ସାମାଜିକ ଦୂରତା କଟକଣା ବାଟବଣା: ଅଧିକାଂଶଙ୍କ ମୁହଁରେ ନାହିଁ ମାସ୍କ, ହଜିଗଲେ ଏନ୍‌ଫୋର୍ସମେଣ୍ଟ ଟିମ୍

ସାମାଜିକ ଦୂରତା କଟକଣା ବାଟବଣା: ଅଧିକାଂଶଙ୍କ ମୁହଁରେ ନାହିଁ ମାସ୍କ, ହଜିଗଲେ ଏନ୍‌ଫୋର୍ସମେଣ୍ଟ ଟିମ୍

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦୈନିକ ପ୍ରାୟ ୧୦୦ରୁ ଅଧିକ କରୋନା ପିଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଲକ୍‌ଡାଉନ୍‌ ୫.୦ର ଅବଧି ଆଗାମି ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଦେଶରେ ଆର୍ଥିକ ସ୍ଥିତିର ସୁଧାର ଆଣିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା କଟକଣାକୁ କ‌ୋହଳ କରିଛନ୍ତି। କିନ୍ତୁ କେତେକ ନୀତି ନିୟମକୁ କଡାକଡି ପାଳନ କରିବାକୁ ସରକାରଙ୍କ ସ୍ପଷ୍ପ ନିର୍ଦ୍ଦେଶନାମା ରହିଛି। ସାମାଜିକ ଦୂରତା ନିୟମ ମାନିବା, ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।

ମାସ୍କ ନ ପିନ୍ଧି ବାହାରେ ବୁଲିଲେ ୨୦୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ପୁଲିସ ମହାନିର୍ଦ୍ଦେଶଙ୍କ ନିର୍ଦ୍ଦେଶକ୍ରମେ ବାହାରେ ବୁଲୁଥିବା ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ ପୁଲିସ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ମାର୍କେଟ, ଦୋକାନ, ବଜାର, ହାଟରେ ସାମାଜିକ ଦୂରତା ନିୟମ ପାଳନ କରୁଥିବା ଲୋକଙ୍କ ଉପରେ କଡାନଜର ରଖିବାକୁ ପୁଲିସ ଓ ଜିଲ୍ଳା ପ୍ରଶାସନକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଗିଦ୍‌ କରାଯାଇଥିଲା।

ସୁନ୍ଦରଗଡ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛନ୍ତି। ଏଥିରେ ସର୍ବାଧିକ ଆକ୍ରାନ୍ତ ହେଉଛନ୍ତି ସ୍ମାର୍ଟସିଟି ରାଉରକେଲା। ବିଡମ୍ବନା, ଜିଲ୍ଲା ଓ ପୁଲିସ ପ୍ରଶାସନ ସଂକ୍ରମଣ ରୋକିବାକୁ ଯେମିତି ଥକି ପଡିଛି। ଏନ୍‌ଫୋର୍ସମେଣ୍ଟ ଟିମ୍‌ ହଜିଗଲେଣି। ସଚେତନତା ପାଇଁ ବଜାରରେ ବୁଲୁଥିବା ଗାଡି ମଧ୍ୟ ଦିଶୁନି। ମାସ୍କ ପିନ୍ଧି ନଥିବା ଲୋକଙ୍କ ଠାରୁ ଆଜି ଯାଏ ଟଙ୍କାଟିଏ ଜରିମାନା ଆଦାୟ ହୋଇ ନାହିଁ। ଉଭୟ ଜିଲ୍ଲା ଓ ପୁଲିସ ପ୍ରଶାସନର କୋହଳ ବ୍ୟବସ୍ଥାର ଭରଫୁର ଫାଇଦା ଉଠାଉଛନ୍ତି ସହରବାସୀ। ସମସ୍ତେ ନୀତି ନିୟମକୁ ଫୁଃ କରି ଉଡାଇ ଦେଇଛନ୍ତି। ଦୋକାନ ବଜାରରେ ଅଯଥାରେ ଲୋକମାନେ ଗହଳି କରୁଛନ୍ତି।

publive-image

ଅଧିକାଂଶ ଲୋକ ମୁହଁରେ ମାସ୍କ ବାନ୍ଧୁ ନାହାନ୍ତି। ଯଦି ସହରର ଏଭଳି ସ୍ଥିତି ଜାରି ରହେ ଆଗାମି ଦିନରେ ସହରରେ କରୋନା ସଂକ୍ରମଣ ସ୍ଥିତି ଭୟାବହ ହେବ, ଏଥିରେ ଦ୍ବିମତ ନାହିଁ। ପ୍ରତ୍ୟେକ ଦିନ ଲୋକେ ଜିନିଷ କିଣିବାକୁ ବଜାରକୁ ବାହାରୁଛନ୍ତି। ଅଯଥାରେ ଦୋକାନଗୁଡ଼ିକରେ ଗହଳି ଜମାଉଛନ୍ତି। ସମାଜିକ ଦୂରତା ପାଇଁ ଗୋଲ୍‌ ଚିହ୍ନଟ କଟାଯିବା ସତ୍ବେ କେହି ମାନୁନାହାନ୍ତି। ପରିବା ଓ ଆମିଷ ବଜାରରେ ସ୍ଥିତି ଆହୁରି ସଙ୍ଗୀନ୍‌। ପନି ପରିବା , ମାଛ, ଚିକେନ୍‌, ମାଂସ ନେବାକୁ ପରସ୍ପର ମଧ୍ୟରେ ଠେଲାପେଲ। ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟ, ସେକ୍ଟର-୧୯ ଇସ୍ପାତ ହାଟ, ଟ୍ରାଫିକ୍‌ଗେଟ, ପାନପ‌ୋଷ ଏସ୍‌ଏସି ମାର୍କେଟ, ଡେଲିମାର୍କେଟ ପରିବା ଗଦି, ମାଛ ମାର୍କେଟ, ସେକ୍ଟର-୧୮ ଡେଲିମାର୍କେଟ, ଫର୍ଟିଲାଇଜର ପରିବା ହାଟରେ ଅସମ୍ଭବ ଭିଡ। ରାଉରକେଲା

ମୁଖ୍ୟ ମାର୍କେଟରୁ ବଫର ଜୋନ୍,କଣ୍ଟେନମେଣ୍ଟ ଜୋନ୍‌ କଟକଣା ଉଠିବା ପରେ ନାହିଁ ନଥିବା ଭିଡ ହେଉଛି। ଭିଡ ଏଡାଇବାକୁ ମ୍ୟୁନିସିପାଲ୍‌ କଲେଜ ଛକକୁ ଅଣାଯାଇଥିବା ମା‌ଛ ମାର୍କେଟକୁ ପୁଣି ଡେଲିମାର୍କେଟକୁ ଆଜି ପୁଣି ସ୍ଥାନାନ୍ତର କରି ଦିଆଯାଇଛି। ପରିବା, ହୋଲସେଲ୍‌ ମାର୍କେଟମଧ୍ୟରୁ କିଛି ଉଠିଯିବା ପରେ ପ୍ଲାଣ୍ଟସାଇଟ୍‌ରେ ପୂର୍ବଭଳି ଅସମ୍ଭବ ଭିଡ। ଅମାନିଆଙ୍କୁ ନିୟନ୍ତ୍ରଣ କରିବାକୁ ଗଠିତ ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ, ସ୍ଥାନୀୟ ପୁଲିସ ଚୁପ୍‌ ବସିବା ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି। ସେପଟେ କାର୍‌, ମୋଟରବାଇକ, ଅଟୋରେ ବସିବା ଉପରେ ନିୟମକୁ ମଧ୍ୟ କଡାକଡି କରାଯାଇଛି। କିନ୍ତୁ ନିୟମକୁ କେହି ମାନୁ ନାହାନ୍ତି। ବାଇକ୍‌ରେ ବିନା ମାସ୍କ ପିନ୍ଧି ୩ ଜଣ ଲେଖାଏଁ ବୁଲୁଛନ୍ତି। କାର୍‌, ଅଟୋଗୁଡ଼ିକରେ ମଧ୍ୟ ସେହି ସମାନ ସ୍ଥିତି। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଛାଡି ଦିଆଯାଉଛି। ତେବେ ବଢ଼ିଚାଲିଥିବା ସଂକ୍ରମଣକୁ ରୋକିବାକୁ ଉଭୟ ଜିଲ୍ଲା ଓ ପୁଲିସ ପ୍ରଶାସନ ପୂର୍ବପରି ସଜାଗ ରହିବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe