୨୪ ମାଙ୍କଡ଼ା ଖଣିରେ ମାଫିଆରାଜ: ଶୋଇଛି ରାଜସ୍ବ ବିଭାଗ, ଚେଇଁଲା ବନ ବିଭାଗ

Advertisment
୨୪ ମାଙ୍କଡ଼ା ଖଣିରେ ମାଫିଆରାଜ: ଶୋଇଛି ରାଜସ୍ବ ବିଭାଗ, ଚେଇଁଲା ବନ ବିଭାଗ

ବାଲିବୋ: ୨୪ ମାଙ୍କଡ଼ା ଖଣିରେ ମାଫିଆରାଜ୍‌। ଲୁଟି ଚାଲିଛନ୍ତି ଖଣି ଖାଦାନ। ଏ ସମ୍ପର୍କିତ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପାଇଲା ପରେ ଚେଇଁ ଉଠିଛି ବନ ବିଭାଗ। ଭୁବନ ବ୍ଲକ ବାଲିବୋ ଇଲାକାରେ ଭୁବନ ରେଞ୍ଜ୍‌ କାର୍ଯ୍ୟାଳୟ ପୋଷ୍ଟର ଏବଂ ଫଳକ ଝୁଲାଇଛି। ‘ଏହା ହେଉଛି ବାଲିବୋ ସଂରକ୍ଷିତ ଜଙ୍ଗଲ, ଏଠି ଖଣି ଖାଦାନ କରିବା ମନା’ ବୋଲି ବନ ବିଭାଗ ନିଜର ପୋଷ୍ଟରରେ ଲୋକଙ୍କ ସଚେତନ କରାଯାଇଛି। କେବଳ ସେତିକି ନୁହେଁ, ଏ ଦିଗରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ମଧ୍ୟ କଡ଼ା ପଦକ୍ଷେପ ପାଇଁ ଆଗଭର ହୋଇଛନ୍ତି।

ଏ ସଂରକ୍ଷିତ ଜଙ୍ଗଲରେ ଯଦି କେହି ବେଆଇନ୍‌ ଭାବେ ପଥର ଖନନ କରୁଥାଏ, ତେବେ ନିଶ୍ଚିତ ଭାବେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗୀନେମୀ ‘ସମ୍ବାଦ’କୁ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପକ୍ଷରେ ଆଜିର ଖବର ପ୍ରକାଶନ ପରେ ଭୁବନ ତହସିଲଦାର ପ୍ରଭାସ ଚନ୍ଦ୍ର ବେହୁରା ଏ ଦିଗରେ ପ୍ରତିକ୍ରିୟା ରଖିଛନ୍ତି। କୋଭିଡ୍ ପାଇଁ ବେଆଇନ୍‌ ଖଣି ଖାଦାନ ଇଲାକାରେ ୧୪୪ଧାରା ଲଗାଯାଇ ପାରିନାହିଁ। ଜୁଲାଇ ପହିଲା ପରେ ରାଜ୍ୟରୁ କୋଭିଡ୍ କଟକଣା ଉଠିଲା ପରେ ହିଁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ବେହୁରା ‘ସମ୍ବାଦ’କୁ କହିଛନ୍ତି। ଗୋଟିଏ ପଟେ ବନ ବିଭାଗ ଜମିର ସୁରକ୍ଷା ପାଇଁ ତତ୍ପରତା ଦେଖାଇଥିବା ବେଳେ ଅନ୍ୟପଟେ ତହସିଲ ବି ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଗଭର ହୋଇଛି। ଦୁଇ ଦୁଇଟା ବିଭାଗର ତତ୍ପରତା ପରେ ମାଙ୍କଡ଼ା ପଥର ଖଣି କ’ଣ ମାଫିଆଙ୍କ କବ୍‌ଜାରୁ ମୁକୁଳିବା ଆଶା ଉଜ୍ଜୀବିତ ହୋଇଥିବା ବେଳେ ବାସ୍ତବରେ ମାଙ୍କଡ଼ା ପଥର ଖନନ ଚାଲିଥିବା ଏ ଜମି କାହାର ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

publive-image

ଉଲ୍ଲେଖଯୋଗ୍ୟ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅଁଳାଝରି ଏବଂ ବାଲିବୋ ଇଲାକାରେ ଚାଲିଛି ପ୍ରାୟ ୨୪ରୁ ଅଧିକ ମାଙ୍କଡ଼ା ପଥର ଖଣି। ଏହାର ଲିଜ୍‌ ନାହିଁ। ଏହାର ସୁଯୋଗ ନେଇ ଗତ କିଛି ଦିନ ହେଲା ବେଧଡ଼କ ଏ ଖଣିରୁ ପଥର ଲୁଟ୍ ଚାଲିଛି। ମାଫିଆମାନଙ୍କର ବେଧଡ଼କ ରାଜୁତି ଚାଲୁଛି। ଯାହାକୁ ନେଇ ରାଜସ୍ବ ନିରୀକ୍ଷକ ମଧ୍ୟ ନିଜର ଅସହାୟତା ପ୍ରକାଶ କରିଥିଲେ। ମାଫିଆମାନେ ତାଙ୍କୁ ଧମକ ଦେଉଛନ୍ତି ବୋଲି କହୁଥିଲେ। ଏମିତିକି, ତହସିଲଦାର ମଧ୍ୟ ଏ ପ୍ରକାର ମାଫିଆଙ୍କର ଧମକ କଥାକୁ ସ୍ବୀକାର କରିଥିଲେ। ବେଆଇନ ପଥର ଖଣି ଉପରେ ୧୪୪ଧାରା ଲାଗିବ ବୋଲି କହି ଢିଲା ମାରିଥିଲେ। କିନ୍ତୁ, ଗତ କିଛି ଦିନ ତଳେ ବାଲିବୋ ଖଣି ଇଲାକାରେ ଢେଙ୍କାନାଳ ବନ ବିଭାଗର ନିଜର ପୋଷ୍ଟର ଝୁଲାଇବା ପରେ ଏ ଜମିର ମାଲିକାନାକୁ ନେଇ ପ୍ରଶ୍ନ ଉଠିଛି। ଭୁବନ ରେଞ୍ଜର ଅନିତା ସେଠୀ ‘ସମ୍ବାଦ’କୁ କହିଛନ୍ତି, ଆମ ଜିପିଏସ୍‌ ରିଡିଂରେ ଏ ଜମି ସଂରକ୍ଷିତ ଜଙ୍ଗଲ ବୋଲି ଜଣାପଡ଼ୁଛି।

କିନ୍ତୁ, ସେ ଇଲାକାରେ ପଥର ଖଣି କରାଯାଉଥିବା ଜାଣିବା ପରେ ଆମେ ତନାଘନା କରିଥିଲୁ। କିଛି ଲୋକ ଏହାକୁ ଆମର ପଞ୍ଜୀକୃତ ଜମି ବୋଲି ଦର୍ଶାଇଥିଲେ। କିନ୍ତୁ, ପଟ୍ଟା ଦେଖାଇ ପାରିଲେ ନାହିଁ। ତେଣୁ, ଆମେ ଏ ସଂରକ୍ଷିତ ଜମି ଉପରେ ଫଳକ ଲଗାଇ ଖଣି ଖନନ ପାଇଁ ବାରଣ କରିଛୁ। ଏ ଜମି ସମ୍ପର୍କରେ ତଥ୍ୟ ଦେବାକୁ ଆମେ ରାଜସ୍ବ ନିରୀକ୍ଷକଙ୍କୁ ଚିଠି ଲେଖିଛୁ ବୋଲି ରେଞ୍ଜର ପ୍ରକାଶ କରିଛନ୍ତି। ଅନୁରୂପ କଥା ଡିଏଫ୍ଓ ଶ୍ରୀ ଗୋଗିନେମୀ ମଧ୍ୟ ଦର୍ଶାଇଛନ୍ତି। କହିଛନ୍ତି, ଜିପିଏସ୍‌ରେ ଏ ଜମି ଜଙ୍ଗଲ ବିଭାଗର ଦର୍ଶାଉଛି ବୋଲି ସେଠାରେ ଫଳକ ଲଗାଯାଇଛି। ତେବେ ଏ ଜମିର ମାଲିକାନା ଯାହାର ହେଉ ନା କାହିଁକି, ମାଫିଆଙ୍କ କବଳରୁ ଏହାର ସୁରକ୍ଷା ନିତାନ୍ତ ଜରୁରି ବୋଲି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe