ଜ୍ବାଇଁର ଟାଙ୍ଗିଆ ଚୋଟରେ ଶାଶୁ ମୃତ, ଜ୍ବାଇଁ ଗିରଫ

Advertisment
ଜ୍ବାଇଁର ଟାଙ୍ଗିଆ ଚୋଟରେ ଶାଶୁ ମୃତ, ଜ୍ବାଇଁ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡିଗାଁ ଥାନା ଅନ୍ତର୍ଗତ ବିଟେକଗୁଡ଼ା ଗାଁରେ ଜ୍ବାଇଁର ଟାଙ୍ଗିଆ ଚୋଟରେ ଶାଶୁର ମୃତ୍ୟୁ ଘଟିଛି। ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ଡାବୁଗାଁ ଥାନା ଅନ୍ତର୍ଗତ ସାନଉଲୁମା ଗାଁର କମଳ ଜାନୀ(୩୫) ଗତ ୭ ବର୍ଷ ପୁର୍ବେ ବିଟେକଗୁଡାର ହିରାଦେଇ ଜାନୀଙ୍କ ଝିଅ ଉର୍ମିଳା ଜାନୀଙ୍କୁ ବିବାହ କରିବା ସହ ଘରଜ୍ବାଇଁ ହୋଇ ରହି ଆସୁଥିଲେ। ତେବେ ଗତ କିଛି ବର୍ଷ ହେବ ନିୟମିତ କମଳ ଓ ଉର୍ମିଳାଙ୍କ ମଧ୍ୟରେ ଝଗଡା ଲାଗୁଥିଲା।

ଗତ ୨ ତାରିଖ ଦିନ ରାତିରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ଶାଶୁ ଝଗଡା ନେଇ ହିରାଦେଇ ଜାନୀ(୫୮) ଜ୍ବାଇଁ କମଳକୁ ଗାଳିଗୁଲଜ କରିଥିଲେ। ଏଥିରେ ଜ୍ବାଇଁ କମଳ ଉତ୍ତକ୍ଷିପ୍ତ ହୋଇ ଭୋର ୩ଟା ବେଳେ ଶୋଇଥିବା ବେଳେ ଏକ ଟାଙ୍ଗିଆ ସାହାଯ୍ୟରେ ଶାଶୁ ହିରାଦେଇଙ୍କ ମୁଣ୍ଡକୁ ଚୋଟ ପକାଇଥିଲେ। ହିରାଦେଇଙ୍କ ମୁଣ୍ଡରେ ପ୍ରବଳ ରକ୍ତସ୍ରାବ ହେବାରୁ ହିରାଦେଇଙ୍କ ଝିଅ ଉର୍ମିଳା କାନ୍ଦିବା ସହ ପାଟି କରିଥିଲେ। ଉର୍ମିଳାଙ୍କ କାନ୍ଦ ଶୁଣି ସାହି ପଡ଼ିଶା ତାଙ୍କ ଘରେ ପହଞ୍ଚି ୧୦୮ ଆମ୍ବୁଲାନସକୁ ଖବର ଦେଇଥିଲେ। ସାହି ବାସିନ୍ଦାଙ୍କ ସହଯୋଗରେ ଶାଶୁ ହିରାଦେଇଙ୍କୁ ୧୦୮ ଆମ୍ବୁଲାନସ ସାହାଯ୍ୟରେ ପ୍ରଥମେ କୋଷାଗୁମୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କୋଷାଗୁମୁଡା ଡାକ୍ତରଖାନାରେ ହିରାଦେଇଙ୍କ ଅବସ୍ଥା ଗୁରୁତର ହେବା ଦେଖି ଡାକ୍ତର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ।

ହେଲେ ହିରାଦେଇଙ୍କର ଚିକିତ୍ସିତ ଅବସ୍ଥାରେ ଗତକାଲି ସନ୍ଧ୍ୟା‌ରେ ମୃତ୍ୟୁ ହେବା ଜାଣି ଜ୍ବାଇଁ କମଳ ଫେରାର ହୋଇଯାଇଥିଲା। ହେଲେ ଆଜି ହିରାଦେଇଙ୍କ ମୃତ୍ୟୁ ଖବର କୋଡିଗାଁ ପୁଲିସ ପାଖରେ ପହଞ୍ଚିବା ପରେ ଥାନା ଅଧିକାରୀ ସରିତା ମହାପାତ୍ରଙ୍କ ନିର୍ଦ୍ଦେଶରେ ଏବଂ ଏସଆଇ ଡି.କେ.ମଲ୍ଲିକଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରି ଜ୍ବାଇଁ କମଳକୁ ଗିରଫ କରିଛି। ଗିରଫ ପରେ ଥାନାରେ କେସ ନଂ ୩୯/୨୧ ରେ ମାମଲା ରୁଜୁ କରାଯାଇ ଆଜି ସନ୍ଧ୍ୟା ସମୟରେ ଜ୍ବାଇଁ କମଳ ଜାନୀକୁ କୋର୍ଟ ଚାଲାଣ କରାଯାଇଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe