ଚନ୍ଦ୍ରଚୂଡ଼େଶ୍ବର ମନ୍ଦିରରୁ ଚୋରି: ମା’ ଦକ୍ଷିଣ କାଳୀଙ୍କ ସୁନା ଆଖି ତାଡ଼ିନେଲେ, ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ

Advertisment
ଚନ୍ଦ୍ରଚୂଡ଼େଶ୍ବର ମନ୍ଦିରରୁ ଚୋରି: ମା’ ଦକ୍ଷିଣ କାଳୀଙ୍କ ସୁନା ଆଖି ତାଡ଼ିନେଲେ, ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ

ବ୍ରହ୍ମପୁର: ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ଖଜୁରିଆ ବାଇପାସ୍ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଚନ୍ଦ୍ରଚୂଡ଼େଶ୍ବର ମନ୍ଦିରରୁ ବଡ଼ ଧରଣର ଚୋରି ହୋଇଛି। ଚୋରମାନେ ମନ୍ଦିର ପୂଜାରୀ ଓ କର୍ମଚାରୀଙ୍କୁ କବାଟ ବାହାର ପଟୁ ଗେଡ଼ା ଦେଇ ମା’ ଦକ୍ଷିଣ କାଳୀଙ୍କ ସମସ୍ତ ଆଭୂଷଣ ଚୋରି କରି ନେଇଛନ୍ତି। ଗୋସାଇଁ ନୂଆଗାଁ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ଯାଞ୍ଚ ପରେ ମା’ଙ୍କ ୩ଟି ସୁନା ଆଖି, ରୁପା ମୁକୁଟ, ହାର, ଚୁଡ଼ି ଓ ପାଉଁଜି ଗାୟବ ଥିବା ଜଣାପଡ଼ିଛି। ମନ୍ଦିର ପରିସରରେ ସିସି କ୍ୟାମେରା ଲାଗିଛି। ହେଲେ ମା’ ଦକ୍ଷିଣ କାଳୀଙ୍କ ମନ୍ଦିର ରାସ୍ତାପଟେ ଲାଗିଥିବା କ୍ୟାମେରା ଅଚଳ ହୋଇ ପଡ଼ିଛି। ତେଣୁ ସିସି କ୍ୟାମେରାରେ କୌଣସି ଫୁଟେଜ୍ କଏଦ ହୋଇ ନାହିଁ।

କୋଡିଭ୍ କଟକଣା ପାଇଁ ସମସ୍ତ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ଚନ୍ଦ୍ରଚୂଡ଼େଶ୍ବର ମନ୍ଦିର ମଧ୍ୟ ବନ୍ଦ ରହିଥିଲା। ଗତକାଲି ରାତିରେ ମନ୍ଦିର ପୂଜାରୀ କମଳଲୋଚନ ବୁଡ଼ୁ ଭଣ୍ଡାର ଘରେ ଶୋଇଥିଲେ। ଅନ୍ୟ ୪ଜଣ କର୍ମଚାରୀ ମନ୍ଦିର ପରିସରରେ ଥିବା ଅନ୍ୟ ଏକ ଘରେ ଶୋଇଥିଲେ। ଆଜି ଭୋର୍ରେ ପୂଜା ପାଇଁ ଅନ୍ୟ ପୂଜାରୀ ନୀଳମାଧବ ବୁଡ଼ୁ ଓ ରମେଶ ପଣ୍ଡା ମନ୍ଦିରରେ ପହଞ୍ଚିଥିଲେ। ପୂଜାରୀ କମଳଲୋଚନ ଶୋଇଥିବା କୋଠରି ବାହାର ପଟୁ ବନ୍ଦ ଥିବା ବେଳେ ସେ କବାଟ ବାଡ଼େଇ ଡାକୁଥିବା ସେମାନେ ଶୁଣିବାକୁ ପାଇଥିଲେ। କମଳଲୋଚନଙ୍କୁ ଉଦ୍ଧାର କରିବା ପରେ ଅନ୍ୟ କୋଠାରି ଥିବା ୪ଜଣ କର୍ମଚାରୀଙ୍କ କବାଟ ଖୋଲି ସେମାନଙ୍କୁ ମଧ୍ୟ ଉଦ୍ଧାର କରିଥିଲେ।

publive-image

ମନ୍ଦିରରେ କିଛି ଅଘନଟ ଘଟିଥିବା ସନ୍ଦେହ କରି ଯାଞ୍ଚ କରିବା ପରେ ମା’ ଦକ୍ଷିଣ କାଳୀଙ୍କ ମନ୍ଦିର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ମା’ଙ୍କ ପ୍ରତିମୂର୍ତ୍ତିରେ କୌଣସି ଆଭୂଷଣ ନଥିଲା। ଚୋରି ହୋଇଥିବା ସନ୍ଦେହ କରି ପୂଜାରୀମାନେ ତୁରନ୍ତ ମନ୍ଦିର ପରିଚାଳନା କମିଟିକୁ ଖବର କରିଥିଲେ। କମିଟି କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚିଥିଲେ। ଗତରାତି କିଛି ଚୋର ମନ୍ଦିରରେ ପଶି ମା’ଙ୍କ ଅଳଙ୍କାର ଚୋରି କରିଥିବା ସେମାନେ ସନ୍ଦେହ ପ୍ରକାଶ କରିଥିଲେ। ଚୋରମାନେ ମା’ଙ୍କ ୩ଟି ସୁନା ଆଖି ତାଡ଼ି ନେଇଥିବା ବେଳେ ଅନ୍ୟ ସମସ୍ତ ଅଳଙ୍କାର ନେଇ ଯାଇଛନ୍ତି। ଅଳଙ୍କାର ରଖିବା ପାଇଁ ଥିବା ବକ୍ସଟି ମନ୍ଦିର ନିକଟରେ ପଡ଼ିଥିବା ବେଳେ ତାହା ସାଇଣ୍ଟିଫିକ୍ ଟିମ୍ ଜବତ କରିଛି।

ଗତରାତି ବର୍ଷା ଜାରି ରହିଥିଲା। ଏହାର ସୁଯୋଗ ନେଇ ଚୋରମାନେ ମନ୍ଦିରରେ ପଶି ପୂଜାରୀ ଓ ଅନ୍ୟ କର୍ମଚାରୀଙ୍କୁ ବାହାରପଟୁ ଗେଡ଼ା ଦେଇ ଏଭଳି ଚୋରି କରିଥିବା ପୁଲିସ ଅନୁମାନ କରୁଛି। ମନ୍ଦିରର ଅନ୍ୟସ୍ଥାନରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରାଯାଇଛି। ହେଲେ ପୁଲିସକୁ ଚୋରଙ୍କ କୌଣସି ଫୁଟେଜ୍ ମିଳି ନାହିଁ। ଏ ଦିଗରେ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe