ଦୁଃଖ ଦେଉଛି ବରପାଲି ଓଭର୍‌ବ୍ରିଜ୍

Advertisment
ଦୁଃଖ ଦେଉଛି ବରପାଲି ଓଭର୍‌ବ୍ରିଜ୍

ବରଗଡ଼: ପଶ୍ଚିମରୁ ପୂର୍ବ ଓଡ଼ିଶାକୁ ଯୋଡୁଥିବା ଜଗନ୍ନାଥ ସଡ଼କ ଦୀର୍ଘ ବର୍ଷ ହେଲା ଲୋକଙ୍କ ଚିନ୍ତାର କାରଣ ପାଲଟିଛି। ଐତିହାସିକ ଘଟଣାବଳୀ ବହନ କରୁଥିବା ଏହି ସଡ଼କ ଲୋକଙ୍କ ପାଇଁ କାଳ ସାଜିଛି। ଅସଂପୂର୍ଣ୍ଣ ରେଲୱେ ଓଭର୍‌ବ୍ରିଜ୍‌ ଏବଂ ଏହା ତଳ ଦେଇ ଯାଇଥିବା ରାସ୍ତା ଦ୍ବୟ ଚିନ୍ତାର ମୁଖ୍ୟ କାରଣ। ପ୍ରଥମେ ବିଜେପୁର ଉପନିର୍ବାଚନ ବେଳେ ଏହି ଓଭର୍‌ବ୍ରିଜ୍‌ ନିର୍ମାଣ ଫୋକସ୍‌ରେ ରହିଥିଲା। ୨୦୧୮ ଏପ୍ରିଲ ୯ ତାରିଖ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ଯାହା ୨୦୨୦ ଏପ୍ରିଲ୍‌ରେ ସରିବା କଥା। କିନ୍ତୁ ଅବଧି ସରିବାର ୩ ବର୍ଷ ବିତି ଯାଇଥିଲେ ହେଁ ପ୍ରକଳ୍ପ କାମ ଅଧାରେ ପଡ଼ିଛି। ବରପାଲି ପଟୁ ବ୍ରିଜ୍‌ କାମ ସଂପୂର୍ଣ୍ଣ ହୋଇଛି। କିନ୍ତୁ ଜଗନ୍ନାଥନଗରରେ ଜମି ଅଧିଗ୍ରହଣ ଜନିତ ସମସ୍ୟା ରହିଥିଲା। ଏ ସବୁ ବାଦବିବାଦ ଭି‌ତରେ ପାଖାପାଖି ଦୁଇ ବର୍ଷ କାଳ ଠିକାଦାର କାମ ଛାଡ଼ି ପଳାଇଥିଲେ।

ବାରମ୍ବାର ଜନଶୁଣାଣି ପରେ ବି ଜଗନ୍ନାଥନଗର ପଟେ ଜମି ଅଧିଗ୍ରହଣରେ ବାଧା ସୃଷ୍ଟି ହୋଇଥିଲା। ଏବେ ଜମି ଅଧିଗ୍ରହଣ ସହ ପୁନଃ ଟେଣ୍ଡର ହୋଇଛି। ତେଣୁ କାମ ପୁଣି ଆରମ୍ଭ ହେବା ସମ୍ଭାବନା ରହିଛି। ତେବେ ଏହି ଅସଂପୂର୍ଣ୍ଣ ଓଭରବ୍ରିଜ୍‌ ଯୋଗୁଁ ବରପାଲି ରେଳ ଫାଟକରେ ହଜାର ହଜାର ଗାଡ଼ି ପ୍ରତିଦିନ ଫସି ରହୁଛନ୍ତି। ଭାରୀ ଯାନଗୁଡ଼ିକ ଅଟକି ରହୁଥିବାରୁ ଟ୍ରାଫିକ୍‌ ବିଭ୍ରାଟ ବି ଘଟୁଛି। ଦୀର୍ଘ ଦୁଇ ଦଶନ୍ଧି ହେଲା ଓଭର୍‌ବ୍ରିଜ୍‌ ପାଇଁ ଦାବି ହେଉଥିଲା। ଯାହା ୨୦୧୮ ମସିହାରେ କାର୍ଯ୍ୟକାରୀ ହେଲା। କିନ୍ତୁ କାମରେ ମାତ୍ରାଧିକ ମନ୍ଥରତା ଯୋଗୁଁ ବରପାଲିବାସୀଙ୍କ ଦୁଃଖ ଆଜି ବି ଲାଘବ ହୋଇପାରି ନାହିଁ। ପୂର୍ବରୁ ଏହି ରେଳ ଧାରଣାରେ ଫାଟକ ନ ପଡ଼ି ଏକ୍ସପ୍ରେସ୍‌ ଟ୍ରେନ୍‌ ଗଡ଼ିବା ଭଳି ଘଟଣା ବି ଘଟିଛି। କିନ୍ତୁ ଶହ ଶହ ଗାଡ଼ି ଉଭୟ ପଟରେ ଛିଡ଼ା ହୋଇଥିଲେ ହେଁ ସୌଭାଗ୍ୟକୁ କିଛି ଅଘଟଣ ଘଟିନଥିଲା। ଅନ୍ୟପକ୍ଷରେ ଏହି ଫାଟକ ପାଖରେ ବାରମ୍ବାର ଟ୍ରାଫିକ୍‌ ଜାମ୍‌ ହେଉଥିବାରୁ ଆମ୍ବୁଲାନ୍ସ କିମ୍ବା ଗାଡ଼ିରେ ଯାଉଥିବା ମହିଳା ‌ସେଠାରେ ପ୍ରସବ କରିବା ଭଳି ଘଟଣା ବି ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe