Times of India
ଦଶରଥପୁର: ମଙ୍ଗଳପୁର ବଜାରରୁ ଗତ ୪ ଦିନ ଭିତରେ ୪ଟି ଦୋକାନରୁ ଚୋରି ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ମଙ୍ଗଳପୁର ହାଟ ମଧ୍ୟରେ ଥିବା ଏକ ପରିବା ଦୋକାନର କବାଟ ଭାଙ୍ଗି ବାକ୍ସରୁ ୨୦ ହଜାର ଟଙ୍କା ଚୋରି ହୋଇଥିଲା। ସେହିପରି ବଜରାପାଟ ଗ୍ରାମର ତ୍ରିଲୋଚନ ଧଳଙ୍କ ଦୋକାନରୁ ଚୋରି ହୋଇଥିବାବେଳେ ଗୁରୁବାର ବିଳମ୍ବିତ ରାତିରେ ହାଟ ସାମ୍ନାରେ ଥିବା ମଙ୍ଗଳପୁର ଗ୍ରାମର ଜିତେନ୍ଦ୍ର ନାୟକଙ୍କ ଭେରାଇଟି ଷ୍ଟୋରରୁ ପ୍ରାୟ ୫୦ ହଜାର ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା। ଗତ ମଙ୍ଗଳବାର ବିଳମ୍ବିତ ରାତିରେ କନିକାପଡ଼ା ପଞ୍ଚାୟତ ଓଳସାହି ଗ୍ରାମର ଚିତ୍ତରଂଜନ ବାରିକ(ବାଲା)ଙ୍କ ସେଲୁନରୁ ନଗଦ ୧୭ ହଜାର ଟଙ୍କା ଚୋରି ହୋଇଥିଲା। ସ୍ଥାନୀୟ ନାଲମଲିକପାଟଣା ଗ୍ରାମର ସୁରେନ୍ଦ୍ର ସାହୁଙ୍କ ସୁନା ମରାମତି ଦୋକାନରୁ ଏକ ସୁନା ମୁଦି ମଧ୍ୟ ଚୋରି ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏହି ଦୁଇ ଦୋକାନର ଆଜବେଷ୍ଟସ ଭାଙ୍ଗି ଭିତରେ ପଶି ଚୋରି କରିଥିଲେ।
ସୂଚନାଥାଉକି ପୁଲିସ ପ୍ରତ୍ୟେକ ଦିନ ରାତିରେ ପାଟ୍ରୋଲିଂ କରିବା ସହିତ ମଙ୍ଗଳପୁର ବଜାର କମିଟି ପକ୍ଷରୁ ମଧ୍ୟ ଜଣେ ରାତ୍ର ଜଗୁଆଳ ପିଲାଙ୍କୁ ରଖାଯାଇଛି। ଏହାସତ୍ତ୍ବେ ବାରମ୍ବାର ଚୋରି ହେବା ଘଟଣା ମଙ୍ଗଳପୁର ଥାନା ପୁଲିସ ପାଇଁ ବଡ଼ ଆହ୍ବାନ ହୋଇଛି। ଏକବର୍ଷ ମଧ୍ୟରେ ମଙ୍ଗଳପୁର ବଜାରରୁ ପ୍ରାୟ ୨୦ରୁ ଅଧିକ ଦୋକାନରୁ ଚୋରି ହୋଇଥିବା ସୂଚନା ରହିଛି।
Follow Us