ଝାରସୁଗୁଡ଼ା: ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ସଂପୂର୍ଣ୍ଣ ଭାବରେ ଲୋକଙ୍କ ସେବାରେ ଆସିନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ସାମାନ୍ୟ ବର୍ଷା ହେଲେ ବିମାନ ସେବା ପ୍ରଭାବିତ ହେଉଥିବାରୁ ଲୋକେ ଏବେ ଏଠାରୁ ବିଭିନ୍ନ ସ୍ଥାନକୁ ଟିକେଟ ସଂରକ୍ଷଣ କରିବାକୁ ପଛଘୁଞ୍ଚା ଦେବା ଆରମ୍ଭ କରିଛନ୍ତି। ଗତକାଲି ଠାରୁ ଝାରସୁଗୁଡ଼ା ଠାରେ କୋହଳା ପାଗ ସହିତ ଝିପିଝିପି ବର୍ଷା ଯୋଗୁଁ ବିମାନ ସେବା ପ୍ରଭାବିତ ହୋଇଛି।
ଆଜି ଦିଲ୍ଲୀରୁ ଆସିଥିବା ୧୮୦ ଆସନ ବିଶିଷ୍ଟ ସ୍ପାଇସ ଜେଟ୍ର (ଏସ୍ଜି-୮୯୬୮/୮୯୬୯) ବୋଇଂ- ୭୩୭ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅବତରଣ କରିବାରେ ବିଫଳ ହୋଇ ପୁଣି ଥରେ ଦିଲ୍ଲୀ ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରକୁ ଫେରିଯିବାକୁ ବାଧ୍ୟ ହୋଇଛି।
image source--new-indian-expressସୂଚନା ଅନୁସାରେ ଅପରାହ୍ନ ସାଢ଼େ ୩ଟାରେ ଏହି ବିମାନ ଝାରସୁଗୁଡ଼ାରେ ଅବତରଣ କରିବାର ଥିଲା। ମାତ୍ର ପାଗ ଖରାପ ଥିବା ଯୋଗୁଁ ବିମାନବନ୍ଦର ଦୃଶ୍ୟମାନ ହୋଇ ନ ଥିଲା ଫଳରେ ଝାରସୁଗୁଡ଼ା ଆକାଶରେ କିଛି ସମୟ ବିମାଟି ଚକ୍କର କାଟିବା ପରେ ପୁଣି ପାଇଲଟ ତାକୁ ଦିଲ୍ଲୀ ଫେରାଇ ନେବାକୁ ବାଧ୍ୟ ହୋଇଥିଲେ। ଏହି ବିମାନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନ ତଥା ଛତିଶଗଡ଼ ଅଞ୍ଚଳକୁ ଆସୁଥିବା ଯାତ୍ରୀ ନିରାଶ ହେବା ସହିତ ଗୁରୁତର ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାଯାଇଛି। ତେବେ ଛୋଟ ବିମାନ ଏଆରଟି-୭୨ ଓ କ୍ୟୁ-୪୦୦ ଏଠାରେ ଅବତରଣ କରିବାରେ ସେତିକି ଅସୁବିଧାର ସମ୍ମୁଖୀନ ହେଉନଥିବା ବିମାନ ବନ୍ଦର ପକ୍ଷରୁ କୁହାଯାଇଛି।
ଆଜି ପାଗ ଖରାପ ସତ୍ତ୍ୱେ କଲିକତାରୁ ବିମାନ ଆସିଥିବା ବେଳେ ହାଇଦ୍ରାବାଦ ଓ ଭୁବନେଶ୍ୱରକୁ ବିମାନ ଯାତ୍ରା କରିଛି। ତେବେ ସନ୍ଧ୍ୟାରେ ଭୁବନେଶ୍ୱରରୁ ଆସି କୋଲକାତା ଯାଉଥିବା ବିମାନ ରାତ୍ର ୯ଟା ପର୍ଯ୍ୟନ୍ତ ପହଞ୍ଚି ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।
Follow Us