ସ୍ମାର୍ଟସିଟି ଆସିବାକୁ ଉପକଣ୍ଠ ଗାଁଲୋକ ହଟହଟା, ସରୁନି ମିଟକୁନ୍ଦରୀ-ଲହଣ୍ଡା ପୋଲ

Advertisment

ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ, ଚାଷୀ, ଦିନ ମଜୁରିଆ

ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ, ଚାଷୀ, ଦିନ ମଜୁରିଆ

ସ୍ମାର୍ଟସିଟି ଆସିବାକୁ ଉପକଣ୍ଠ ଗାଁଲୋକ ହଟହଟା, ସରୁନି ମିଟକୁନ୍ଦରୀ-ଲହଣ୍ଡା ପୋଲ

ରାଉରକେଲା: ଚାରିବର୍ଷ ହେଲା ପୋଲ ନିର୍ମାଣ ଚାଲିଛି। ମାତ୍ର ଏଯାଏଁ ନିର୍ମାଣକାର୍ଯ୍ୟ ସଂପନ୍ନ ହୋଇନି। କେତେବେଳେ ଜମି ଅଧିଗ୍ରହଣ ସମସ୍ୟା ହେଉ ଅବା ଉପଯୁକ୍ତ କ୍ଷତିପୂରଣ ନ ମିଳିବାରୁ ସ୍ଥାନୀୟ ଲୋକଙ୍କ ଆକ୍ରୋଶ; ପୁଣି କେତେବେଳେ ଠିକାସଂସ୍ଥା ଅବହେଳା, ବିଭିନ୍ନ କାରଣରୁ ପ୍ରକଳ୍ପ ଶେଷ ହୋଇପାରୁନି। ଫଳରେ ଏହି ମିଟ୍‌କୁନ୍ଦୁରୀ-ଲହଣ୍ଡା ପୋଲ ନିର୍ଦ୍ଦିଷ୍ଟ କେବେ ଶେଷ ହେବ, ତାହା ଅସ୍ପଷ୍ଟ। ଏହି ବ୍ରିଜ୍‌ ଅସଂପୂର୍ଣ୍ଣ ହୋଇଥିବାରୁ ସ୍ମାର୍ଟସିଟି ରାଉରକେଲାକୁ ଆଖପାଖ ଅଞ୍ଚଳର ଲୋକଙ୍କ ଶତପ୍ରତିଶତ ଆଗମନ ସମ୍ଭବ ହୋଇପାରୁନି।

ସହର ଉପକଣ୍ଠରେ ପ୍ରବାହିତ ଦେଓ ନଦୀ ଉପରେ ପୋଲ ନିର୍ମାଣ ଦାବି ଢ଼େର୍‌ ପୁରୁଣା। ପ୍ରାୟ ଦୁଇ ଦଶନ୍ଧି ହେଲା ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଆସୁଥିଲେ। ଇସ୍ପାତସହର ପାଖରେ ଥାଇ ମଧ୍ୟ ଏମାନେ ଅପହଞ୍ଚ ହୋଇରହିଥିଲେ। ଶେଷରେ ସ୍ଥାନୀୟ ଲୋକଙ୍କ ଆକୁଳ ନିବେଦନ ସରକାରଙ୍କ କାନରେ ପଡ଼ିଥିଲା। ଏଣୁ ନଦୀ ଉପରେ ମିଟ୍‌କୁନ୍ଦୁରୀ-ଲହଣ୍ଡା ବ୍ରିଜ୍‌ ନିର୍ମାଣକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ୨୦୧୭-୧୮ ମସିହାରେ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାର ବ୍ୟୟଅଟକଳ ପ୍ରାୟ ୭ କୋଟି ୬୮ ଲକ୍ଷ ଥିଲା। ସେବେଠାରୁ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି; କିନ୍ତୁ ଶେଷହେବାର ନାଁ ନେଉନି। ଏବେ ବି ବ୍ରିଜ୍‌ ଉପରେ ଗୋଟିଏ ସ୍ଲାବ୍‌ ଓ ଆପ୍ରୋଚ୍‌ ରୋଡ୍‌ ନିର୍ମାଣ ହୋଇପାରିନି। ଏତଦ୍‌ବ୍ୟତୀତ ଜମି ଅଧିଗ୍ରହଣ ବାବଦକୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉନଥିବାରୁ ସ୍ଥାନୀୟ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଏମିତିକି ବିଗତ ଦିନରେ ସ୍ଥାନୀୟ ଲୋକ ପାନପୋଷ ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷର କରିଥିଲେ। ଗୋଟିଏ ପଟେ ନିର୍ମାଣ କାର୍ଯ୍ୟ ସରୁନଥିବାବେଳେ ଗୋଟିଏପଟେ ଉପଯୁକ୍ତ କ୍ଷତିପୂରଣ ମିଳୁନି; ଯାହାକି ସ୍ଥାନୀୟ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷର ମୁଖ୍ୟ କାରଣ।

publive-image

ଏହି ବ୍ରିଜ୍‌ ନିର୍ମାଣ ହେଲେ ସ୍ଥାନୀୟ କୁଆରମୁଣ୍ଡା-ନୂଆଗାଁ ଅଞ୍ଚଳର ବହୁ ଗାଁର ଲୋକେ ଉପକୃତ ହେବେ। ବିଶେଷକରି କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ରିଉଁ, ପସରା, ବିଜୁବନ୍ଧ, ସିଆଲଯୋର, ହରପାଲି, ରାମପୁର, କଚାରୁ, ସାନଦଲକି, ଝାରବେଡ଼ା, ଟାଙ୍ଗରାଣୀ, ଲୋହାମାଲ, କାରିଛାପଲ, କର୍ମାବାହାଲ ଏବଂ ନୂଆଗାଁ ବ୍ଲକର ଲହଣ୍ଡା, ଅଙ୍କୁରପାଲି, ଲାଙ୍କଇ, କଦଳୀବାହାଲ, ସେମେର୍ତ୍ତା, ବାଲିମୁଣ୍ଡା, ବରେଇଗଡ଼ା, ସତରା, ବଣ୍ଡରାଏ, ମେନମେନା, ରେଙ୍ଗାଲବେଡା, ରୋକେଡେଗା, ବାଲିଆପୋଷ, ରାଣାକଟା, କନ୍ଦରକେଲାର ବାସିନ୍ଦା ଅଧିକ ଲାଭବାନ ହେବେ। କାରଣ ସକାଳ ହେଲେ ଏହି ଅଞ୍ଚଳର ଦିନ ମଜୁରିଆ, ପରିବା ବେପାରୀ, ଛାତ୍ରଛାତ୍ରୀଙ୍କ ସମେତ କର୍ମଜୀବୀ ଲୋକମାନେ ନଦୀ ପାର୍‌ ହୋଇ ରାଉରକେଲା ଆସିଥାନ୍ତି। ତେବେ ବର୍ଷା ଦିନରେ ଏମାନଙ୍କୁ ଯାବତୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ସମୟରେ ପାଖାପାଖି ୪୦ କିଲୋମିଟର ବୁଲି ସହରକୁ ଆସିଥାନ୍ତି। ଏମିତି ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ର ଲୋକ ମଧ୍ୟ ଏହି ରାସ୍ତା ଦେଇ ଯିବାଆସିବା କରିଥାନ୍ତି। ଯଥାଶୀଘ୍ର ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ କରିବା; ବର୍ତ୍ତମାନର ଆବଶ୍ୟକତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe