ଜୟପୁର : ଜୟପୁର ସହରର ବିଭିନ୍ନ ବସ୍ତିରେ ବାପା ଅଜା ଅମଳରୁ ବସବାସ କରି ଆସୁଥିବା ଭୂମିହୀନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବା ଦାବି ନେଇ ସହରର ବିଭିନ୍ନ ବସ୍ତି ବାସିନ୍ଦା ଆଜି ପୌରକାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଏମାନଙ୍କ ନେତୃତ୍ବ ନେଇଥିଲେ ୟୁଥ୍ ଅର୍ଗାନାଇଜେସନ୍ କୋରାପୁଟ ଜିଲ୍ଲା ସଂଗଠନର ସଂଯୋଜକ ରବିନ୍ଦ୍ର ମହାପାତ୍ର, ପୂର୍ବତନ ସାଂସଦ ହେମା ଗମାଙ୍ଗ, ନାଗରାଜ ଦୋରା, ଶିଶିର ଗମାଙ୍ଗ।
ମିଳିଥିବା ସୂଚନା ଅନୁସାରେ ସେମାନେ ସ୍ଥାନୀୟ ପୁରୁଣା ଫାୟରଷ୍ଟେସନ ପଡ଼ିଆରୁ ଶତାଧିକ ମହିଳାଙ୍କୁ ନେଇ ଏକ ଶୋଭାଯାତ୍ରାରେ ପୌରପାଳିକା କାର୍ଯ୍ୟାଳୟକୁ ଆସିଥିଲେ। ତୁରନ୍ତ ଜମି ପଟ୍ଟା ପ୍ରଦାନ କରିବା, ଆଉ ଥରେ ବଳକା ପଡ଼ିଥିବା ବସ୍ତିରେ ପୁଣି ଥରେ ସର୍ଭେ କରିବା, ଏଲଇସି ପଟ୍ଟା ପାଇଥିବା ହିତାଧିକାରୀଙ୍କୁ ଏଲଆରସି ପଟ୍ଟା ପ୍ରଦାନ କରିବା, ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବା ଆଦି ଦାବି କରି ଏକ ସ୍ମାରକପତ୍ର ନିର୍ବାହୀଅଧିକାରୀଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ। ଉପଜିଲ୍ଲାପାଳ ତଥା ପୌରନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିରେ ମୁଖ୍ୟକିରାଣୀ ଗାୟତ୍ରୀ ସାହୁ ଏବଂ ଷ୍ଟୋନେ ଗୋପାଳ ସାହୁ ଏହାକୁ ଗ୍ରହଣ କରିଥିଲେ। ସହରର ବହୁ ବସ୍ତିରୁ ଶତାଧିକ ମହିଳା ଓ ପୁରୁଷ ଦୀର୍ଘ ବର୍ଷ ଧରି ରହିବା ଫରେ ମଧ୍ୟ ନିଜ ଘରର ଜମି ପଟ୍ଟା ପାଇଁ ଆବେଦନ କରି ଦଉଡି ଦଉଡି ହାଲିଆ ହୋଇଥିବା ଗଣମାଧ୍ୟମକୁ କହିଥିଲେ। ଜମି ପଟ୍ଟା ନଥିବାରୁ ପୌରପ୍ରଶାସନ କିମ୍ବା ପ୍ରଶାସନ ପକ୍ଷରୁ ନାଳନର୍ଦ୍ଦମା କିମ୍ବା ଅନ୍ୟ କିଛି ସରକାରୀ ଯୋଜନା ବି ଉକ୍ତ ଅଂଚଳରେ କାର୍ଯ୍ୟକାରୀ କରୁ ନଥିବା ଅଭିଯୋଗ ବାଢ଼ିଥିଲେ। ଏପରିକି ଦିଆଯାଇଥିବା ଏଲଇସି ଯୋଗ୍ୟତା ପ୍ରମାଣପତ୍ରରେ କେଉଁ ମୌଜା, ଅଂଚଳ, ଖାତା ନଂ, ପ୍ଲଟ ନଂ କିଛି ଉଲ୍ଲେଖ ନାହିଁ। ଏହି ସ୍ଥିତିରେ ଏହି ପ୍ରମାଣପତ୍ର କାମରେ ଲାଗିବ କି ବୋଲି ଏମାନେ ପ୍ରଶ୍ନ ଉଠାଇଥିଲେ।
Follow Us