ଯାଜପୁରସଦର : ଯାଜପୁର ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ ପଛେଇଛି। ମୌସୁମୀର ଲୁଚକାଳି ଚାଷୀଙ୍କ ଚିନ୍ତା ବଢ଼ାଇଛି। ବିଲରେ ହଳ କି ତଳି ପକାଇବାକୁ ପାଗ ନାହିଁ। ଅଭାବୀ ବର୍ଷା ଏବେ ଧାନ ଚାଷକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି। ଜିଲ୍ଲାରେ ୩୦ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଜମି ବର୍ଷାପାଣି ଉପରେ ନିର୍ଭର କରୁଛି ବୋଲି ସରକାରୀ ତଥ୍ୟ କହୁଛି। ଏବେ ସୁଦ୍ଧା କେନାଲ ଜଳ ଯୋଗାଣ ହୋଇନଥିବାରୁ ତଳି ପକା ସମ୍ଭବ ହୋଇପାରୁନାହିଁ। ଯେତିକି ତଳି ପଡ଼ିଥିଲା ତାହା ବି ଶୁଖିଗଲାଣି।
ଯାଜପୁର ଜିଲ୍ଲାର ୮୦ ପ୍ରତିଶତ ଲୋକେ ଧାନଚାଷ ଉପରେ ନିର୍ଭର କରନ୍ତି। ମୋଟ ୧ ଲକ୍ଷ ୪୨ ହଜାର ୫୭୫ ହେକ୍ଟର ଚାଷଜମି ରହିଥିବାବେଳେ ସେଥିରୁ ପ୍ରତିବର୍ଷ ପାଖାପାଖି ୧ ଲକ୍ଷ ୯ ହଜାର ହେକ୍ଟରରୁ ଊର୍ଦ୍ଧ୍ବ ଜମିରେ ଧାନଚାଷ କରାଯାଉଛି। ଜିଲ୍ଲାରେ ସରକାରୀ ଭାବେ ୭୯ ହଜାର ୭୮୮ ହେକ୍ଟର ଜମିରେ ଜଳସେଚନର ବ୍ୟବସ୍ଥା ରହିଛି। ଅବଶିଷ୍ଟ ୩୦ ହଜାର ହେକ୍ଟର ଜମି ସଂପୂର୍ଣ୍ଣ ବର୍ଷାଜଳ ଉପରେ ନିର୍ଭର କରିଥାଏ। ଗତବର୍ଷ ସ୍ବଳ୍ପବୃଷ୍ଟି ପାଇଁ ଅନେକ ଜମି ପଡ଼ିଆ ପଡ଼ିଥିଲା। ପରେ ଅମଳ ସମୟରେ ଲଘୁଚାପ ବର୍ଷା ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ଚଳିତ ବର୍ଷ ଆରମ୍ଭରୁ ବର୍ଷାଭାବ ଦେଖା ଦେଇଛି।
Kashmir Readerବିଗତବର୍ଷର ତଥ୍ୟକୁ ବିଚାର କଲେ ଆଜି ସୁଦ୍ଧା ବହୁ କମ ବର୍ଷା ହୋଇଛି। ୨୦୨୨ ଜୁଲାଇରେ ୩୪୧ ମିମି ହାରାହାରି ବର୍ଷା ରେକର୍ଡ ହୋଇଥିବା ବେଳେ ୨୦୨୧ରେ ୧୩୯ ମିମି, ୨୦୨୦ରେ ୧୭୧ ମିମି, ୨୦୧୯ରେ ୧୮୩.୬୬ ମିମି ବର୍ଷା ହୋଇଥିଲା। ୨୦୨୩ ଜୁନ୍ରେ ବି ଆବଶ୍ୟକତାଠାରୁ ବହୁ କମ୍ ବର୍ଷା ହୋଇଥିବାବେଳେ ଏବେ ଜୁଲାଇରେ ବର୍ଷାର ଦେଖାନାହିଁ। ୨୦୨୩ ଜୁନରେ ୧୪୭.୬୬ ମିମି ବର୍ଷା ହୋଇଥିବାବେଳେ ଆଜି ସୁଦ୍ଧା ଜୁଲାଇରେ ମାତ୍ର ୩୯.୪ ମିମି ବର୍ଷା ହୋଇଛି। ଜୁନ୍ ମାସର ଶେଷଆଡ଼କୁ ବିଲରେ ପଡ଼ିଥିବା ତଳି ଏବେ ଶୁଖି ଗଲାଣି। କେତେକ ସ୍ଥାନରେ ଚାଷୀ ପାଣି ମଡ଼ାଇ ତଳି ବଞ୍ଚାଇବାକୁ ଉଦ୍ୟମ କରୁଥିବାବେଳେ ପାଣି ସୁବିଧା ନଥିବାରୁ ତଳି ପୋଡ଼ିଯିବାର ଚିତ୍ର ସାମ୍ନାକୁ ଆସିଲାଣି। ଏଭଳି ସ୍ଥିତି ଲାଗି ରହିଲେ ଏବର୍ଷ ଚାଷ ହେବା ନେଇ ସନ୍ଦେହ ରହିଛି ବୋଲି ଚାଷୀମାନେ କହିଛନ୍ତି।
Follow Us