ବାରିପଦା: ଦକ୍ଷିଣ-ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେରେ ସୃଷ୍ଟି ହୋଇଥିବା ୟସ୍ ବାତ୍ୟା ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଦେଖା ଦେଇଛି। ପାଣିପାଗ ବିଭାଗ ସୂଚନା ମତେ ସାମୁଦ୍ରିକ ଝଡ ‘ୟାସ୍’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସାଙ୍ଗକୁ ଷଣ୍ଟାକୁ ଶହେ କିଲୋମିଟରରୁ ଅଧିକ ବେଗରେ ପବନ ହେବାର ପୂର୍ବାନୁମାନ କରାଯାଇଥିବା ବେଳେ ଏକ ଦାୟିତ୍ୱ ସମ୍ପନ୍ନ ରାଜନୈତିକ ଦଳ ଭାବେ ଉକ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ଓ ବିପନ୍ନ ମାନଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ୧୬ ଜଣିଆ କମିଟି ଗଠନ କରାଯାଇଛି।
କମିଟିରେ ପୂର୍ବତନ ରାଜ୍ୟ ସମ୍ପାଦକ ଯୋଗେଶ କୁମାର ଅଗ୍ରୱାଲା- ଆବାହକ ରହିଥିବା ବେଳେ ଅରବିନ୍ଦ ଦାସ, ଶାନ୍ତନୁପାଲ, ପ୍ରଦୀପ କୁମାର ଦାସ, ଯୋଗେନ୍ଦ୍ର ମହାନ୍ତି, ଦୀନକୃଷ୍ଣ ପାତ୍ର, ଶେଖ ମୁସ୍ତାଫା, ସଞ୍ଜୟ କୁମାର ସେଠୀ, କୁଶଧର ବେହେରା, ରଘୁ ରାଉତ, ଦୀପକ କୁମାର ଧଳ, ନିର୍ମଳ ପ୍ରଧାନ ପ୍ରମୁଖ ସଦସ୍ୟ ରହିଛନ୍ତି। ଉକ୍ତ କମିଟି ଜନସାଧାରଣଙ୍କୁ ସଚେତନ କରାଇବା ସହିତ ୟସ୍ ବାତ୍ୟା ପ୍ରଭାବରେ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ପରିମାଣର ଆକଳନ, ସହାୟତା ପ୍ରଦାନ ଏବଂ ଜିଲ୍ଲା ପ୍ରଶାସନକୁ ବାତ୍ୟା ମୁକାବିଲା କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ କରିବ ବୋଲି କମିଟି ଆବାହକ ଯୋଗେଶ ଅଗ୍ରୱାଲା ସୂଚନା ଦେଇଛନ୍ତି ।
Follow Us