ଆଧାର କାର୍ଡ ତ୍ରୁଟି ଯୋଗୁଁ ଲାକଡାଉନ ସମୟରେ ବି ସାଧାରଣ ବଣ୍ଟନରୁ ବଞ୍ଚିତ ବହୁ ପରିବାର

Advertisment

ସରକାରୀ ନାଲି ଫିତା ତଳେ ବନ୍ଧା ପଡିଛି ସାଧାରଣ ଲୋକଙ୍କ ଯୋଜନା 

ସରକାରୀ ନାଲି ଫିତା ତଳେ ବନ୍ଧା ପଡିଛି ସାଧାରଣ ଲୋକଙ୍କ ଯୋଜନା 

ଆଧାର କାର୍ଡ ତ୍ରୁଟି ଯୋଗୁଁ ଲାକଡାଉନ ସମୟରେ ବି ସାଧାରଣ ବଣ୍ଟନରୁ ବଞ୍ଚିତ ବହୁ ପରିବାର
ଭବାନୀପାଟଣା: କଳାହାଣ୍ଡି ଜିଲ୍ଳାର ଦୁର୍ଗମ ଅଞ୍ଚଳରେ ଲୋକେ ଆଧାର କାର୍ଡ ତ୍ରୁଟି ଯୋଗୁଁ ସାଧାରଣ ବଣ୍ଟନର ସାମଗ୍ରୀ ପାଇବାରୁ ବଞ୍ଚିତ ହେଇଛନ୍ତି ।  ଲକଡାଉନ ପାଇଁ ସବୁଆଡେ ଜୀବନଯାତ୍ରା ଠପ ହୋଇପଡ଼ିଛି। ଏ ଅସମୟରେ ଯେମିତି କୌଣସି ବ୍ୟକ୍ତି ଭୋକଉପାସରେ ନ ରହିବ ସରକାର ଗାଇଡ଼ଲାଇନ ଜାରି କରିଛନ୍ତି । ସରକାରଙ୍କ ନିର୍ଦେଶ ସତ୍ତ୍ୱେ ଏବେ ମଧ୍ୟ ବହୁ ପରିବାର ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହୋଇଛନ୍ତି। ଆଧାର କାର୍ଡ ତ୍ରୁଟି ଯୋଗୁଁ ବହୁ ପରିବାର ପିଡ଼ିଏସ୍ ପାଇବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏଥିନେଇଁ ହସ୍ତକ୍ଷେପ କରିନଥିବା ଯୋଗୁଁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ବଡ଼ଛତ୍ରଙ୍ଗ ପଞ୍ଚାୟତ ତାସିଗୁଡା ଗାଁର ଦେଶରୀ ମାଝୀ (୭୦)ଜଣେ ବିଧବା ମହିଳା ଅଟନ୍ତି । ତାଙ୍କର କୌଣସି ସନ୍ତାନ ସନ୍ତତି ନଥିବା ବେଳେ ତାଙ୍କ ଖାଦ୍ୟ ସୁରକ୍ଷା କାର୍ଡ ସହିତ ତାଙ୍କର ଆଧାର କାର୍ଡ ସଂଯୋଗ ହେଇନଥିବାରୁ ଗତ ୫ମାସ ହେଲା ସେ ପଞ୍ଚାୟତ ପକ୍ଷରୁ ଚାଉଳ ଦିଆଯାଉନି । ଲକଡାଉନ ପରେ ବି ଏହି ବୃଦ୍ଧାଙ୍କ ଖାଦ୍ୟ ସୁରକ୍ଷା ପଡୋଶୀଙ୍କ ଆହାଃ ଉପରେ ନିର୍ଭର କରୁଛି । ତାଙ୍କ ଆଧାରକାର୍ଡରେ ତ୍ରୁଟି ଥିବା ଯୋଗୁଁ ଏଭଳି ଏକ ଅଭାବନୀୟ  ପରିସ୍ଥିତି ସୃଷ୍ଟି ହେଇଛି ।
ସେହିଭଳି ତାସିଗୁଡା ଗାଁର ସୁନ୍ଦର ଗଉଡ଼ଙ୍କ ପରିବାରରେ ୭ଜଣ ସଦସ୍ୟ ଅଛନ୍ତି । ଆଧାରକାର୍ଡରେ ନାଁ ଭୁଲ ଥିବାରୁ ପଞ୍ଚାୟତରୁ ଗତ ୭ମାସ ଧରି ଚାଉଳ ମିଳୁନି । ସେ ଆଧାର କାର୍ଡ ସଂଶୋଧନ ପାଇଁ ଆବେଦନ କରିଛନ୍ତି । ଲକଡାଉନ ଯୋଗୁଁ ଦୈନିକ ମଜୁରୀ ମଧ୍ୟ ମିଳୁନାହିଁ ଫଳରେ ପରିବାର ଧାର କରଜ କରି ବଞ୍ଚି ରହିଛନ୍ତି ।
ଏହା କେବଳ ଦୁଇ ପରିବାରର କାହାଣୀ ନୁହେଁ। ଅନେକ ପରିବାର ର ଆଧାର ତ୍ରୁଟି ପାଇଁ ଖାଦ୍ୟ ସୁରକ୍ଷା କାର୍ଡ ଅକାମି ହୋଇପଡ଼ିଛି।  ସରକାରଙ୍କ ସବୁ ସହାୟତା ଏହି କାର୍ଡ ରୁ ହିଁ ଆରମ୍ଭ ହୋଇଥାଏ । ସରକାରଙ୍କ ଖାଦ୍ୟ ସୁରକ୍ଷା ଗାଇଡ଼ ଲାଇନ ଅନୁଯାୟୀ ସମସ୍ତ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ସହ ୩ ମାସର ଚାଉଳ ଆଗୁଆ ଯୋଗାଣ କରାଯାଉଛି ଏବଂ ବୟସ୍କ, ଅସହାୟ ଓ ଖାଦ୍ୟସୁରକ୍ଷାରୁ ବଞ୍ଚିତ ହିତାଧିକାରୀଙ୍କୁ ରନ୍ଧା ଖାଦ୍ୟ ବ୍ୟବସ୍ଥା ସତ୍ତ୍ୱେ ତାସିଗୁଡାର ଏ ଅଭାବୀ ମଣିଷମାନେ ସେ ଯୋଜନାରୁ ବାଦ ପଡିଛନ୍ତି ।
ଦେଶରୀ ମାଝୀ ଓ ସୁନ୍ଦର ଗଉଡ଼ ଭଳି ଅନେକ ପରିବାରଙ୍କ ପାଇଁ ଯୋଜନା ଥିଲେ ମଧ୍ୟ ଦସ୍ତାବିଜ ଅଭାବରୁ ସେମାନଙ୍କ ପାଇଁ ଯୋଜନା ଅପହଞ୍ଚ ପାଲଟିଛି । ଏଭଳି ଲୋକଙ୍କୁ ଚିହ୍ନଟ କରି ଯୋଜନାରେ ସାମିଲ କରିବା ବର୍ତ୍ତମାନର  ଲକଡାଉନ ସମୟରେ ଅତ୍ୟନ୍ତ ଜରୁରୀ ଅଟେ । ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହୋଇଛି । ଏନେଇଁ ଜିଲ୍ଲା ଯୋଗାଣ ଅଧିକାରୀ ରତନଲାଲ ସେଠିଙ୍କୁ ପଚାରିବାରୁ ଥୁଆମୂଲରାମପୁର ବିଡ଼ିଓଙ୍କୁ ଖାଦ୍ୟ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ଆଧାର କାର୍ଡ଼ ସଂଶୋଧନ ପାଇଁ ପ୍ରଶାସନିକ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe