ଦକ୍ଷତାର ପ୍ରମାଣ ଦେଲେ ରାୟଗଡ଼ା ଛାତ୍ରଛାତ୍ରୀ, ଶ୍ରେଷ୍ଠ ପ୍ରକଳ୍ପ ପାଇଁ ବିଭିନ୍ନ ମହଲରୁ ଛୁଟିଲା ପ୍ରଶଂସାର ସୁଅ

Advertisment
ଦକ୍ଷତାର ପ୍ରମାଣ ଦେଲେ ରାୟଗଡ଼ା ଛାତ୍ରଛାତ୍ରୀ, ଶ୍ରେଷ୍ଠ ପ୍ରକଳ୍ପ ପାଇଁ ବିଭିନ୍ନ ମହଲରୁ ଛୁଟିଲା ପ୍ରଶଂସାର ସୁଅ

ରାୟଗଡ଼ା: ପେଟ୍ରୋଲ୍, ଡିଜେଲ୍ ବଦଳରେ ସୋଲାରରେ ଗଡ଼ିବ କାର। ବିନା ବିଦ୍ୟୁତରେ ଚାଲିବ ଏସି। ନିଜ ପାଖକୁ ଆସି ହାତ ସହ ଘରକୁ ସାନିଟାଇଜିଂ କରିବ ରୋବୋର୍ଟ। ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ସୌର ଚାଳିତ କାର, ଏସି ଓ ସାନିଟାଇଜିଂ ରୋବୋର୍ଟ ତିଆରି କରି ଦକ୍ଷତାର ପ୍ରମାଣ ଦେଇଛନ୍ତି ରାୟଗଡ଼ା ଉତ୍କଳମଣି ଗୋପବନ୍ଧୁ ବୈଷୟିକ ତାଲିମ୍ ପ୍ରତିଷ୍ଠାନର ଛାତ୍ରଛାତ୍ରୀ। ୩ ମାସର ଅକ୍ଲାନ୍ତ ପରିଶ୍ରମ ପରେ ମିଳିଥିବା ସଫଳତାକୁ ନେଇ ଛାତ୍ରଛାତ୍ରୀ ଉତ୍ସାହିତ ଥିବା ‌ବେଳେ ଶ୍ରେଷ୍ଠ ପ୍ରକଳ୍ପ ପାଇଁ ବିଭିନ୍ନ ମହଲରୁ ସଫଳତାର ସୁଅ ଛୁଟିଛି।

ବର୍ତ୍ତମାନ ଭାରତରେ ପେଟ୍ରୋଲ୍, ଡିଜେଲ୍ ସଙ୍କଟ ଲାଗି ରହିଛି। ଦର ମଧ୍ୟ ହୁ ହୁ ହୋଇ ବଢ଼ି ଚାଲିଛି। ଦିନକୁ ଦିନ ଯାନବାହନ ସଂଖ୍ୟା ବଢ଼ୁଥିବାରୁ ଏହାର ପ୍ରଭାବରେ ପରିବେଶ ଓ ଶବ୍ଦ ପ୍ରଦୁଷଣ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଯାହା ଆଗାମୀ ପିଢ଼ି ପାଇଁ ସମସ୍ୟା ସୃଷ୍ଟି କରିବ। ପରିବେଶବିତ୍, ବୈଜ୍ଞାନିକଙ୍କ ଏପରି ଆକଳନ ପରେ ପ୍ରଦୁଷଣ ରୋକିବା ଏବଂ ତେଲ ସଙ୍କଟ ଦୂର କରିବାକୁ ନୂତନ କାରର ଉଦ୍ଭାବନ କରିଛନ୍ତି ୟୁଜିଏମଆଇଟିର ଶେଷ ବର୍ଷ ମେକାନିକାଲ୍ ବିଭାଗ ଛାତ୍ରଛାତ୍ରୀ। ୧ ଲକ୍ଷ ୨୮ ହଜାର ଟଙ୍କା ବ୍ୟୟରେ ନିର୍ମିତ କାରରେ ସୋଲାର୍ ସେଟ୍ ସହିତ ବ୍ୟାଟେରୀ, ମଟର ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଲାଗିଛି। ଯାହା ବିଭିନ୍ନ କମ୍ପାନି ଦ୍ବାରା ଉଚ୍ଚମାନର ଜ୍ଞାନକୌଶଳରେ ନିର୍ମିତ କାର୍ ଭଳି ଗଡ଼ୁଛି। ପରୀକ୍ଷାମୂଳକ ଭାବେ ତିଆରି ହୋଇଥିବା କାର୍ ଘଣ୍ଟାକୁ ସର୍ବାଧିକ ୩୦ରୁ ୪୦ କିମି ବେଗରେ ଗତି କରିବ। ସେହିପରି ବ୍ୟାଟେରୀ ଦ୍ବାରା ସର୍ବାଧିକ ୨୦ କିମି ପର୍ଯ୍ୟନ୍ତ ଚାଲିବ। ବ୍ୟାଟେରୀ ପାୱାର୍ ବୃଦ୍ଧି କଲେ ସେହି ଅନୁଯାୟୀ ଅଧିକ କିଲୋମିଟର ଯିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି।

publive-image

ବିଦ୍ୟୁତ୍ ସଙ୍କଟ ଟାଳିବାକୁ ଏହି ବିଭାଗର ଛାତ୍ରଛାତ୍ରୀ ସୋଲାର୍ ଚାଳିତ ଏସି ମଧ୍ୟ ନିର୍ମାଣ କରିଛନ୍ତି। ଯାହା ବିଦ୍ୟୁତ୍ ଚାଳିତ ଏସି ଭଳି କାମ କରୁଛି। ଘର ଛାତ ଉପରେ ସୋଲାର୍ ପ୍ୟାନେଲ୍ ବସାଇ ବ୍ୟାଟେରୀ ମାଧ୍ୟମରେ ଏସି ସୁରୁଖୁରରେ ଚାଲୁଛି। ଅନ୍ୟପକ୍ଷରେ କୋଭିଡ଼୍ ମହାମାରୀ ସାରା ପୃଥିବୀରେ ଆତଙ୍କର ବାତାବରଣ ସୃଷ୍ଟି କରିଥିବା ବେଳେ ମୁକାବିଲା ପାଇଁ ଲକଡାଉନ୍, ସଟଡାଉନ୍ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଲକଡାଉନରେ ସ୍କୁଲ୍, କଲେଜ ଛୁଟି ହେବା ପରେ ପାଠପଢ଼ାକୁ ନେଇ ଚିନ୍ତିତ ହୋଇଥିଲେ ଛାତ୍ରଛାତ୍ରୀ। କରୋନା ନିୟନ୍ତ୍ରଣରେ ସାମାଜିକ ଦୂରତା, ସାନିଟାଇଜିଂ ଏକ ମାତ୍ର ଅସ୍ତ୍ର ହୋଇଥିବାରୁ ସାନିଟାଇଜିଂ ରୋବୋର୍ଟ ନିର୍ମାଣ କରିବାକୁ ଛାତ୍ରଛାତ୍ରୀ ପଦକ୍ଷେପ ନେଇଥିଲେ।

୨୭ ହଜାର ଟଙ୍କା ବ୍ୟୟରେ ନିର୍ମିତ ରୋବୋର୍ଟ ସେନସର୍ ମାଧ୍ୟମରେ ଲୋକଙ୍କ ପାଖକୁ ଯାଇ ସାନିଟାଇଜ୍ କରିବ। ଏଥି ସହିତ ଘର ଏବଂ ହସପିଟାଲ୍ ସାନିଟାଇଜିଂରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ। ଉଭୟ ବ୍ୟାଟେରୀ ଓ ବିଦ୍ୟୁତ୍ ଦ୍ବାରା ରୋବୋର୍ଟ କାମ କରିବ।  ଦିନକୁ ୨ରୁ ୩ ଘଣ୍ଟା ପରିଶ୍ରମ ବଳରେ ୩ ମାସର ଉଦ୍ୟମ ପରେ ରୋବୋର୍ଟ ନିର୍ମାଣ ସମ୍ଭବ ହୋଇଥିବା ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି। ପ୍ରୋଜେକ୍ଟ କୋଅର୍ଡିନେଟର୍ ଅଧ୍ୟାପକ ରାଜେନ୍ଦ୍ର ମହାନ୍ତି, ମେକାନିକାଲ୍ ବିଭାଗ ମୁଖ୍ୟ ସରୋଜ କୁମାର ସାହୁ ଏବଂ ଅନୁଷ୍ଠାନର ଅଧ୍ୟକ୍ଷ ନାରାୟଣ ପଟେଲଙ୍କ ମାର୍ଗଦର୍ଶନରେ ୩ ପ୍ରକଳ୍ପକୁ ସଫଳତାର ସହ ଶେଷ କରିଥିବା ଛାତ୍ରଛାତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe