମା ଏବଂ ଦନ୍ତେଵାଡା ସୀମାରେ ପ୍ରାୟ ୨୦ରୁ ୩୦ ନକ୍ସଲ କ୍ୟାମ୍ପ କରି ରହିଥିବା ପୁଲିସକୁ ଖବର ମିଳିବା ପରେ ଚଢାଉ କରାଯାଇଥିଲା।ତୋଙ୍ଗପାଲ ଏବଂ ଟୋହକଵାଡା ଅଞ୍ଚଳରେ ଏହି ନକ୍ସଲ ମାନେ କ୍ୟାମ୍ପ କରି ରହିଥିଲେ। ତେବେ ଏହି କ୍ୟାମ୍ପରେ ମଙ୍ଗତୁ, ମହଙ୍ଗୁ, ମୁନ୍ନି, ପ୍ରଦୀପ, ସୋମଡୁ ପ୍ରମୁଖ ଉପସ୍ଥିତ ରହିଥିବା ପୁଲିସ ନିକଟରେ ଖବର ଥିଲା। ପୁଲିସକୁ ଦେଖି ନକ୍ସଲ ଗୁଳି ଚଳାଇଥିଲେ। ପୁଲିସ ମଧ୍ୟ ନକ୍ସଲ ଉପରେ ଗୁଳି ଚଳାଇଥିଲା। ପ୍ରାୟ ଅଧ ଘଣ୍ଟା ଗୁଳିବିନିମୟ ପରେ ନକ୍ସଲ ଜଙ୍ଗଲରେ ଖସି ପଳାଇଥିଲେ। ଏହି ଘଟଣାରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତ ମହିଳା ମାଓବାଦୀ ଜଣକ ଏରିଆ କମିଟି ସଦସ୍ୟା ମୁନ୍ନି ବୋଲି ଜଣାପଡିଛି। ବର୍ତ୍ତମାନ ବି ସେହି ସ୍ଥାନରେ ସର୍ଚ୍ଚ ଅପରେସନ ଜୋରଦାର ଚାଲିଥିବା କୁହାଯାଇଛି।
Follow Us