ପୁଅ ଛୁଇଁଲାନି ବାପାଙ୍କ ମୃତଦେହ, ପିପିଇ କିଟ୍‌ ପିନ୍ଧି ଶବ ସତ୍କାର କଲେ ତହସିଲଦାର

Advertisment
ପୁଅ ଛୁଇଁଲାନି ବାପାଙ୍କ ମୃତଦେହ, ପିପିଇ କିଟ୍‌ ପିନ୍ଧି ଶବ ସତ୍କାର କଲେ ତହସିଲଦାର

ଚାନ୍ଦବାଲି/ଧାମରା: କରୋନା ଭୟରେ ପୁଅ ଛୁଇଁଲାନି ବାପାର ଶବ। ଶେଷରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ନିଜେ ପିପିଇ କିଟ୍ ପିନ୍ଧି କାନ୍ଧରେ କାଠ ବୋହି ଶବ ସତ୍କାର କଲେ। ଏପରିକି ମୁଖାଗ୍ନି ମଧ୍ୟ ଦେଇଥିଲେ। ଏଭଳି ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତରେ।

ସୂଚନା ଅନୁସାରେ ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତ ନଳଗୋହିରା ଗ୍ରାମର ସୁବାସ ଖଟୁଆ(୫୦) ଗତ ୯ ମାସ ହେବ କ୍ୟାନସରରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ। ଏହି ମାସ ୮ତାରିଖରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଭଦ୍ରକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରୁ ସୁସ୍ଥ ହୋଇ ଘରକୁ ଫେରି ଗୃହ ସଙ୍ଗରୋଧରେ ଥିଲେ। କିନ୍ତୁ ହଠାତ୍ ଆଜି ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ସହ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ କରୋନା ଭୟରେ ପୁଅ ବାପାଙ୍କ ଶବକୁ ଛୁଇଁନଥିଲା କି ଶବ ସତ୍କାର ପାଇଁ ମଧ୍ୟ ନେଇ ନ ଥିଲା। ସୁବାସଙ୍କର  ଗୋଟିଏ ପୁଅ ଓ ଗୋଟିଏ ଝିଅ। ତେବେ ପରିବାର ଲୋକେ ନଳଗୋହିରା ସରପଞ୍ଚ ଆଶୁତୋଷ ଭୋଇଙ୍କୁ ଖବର ଦେବା ପରେ ସରପଞ୍ଚ ଚାନ୍ଦବାଲି ତହସିଲଦାରଙ୍କୁ ଏ ନେଇ ଜଣାଇଥିଲେ। ଖବର ପାଇ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ନଳଗୋହିରା ଗ୍ରାମରେ ପହଞ୍ଚି  ସୁବାସଙ୍କ ଶବ ଆମ୍ବୁଲାନ୍ସ ଯୋଗେ ନେଇ ସତ୍କାର କରିଥିଲେ। ଏପରିକି ତହସିଲଦାର ନିଜେ ମୁଖାଗ୍ନି ଦେଇଥିଲେ। ସତ୍କାର ବେଳେ ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାଶ, ଅତିରିକ୍ତ ତହସିଲଦାର, ବିପିଏମ, ବା˚ଶଡ଼ା ଥାନା ଅଧିକାରୀ କରୁଣାକର ରାଉତ ଓ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ରହିଥିଲେ। ସୁବାସ ଖଟୁଆଙ୍କ ମରଶରୀରକୁ କୋଭିଡ୍ ନିୟମ ପାଳନ ପୂର୍ବକ ସତ୍କାର କରାଯାଇଥିଲା। ତହସିଲଦାରଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସୂଚନାଯୋଗ୍ୟ, ସୁବାସଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ସମସ୍ତଙ୍କର ନେଗେଟିଭ୍‌ ରିପୋର୍ଟ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe