ଜୟପୁର ବିମାନ ବନ୍ଦରର ବିଦ୍ୟୁତୀକରଣ ଓ ଭିତ୍ତିଭୁମି ଉନ୍ନୟନ ତଦାରଖ କଲା ବେସାମରିକ ବିଭାଗ ସ୍ବତନ୍ତ୍ର ଦଳ

Advertisment
ଜୟପୁର ବିମାନ ବନ୍ଦରର ବିଦ୍ୟୁତୀକରଣ ଓ ଭିତ୍ତିଭୁମି ଉନ୍ନୟନ ତଦାରଖ କଲା ବେସାମରିକ ବିଭାଗ ସ୍ବତନ୍ତ୍ର ଦଳ

Sambad

ଜୟପୁର: ଜୁନ ପ୍ରଥମ ସପ୍ତାହରୁ ଜୟପୁର ବିମାନ ବନ୍ଦରରୁ ବିମାନ ଉଡ଼ିବା ଆଶା ମଉଳି ଯାଇଛି। ଏ ପର୍ଯ୍ୟନ୍ତ ଡିଜିସିଏ ଟିମ୍ ବିମାନ ବନ୍ଦରର ଯାଞ୍ଚ ପାଇଁ ଆସିନାହିଁ କି ‘ବି’ କ୍ୟାଟଗରି ଲାଇସେନ୍ସ ବି ମିଳିପାରିନି। ତେବେ ଏହି ଟିମ୍ ଆସି ବିମାନବନ୍ଦରର ଭିତ୍ତିଭୁମି ଆଦିରେ ଅନ୍ୟ କିଛି ଭୁଲ ବାହାର କରିବା ପୂର୍ବରୁ ଗୋଟି ଗୋଟି କରି ଯାଞ୍ଚ କରାଯାଉଛି। ଭିତ୍ତିଭୁମିର ବିକାଶ ଓ ବିଦ୍ୟୁତିକରଣ ଆଦିର ଯାଞ୍ଚ କରିବା ପାଇଁ କେନ୍ଦ୍ର ବେସାମରିକ ବିଭାଗ ଯୁଗ୍ମ ସଚିବ ଉଷା ପାଢ଼ୀଙ୍କ ନିର୍ଦେଶରେ ଆଜି ଦୁଇ ଜଣିଆ ସ୍ବତନ୍ତ୍ର ଦଳ ଭୁବନେଶ୍ବରରୁ ଆସି ଯାଞ୍ଚ କରିଛନ୍ତି।

ବେସାମରିକ ବିଭାଗର ସିଭିଲ୍ ଏଜିଏମ୍ ରବି ଶଙ୍କର ଓ ଇଲେକ୍ଟ୍ରିକାଲ ଏଜିଏମ୍ ଉତ୍ତମ ରକ୍ଷିତ ଭାଗ ନେଇ ତନ୍ନ ତନ୍ନ କରି ସବୁ ଯାଞ୍ଚ କରିଥିଲେ। ଏମାନେ ଯାଞ୍ଚ କରି ରିପୋର୍ଟ ଦାଖଲ କରିବା ପରେ ହିଁ ବିଦ୍ୟୁତିକରଣ ଓ ଭିତ୍ତିଭୁମି ଉନ୍ନୟନ କାମର ଟଙ୍କା ବେସାମରିକ ବିଭାଗ ପୈଠ କରିବ ବୋଲି ଦଳ ସୂଚନା ଦେଇଛନ୍ତି। ଏଠାରେ ଲାଗିଥିବା ବୈଦ୍ୟୁତିକ ଉପକରଣ, ଲାଇଟ୍, ଏୟାର ଟ୍ରାଫିକ କଣ୍ଟ୍ରୋଲ(ଏଟିସି‌)ରେ ଲାଗିଥିବା ଯନ୍ତ୍ରାଂଶ ଆଦିକୁ ଦେଖି ଦଳ ବିଗଡ଼ିଥିଲେ। ଏସବୁକୁ ତୁରନ୍ତ ପରିବର୍ତ୍ତନ କରିବା ସହ ସ୍ଥଳ ବିଶେଷରେ ଅଧିକା ଏୟାର କଣ୍ଡିସନର ଲଗାଇବାକୁ ନିର୍ଦେଶ ଦେଇଥିଲେ। ବିମାନ ପାର୍କିଂ ସ୍ଥାନ ପାର୍ଶ୍ବ ଖାଲି ପଡିଆ ଥିବାରୁ ସେଠାରେ ସିଲିକେନ୍ ଜେଲି ପକାଇବାକୁ ପରାମର୍ଶ ଦେଇଥିଲେ। ପୁରା ବିମାନ ବନ୍ଦରର ରନୱେ, କେନାଲର ‌ଟନେଲ କାମ ବୁଲି ଦେଖିଥିଲେ। ସେଭଳି ଅଗ୍ନିଶମ ବିଭାଗ କେଉଁଟି ରହିଛି ପଚାରି ବୁଝିଥିଲେ। କିଛି ଅଘଟଣ ହେଲେ ଅଗ୍ନିଶମ ବିଭାଗ ବିମାନ ବନ୍ଦର ମଧ୍ୟକୁ କେଉଁ ପଟରୁ ଆସିବେ ଆଦିର ତଦାରଖ କରିଥିଲେ। ସାମାନ୍ୟତମ୍ କିଛି ବି ଭୁଲ ଭଟକା ହେଲେ କିମ୍ବା ଯାଞ୍ଚ ସମୟରେ ଦୃଷ୍ଟି ଗୋଚର ନ ହେଲେ କିଛି ଅଘଟଣ ହେଲେ ସେଥି ପାଇଁ କିଏ ଉତ୍ତର ଦାୟୀ ହେବ ବୋଲି ଦଳର ଅଧିକାରୀ ମାନେ କହିଥିଲେ।

publive-image Sambad

ଏମାନେ ଏଟିସି ଟର୍ମିନାଲ, ଟିକେଟ କାଉଣ୍ଟର, ଯାତ୍ରୀ ମାନେ ଯିବା ସମୟରେ ଲାଗି ରହିଥିବା ବିଭିନ୍ନ ଯନ୍ତ୍ରାଂଶ, ଲାଇଟ୍‌ ଓ ସୁଇଚ୍ ଆଦିର ବି ଯାଂଚ କରିଥିଲେ। ଯାଞ୍ଚ ବେଳେ ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ଭାସ୍କର ଚନ୍ଦ୍ର ସାମନ୍ତରାୟ, ଏସଡିଓ ବିଜୟ ବେହେରା, ଇଣ୍ଡିଆ ୱାନ ଏୟାରର କର୍ମଚାରୀ ଆଦି ଉପସ୍ଥିତ ରହିଥିଲେ। ବିମାନ ବନ୍ଦର ଅଞ୍ଚଳରେ ବର୍ଷକୁ କେତେ ଦିନ ବର୍ଷା ହୁଏ, ବର୍ଷା ହେଲେ କେତେ ଦିନ ଲାଗି ରୁହେ, ଏସମୟରେ କୁହୁଡି ରୁହେ କି ନାହିଁ, ବର୍ଷା ଓ ଶୀତଦିନରେ ଦୃଶ୍ୟମାନ କେତେ ପ୍ରତିଶତ ହୋଇଥାଏ ଆଦି ପଚାରି ବୁଝିଥିଲେ। ଜୟପୁର ବିମାନ ବନ୍ଦରରୁ ଜୁନ ପ୍ରଥମ ସପ୍ତାହରୁ ବିମାନ ଚଳାଚଳ କରିବା ପାଇଁ କେନ୍ଦ୍ର ବେସାମରିକ ଯୁଗ୍ମ ସଚିବ ଉଷା ପାଢ଼ୀ ଗସ୍ତ ସମୟରେ ସୂଚନା ଦେବା ପରେ ଲୋକେ ଜୁନକୁ ଅପେକ୍ଷା କରିଥିଲେ। ତେବେ ଡିଜିସିଏ୍ ଟିମ୍ ଯାଞ୍ଚ ପାଇଁ ଆସିନଥିବା ବେଳେ ୯ସିଟ୍ ବିମାନ ଉଡ଼ିବା ପାଇଁ ଲାଇସେନସ୍ ବି ଏୟାରପୋର୍ଟ ଅଥରିଟି ପକ୍ଷରୁ ଦିଆଯାଇନି। ଅଳ୍ପ ଦିନ ପରେ ବର୍ଷା ଜୋର ଧରିବ। ଏହାରି ମଧ୍ୟରେ ବିମାନ ବନ୍ଦରର ବଳକା ଭିତ୍ତିଭୁମି ବିକାଶର କାମ ସମ୍ପୂର୍ଣ୍ଣ ହେବ କି? ଏହି ସ୍ଥିତିରେ ଏବେ ଜୟପୁର ବିମାନ ବନ୍ଦରରୁ ବିମାନ କେବେ ଉଡ଼ିବ ଏହି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରିବା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe