ଉପାନ୍ତ ଅଞ୍ଚଳରେ ୧୦ ମହିଳାଙ୍କୁ ବଞ୍ଚିବାର ରାହା ଯୋଗାଇଛନ୍ତି ଶ୍ରୀମତୀ: ଘରକୁଘର ବୁଲି ବିକ୍ରି କରୁଛନ୍ତି ପ୍ରସ୍ତୁତ ସାମଗ୍ରୀ 

ଉପାନ୍ତ ଅଞ୍ଚଳରେ ୧୦ ମହିଳାଙ୍କୁ ବଞ୍ଚିବାର ରାହା ଯୋଗାଇଛନ୍ତି ଶ୍ରୀମତୀ: ଘରକୁଘର ବୁଲି ବିକ୍ରି କରୁଛନ୍ତି ପ୍ରସ୍ତୁତ ସାମଗ୍ରୀ 

ନୂଆଗଡ଼: ପାଖରେ ଦୋକାନବଜାର କିଛି ନାହିଁ। ୭ରୁ ୮ କିଲୋମିଟର ଦୂରକୁ ଗଲେ ପଡ଼ିବ ଛୋଟ ବଜାର। ଗ୍ରାମ ନିକଟରେ ବଜାର ସୁବିଧା ନଥିବାରୁ ଲୋକଙ୍କୁ ନା’ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଖରେ କିଣିବାକୁ ମିଳୁଛି, ନା’ ସେମାନଙ୍କ କୃଷିଜାତ ଓ ଜଙ୍ଗଲଜାତ ସାମଗ୍ରୀ ବିକ୍ରି କରି କିଛି ରୋଜଗାର କରି ହେଉଛି। ବ୍ଲକ କାର୍ଯ୍ୟାଳୟର ଦୂରତା ୩୮ କିଲୋମିଟର ହୋଇଥିବା ବେଳେ ପାଖରେ ଥିବା ରାମଗିରି ଗ୍ରାମର ବଜାରରୁ ସଉଦା କିଣିବାକୁ ମିଳୁଛି। ହେଲେ ଏସବୁ ସମସ୍ୟା ଦେଖିଆସୁଥିବା ୧୯ ବର୍ଷର ଯୁବତୀଙ୍କ ମନରେ କିଛି କରିବାର ଭାବନା ସୃଷ୍ଟି ହୋଇଥିଲା। ଗ୍ରାମ ଲୋକଙ୍କ ପାଖରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପହଞ୍ଚାଇବା ସହ ରୋଜଗାର କରିବାର ଚିନ୍ତା କରି ଏକ ସ୍ବୟଂ ସହାୟକ ଦଳ ଗଢ଼ି ନିଜେ ରୋଜଗାର କରିବା ସହ ଗ୍ରାମର ଅନ୍ୟ ୧୦ ମହିଳାଙ୍କୁ ରୋଜଗାର ପନ୍ଥା ଯୋଗାଇଛନ୍ତି।

ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଟାଙ୍ଗିଲି ଗ୍ରାମ ପଞ୍ଚାୟତର ଏକ ଉପାନ୍ତ ଗ୍ରାମର ଲଫ୍ଲଲାଙ୍ଗର  ଶ୍ରୀମତୀ ବଡ଼ରଇତ ଏବେ ଫିନାଇଲ, ଛତୁଚାଷ, ମାଣ୍ଡିଆରେ ତିଆରି ଛତୁଆ, ମାଣ୍ଡିଆଚୁନା, ମାଣ୍ଡିଆ ଲଡୁ ଓ  ହଳଦୀଗୁଣ୍ଡ ତିଆରି କରି ଘରକୁ ଘର ବୁଲି ବିକ୍ରି କରି ବେଶ ଲାଭବାନ ହୋଇପାରିଛନ୍ତି। ଏପରିକି  ଶ୍ରୀମତୀଙ୍କ ସହ ଅନ୍ୟ ୧୦ଜଣ ମହିଳା ମଧ୍ୟ ସ୍ବାବଲମ୍ବୀ ହେବା ସହ  ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।

ଯୁକ୍ତଦୁଇ ଯାଏ ପାଠ ପଢ଼ିଥିବା ଶ୍ରୀମତୀ  ଅର୍ଥାଭାବ ଯୋଗୁଁ  ଆଗକୁ ଆଉ ପଢ଼ିପାରିନଥିଲେ । ପରିବାରର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ଥିଲା। ଆଉ ଶ୍ରୀମତୀଙ୍କ ବାପାମା’ କୁଲି କରି ଘର ଚଳାଉଥିବା ବେଳେ ପରିବାର ଚଳାଇବା ଏବଂ ସେମାନଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା।  ଶ୍ରୀମତୀଙ୍କ ପାଠପଢ଼ାରେ ଡ଼ୋରି ବନ୍ଧା ହୋଇଥିବା ବେଳେ ଅନ୍ୟ ଛୋଟଭାଇମାନଙ୍କ ପାଠପଢ଼ା ଓ ପରିବାର ଚଳିବାରେ କିପରି ବାପାମା’ଙ୍କୁ ସାହାଯ୍ୟ କରିବେ ସେ ନେଇ ଚିନ୍ତା ପ୍ରକଟ କରିଥିଲେ। ଏତିକି ବେଳେ ସେ ଗ୍ରାମର ୧୦ ଜଣ ମହିଳାଙ୍କୁ ନେଇ  ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀଙ୍କ ସାହାଯ୍ୟରେ ୨୦୧୭ ଡିସେମ୍ବରରେ ବୃନ୍ଦାବତୀ ମହିଳା ମଣ୍ଡଳ ନାମକ ଏକ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ।  ଗ୍ରୁପରେ ଥିବା ୧୧ ଜଣ ମହିଳା ମିଶି ୧ହଜାର ଟଙ୍କା ଲେଖାଏଁ ବାହାର କରି ସେହି ଟଙ୍କାରେ ଫିନାଇଲ ତିଆରି କରିବା ଆରମ୍ଭ କରିଥିଲେ। ସେହି ସମୟରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟଠାରେ ସ୍ୱଚ୍ଛ ଭାରତ ମିସନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଉପସ୍ଥିତ ଥିବା ଲୋକମାନଙ୍କୁ ଫିନାଇଲର ଉପକାରିତା ଓ ବ୍ୟବହାର ବିଷୟରେ ବୁଝାଇ ୪ ହଜାର ଟଙ୍କାରେ ଫିନାଇଲ ବିକ୍ରି କରିଥିଲେ।

ବାସ ଏଥିରୁ ଶ୍ରୀମତୀଙ୍କର ମନୋବଳ ବଢ଼ିଯାଇଥିଲା।  ପ୍ରତିଦିନ ଏକ ଶହରୁ ଊର୍ଦ୍ଧ୍ବ ଫିନାଇଲ ବଟଲ ତିଆରି କରି ସ୍ଥାନୀୟ ଅଞ୍ଚଳରେ ଘରକୁ ଘର ବୁଲି  ବିକ୍ରି କରି ଲାଭବାନ ହୋଇଥିଲେ। ଏହିପରି ଶ୍ରୀମତୀଙ୍କ ସହ ଅନ୍ୟ ଦଶଜଣ ମହିଳା ମଧ୍ୟ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଏହି ଗୋଷ୍ଠୀ ପ୍ରତିଦିନ ୪ ରୁ ୫ ହଜାର ଟଙ୍କାର ଫିନାଇଲ୍ ତିଆରି କରିପାରୁଛନ୍ତି।  ହେଲେ ପାଖରେ ବଜାର ସୁବିଧା ନଥିବାରୁ କେବଳ ଘରକୁ ଘର ବୁଲି ଯାହା ବିକ୍ରି କରୁଛନ୍ତି। ନଚେତ ପ୍ରଶାସନ ପକ୍ଷରୁ ବାର୍ଷିକ ମେଳାରେ ବିକ୍ରି କରୁଛନ୍ତି।  ଘରକୁ ଘର ବୁଲିଲେ ମାସିକ ମାତ୍ର  ୧୫ ରୁ ୨୦ ହଜାର ଟଙ୍କାର ଉତ୍ପାଦିତ ସାମଗ୍ରୀ  ବିକ୍ରି ହୋଇଥାଏ ବୋଲି ଶ୍ରୀମତୀ ଏବଂ ତାଙ୍କ ସହଯୋଗୀ କହିଛନ୍ତି। ଦୋକାନ ବଜାର ଏବଂ ଗମନାଗମନର ଅସୁବିଧା ହେତୁ ଯେଉଁ ପରିମାଣରେ ବିକ୍ରି ହେବା କଥା ତାହା ହୋଇପାରୁନାହିଁ ବୋଲି ଶ୍ରୀମତୀ ପ୍ରକାଶ କରିଛନ୍ତି। ସରକାରଙ୍କ ତରଫରୁ ବଜାର ସୁବିଧା ମିଳିଲେ ଉତ୍ପାଦିତ ଫିନାଇଲ ଓ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟସାମଗ୍ରୀ  ବିକ୍ରି ହେବା ସହ ରୋଜଗାର ବୃଦ୍ଧି ହୋଇପାରନ୍ତା ବୋଲି ଶ୍ରୀମତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe