ଯୁବତୀଙ୍କୁ ପ୍ରେମ ପ୍ରତାରଣା ଘଟଣା: ଫେଲ୍‌ ମାରିଲା ଚାପ, ବନ୍ଧା ହେଲେ ଏସଓଜି ଯବାନ

Advertisment
ଯୁବତୀଙ୍କୁ ପ୍ରେମ ପ୍ରତାରଣା ଘଟଣା: ଫେଲ୍‌ ମାରିଲା ଚାପ, ବନ୍ଧା ହେଲେ ଏସଓଜି ଯବାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରିଥିବା ଏସଓଜି ଯବାନ ଦେବରାଜ କର୍ଣ୍ଣଙ୍କୁ ଶେଷରେ ପୁଲିସ ବାନ୍ଧିଛି। ମନ୍ତ୍ରୀ ଓ ବିଧାୟକଙ୍କ ଚାପ ପକାଇ ମାମଲାରୁ ଖସି ଯିବାକୁ ଉଦ୍ୟମ ଚଳାଇଥିଲେ ଦେବରାଜ। ହେଲେ ସବୁ ଚାପ ଫେଲ ମାରିଛି। ଗିରଫ ପରେ ତାଙ୍କୁ ଫୁଲବାଣୀ କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡିଛି।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଦେବରାଜଙ୍କ ଘର। ସେ ଫିରିଙ୍ଗିଆ ଥାନା ଅଞ୍ଚଳରେ କ୍ୟାମ୍ପରେ କାମ କରୁଥିବା ବେଳେ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଏମିତି କି ମନ୍ଦିରରେ ଦୁହେଁ ବିବାହ କରିଥିଲେ। କିଛି ମାସ ସ୍ୱାମୀ ଓ ସ୍ତ୍ରୀ ଭଳି ରହିଥିଲେ। ତାପରେ ଦେବରାଜଙ୍କର ଏଠାରୁ ବଦଳି ହୋଇ ଯାଇଥିଲା। ବଦଳି ହେବା ପରେ ଦେବରାଜ ଆଉ ଧରାଛୁଆଁ ଦେଇ ନଥିଲେ ବୋଲି ଯୁବତୀ ଅଭିଯୋଗ କରିଥିଲେ।

ଦେବରାଜ ଗତ ଡିସେମ୍ବର ୨୪ରେ ଅନ୍ୟ ଜଣଙ୍କୁ ବିବାହ କରୁଥିବା ଖବର ପାଇ ପ୍ରତାରିତ ଯୁବତୀ ଜଣଙ୍କ ପ୍ରଥମେ ମହିଳା କମିସନଙ୍କ ଦ୍ଵାରସ୍ଥ ହୋଇଥିଲେ। କମିସନଙ୍କ ନିର୍ଦ୍ଦେଶମତେ ପୁଲିସ ଅଭିଯୋଗ ଗ୍ରହଣ କରି ଉଭୟ ପକ୍ଷଙ୍କୁ ଥାନାକୁ ଡକାଇଥିଲା। ତାପରେ ଦେବରାଜ ଓ ଯୁବତୀଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା। ଯୁବତୀ ଜଣକ ଅଭିଯୋଗ ଉଠାଇ ନେବାକୁ କହିଥିଲେ ବୋଲି ପୁଲିସ କହିଥିଲା। ହେଲେ ଗତ ୩ ତାରିଖରେ ଯୁବତୀ ଜଣକ ଅଭିଯୋଗ ଶୁଶାଣିକୁ ଆସି ଜିଲ୍ଲାପାଳ ଓ ଏସପିଙ୍କୁ ଏସଓଜି ଯବାନ ଦେବରାଜ ତାଙ୍କୁ ପ୍ରତାରିତ କରିବା ଘଟଣା ସମ୍ପର୍କରେ ଜଣାଇଥିଲେ। ଜୀବନ ପ୍ରତି ବିପଦ ଥିବା ସେ କହିଥିଲେ।

ଜଣେ ମନ୍ତ୍ରୀଙ୍କ ଭାଇ ତାଙ୍କୁ ଟଙ୍କା ନେଇ ଚୁପ ରହିବାକୁ କହୁଥିବା କଥା ସେ କହିବା ସହ ତାଙ୍କୁ ନ୍ୟାୟ ଦେବାକୁ ଯୁବତୀ ଜଣକ ଅନୁରୋଧ କରିଥିଲେ। ଜିଲ୍ଲାପାଳ ଓ ଏସପି ଅଭିଯୋଗକୁ ଗୁରୁତର ସହ ନେଇ ମାମଲା ରୁଜୁ କରିବାକୁ ଫିରିଙ୍ଗିଆ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୫ ତାରିଖରେ କେଶ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିଲା। ଏକ ପୁଲିସ ଟିମ ଗତକାଲି ରାତିରେ ବୀରମହାରାଜପୁରରେ ଚଢାଉ କରି ଦେବରାଜଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe