ପାରାଦୀପରେ ପାଦ ଥାପିବ ଏସାର ମିନମେଟ୍ ଲିମିଟେଡ୍: ୩,୫୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଗ୍ରିନଫିଲ୍ଡ ପେଲେଟ୍ ପ୍ଲାଣ୍ଟ

Advertisment
ପାରାଦୀପରେ ପାଦ ଥାପିବ ଏସାର ମିନମେଟ୍ ଲିମିଟେଡ୍: ୩,୫୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଗ୍ରିନଫିଲ୍ଡ ପେଲେଟ୍ ପ୍ଲାଣ୍ଟ

Sambad

ଜଗତସିଂହପୁର: ପାରାଦୀପରେ ପୁଣି ଏକ ନୂଆ ଶିଳ୍ପ ସଂସ୍ଥା ଏସାର ମିନମେଟ୍ ଲିମିଟେଡ୍ ପାଦ ଥାପିବାକୁ ଯାଉଛି। ଏ ନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପାରାଦୀପ ସ୍ଥିତ ପୌରପାଳିକା କଲ୍ୟାଣ ମଣ୍ଡପରେ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଜନଶୁଣାଣିରେ ମୋଟ୍ ୨୪ ଜଣ ଭାଗ ନେଇ ନିଜ ମତାମତ ରଖିଥି‌ଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ କମ୍ପାନିକୁ ସମର୍ଥନ କରିଥିବା ବେଳେ ଅଞ୍ଚଳର ବିକାଶ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ବିଶେଷ କରି ପ୍ଲାଣ୍ଟ ହେବାକୁ ଥିବା ନିକଟବର୍ତ୍ତୀ ବସ୍ତିର ପାରିପାର୍ଶ୍ବିକ ଅବସ୍ଥା ସୁଧାରିବା ଓ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ଦିଗରେ ଏହି କମ୍ପାନି କାର୍ଯ୍ୟ କରୁ ବୋଲି ସେମାନେ ଦାବି କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁ ଚରଣ ଧୀରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜନ ଶୁଣାଣିରେ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଦିଲୀପ ଦାସ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଜନଶୁଣାଣି‌ରେ ପ୍ରାୟ ୬୦ ଜଣ ଉପସ୍ଥିତ ଥିବା ବେଳେ ୨୪ ଜଣ ସେମାନଙ୍କ ମତ ରଖିଥିଲେ। ସେମାନଙ୍କ ମଧ୍ୟରୁ ୟୁଥ୍ ଫେଡେରେସନ୍‌ ସଂପାଦକ ବିକାଶ ସାହୁ, ବାଲିଝରା ବସ୍ତି କମିଟି ସଦସ୍ୟ, ବିଜୟଚନ୍ଦ୍ରପୁର ରତ୍ନାକର ଜେନା, ବିଶିଷ୍ଟ ଶିଳ୍ପପତି ଅନ୍ତର୍ଯ୍ୟାମୀ ପଟ୍ଟନାୟକଙ୍କ ସମେତ ଅଧିକାଂଶ ଏହି ପ୍ରକଳ୍ପକୁ ସ୍ବାଗତ କରିଥିଲେ। ମାତ୍ର ଏହି ଅଞ୍ଚଳରେ ଥିବା ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ କମ୍ପାନିକୁ ଜିଲ୍ଲା ପ୍ରଶାସନ ଜରିଆରେ ନିବେଦନ କରିଥିଲେ।

ବିଶେଷ କରି ବାଲିଝରା ଓ ବାଉରିଆପାଳନ୍ଦା ବସ୍ତିରେ ଥିବା ମୌଳିକ ସମସ୍ୟା ପିଇବା ପାଣି, ରାସ୍ତା ଆଦି ଉନ୍ନତିକରଣ ନିହାତି ଆବଶ୍ୟକ ବୋଲି ସେମାନେ ମତ ରଖିଥିଲେ। ମାତ୍ର ପରିବେଶବିତ୍ ଡ.ଅୟସକାନ୍ତ ରାୟ, ବାଉରିଆପାଳନ୍ଦାର ଜ୍ୟୋତିଷ ଦାସ, ସାହରପେଣ୍ଠ ମତ୍ସ୍ୟଡିଆ ସୁରକ୍ଷା ସମିତିର ସଦସ୍ୟ ହରେକୃଷ୍ଣ ମାଝୀ, ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଷ୍ଣୁ ଚରଣ ସ୍ବାଇଁ ପ୍ରମୁଖ କମ୍ପାନିକୁ ସିଧାସଳଖ ବିରୋଧ କରିଥିଲେ। କମ୍ପାନି ହେବା ପୂର୍ବରୁ ସମସ୍ତେ ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି। କମ୍ପାନି ପ୍ରତିଷ୍ଠା ହେବା ପରେ କେହି ଆଉ ପଚରାନ୍ତି ନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ। ପ୍ରକାଶ ଥାଉ କି, ଏସାର ମିନିମେଟ୍ ଲିମିଟେଡ୍ ବାର୍ଷିକ ୧୪ ମିଲିଅନ ମେଟ୍ରିକ ଟ୍ରନ୍ କ୍ଷମତା ବିଶିଷ୍ଟ ଗ୍ରିନଫିଲ୍ଡ୍ ପେଲେଟ୍ ପ୍ଲାଣ୍ଟ ପାରାଦୀପ ନିକଟରେ ସ୍ଥାପନ କରିବ। ଏଥିପାଇଁ ୩,୫୮୩ କୋଟି ଟଙ୍କା ବ୍ୟୟ କରାଯିବ। ଏହି ପ୍ରସ୍ତାବିତ ପ୍ରକଳ୍ପରେ ବାର୍ଷିକ ମୋଟ୍ ୧୪ ମିଲିଅନ ମେଟ୍ରିକ୍ ଟନ୍ ବ୍ଲାଷ୍ଟ ଫର୍ଣ୍ଣେସ୍ ଏବଂ ଡାଇରେକ୍ଟ ରିଡକ୍ସନ୍ ଗ୍ରେଡ୍ ପେଲେଟ୍ ଉତ୍ପାଦନ ପାଇଁ ଯୋଜନା ରହିଛି। ଏହି ପ୍ରକଳ୍ପ ୪୦/୪୯ ହେକ୍ଟର ଜାଗାରେ ସ୍ଥାପନ ହେବ। କମ୍ପାନିର ଉତ୍ପାଦନ ନିମନ୍ତେ ଆବଶ୍ୟକ ହେଉଥିବା କଞ୍ଚାମାଲ୍ ଦେଶ ଓ ବିଦେଶରୁ ଆମଦାନୀ କରାଯିବ। ଲୁହାପଥର କନସେଣ୍ଟ୍ରେଟ୍ ସ୍ଲରି ପାଇପଲାଇନ ଜରିଆରେ ସମୁଦ୍ର ବା ସଡ଼କ ପଥରେ ଅଣାଯିବ। ପରିବେଶ ଓ ସମସ୍ତ ପ୍ରକାର ପ୍ରଦୂଷଣକୁ ଯେପରି ରୋକି ହେବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe