ଅଧା ପଡ଼ିଛି ପଥରପ୍ୟାକିଂ...ବର୍ଷା ପୂର୍ବରୁ ସରିବ ତ?

Advertisment

କାମ ନିମ୍ନମାନର, ପଥର ଉପରେ ପଥର ପଡ଼ୁଛି, ଅଧିକାରୀ କହିଲେ ଏମିତି ତିନି ଶହ କାମ ଅଧା ପଡ଼ିଛି

କାମ ନିମ୍ନମାନର, ପଥର ଉପରେ ପଥର ପଡ଼ୁଛି, ଅଧିକାରୀ କହିଲେ ଏମିତି ତିନି ଶହ କାମ ଅଧା ପଡ଼ିଛି

ଅଧା ପଡ଼ିଛି ପଥରପ୍ୟାକିଂ...ବର୍ଷା ପୂର୍ବରୁ ସରିବ ତ?

Sambad

ରାଜକନିକା: ନଦୀକୂଳବର୍ତ୍ତୀ ଅଞ୍ଚଳକୁ ସୁରକ୍ଷା ଦେବାକୁ ସରକାର ନଦୀ ବନ୍ଧଗୁଡ଼ିକର ମରାମତି, ପଥରପ୍ୟାକିଂ ଓ ପ୍ରଶସ୍ତିକରଣ ବାବଦକୁ କୋଟିକୋଟି ଖର୍ଚ୍ଚ କରୁଛନ୍ତି। ହେଲେ ଅସାଧୁ ଅଧିକାରୀ ଓ ଠିକାଦାରଙ୍କ ସଲାସୁତୁରାରେ ଏହି କାମରେ ଦୁର୍ନୀତି ସାଧାରଣ ଘଟଣାରେ ପରିଣତ ହୋଇଛି। ଏଭଳି ଉଦାହରଣ ଦେଖିବାକୁ ମିଳିଛି ରାଜକନିକା ଅଞ୍ଚଳରେ। ରାଜକନିକା ଜଳ ସମ୍ପଦ ବିଭାଗ ପକ୍ଷରୁ ନହୁଣୀ ପଞ୍ଚାୟତର ଉପାନ୍ତ ଗାଁ ଶୁକଦେବପୁରକୁ ବନ୍ୟା ଦାଉରୁ ସୁରକ୍ଷା ଦେବା ପାଇଁ ଏଠାରେ ଚାଲିଥିବା ପଥରପ୍ୟାକିଂ କାମରେ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ୁଛି। ଠିକାଦାର ଅଧାରୁ କାମ କରି ଛୁ’ ମାରିଥିବା ଅଭିଯୋଗ ଉଠୁଥିବା ବେଳେ ବର୍ଷା ପୂର୍ବରୁ କାମ ଶେଷ ହେବ କି ନ ହେବ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ଏ ସମ୍ପର୍କରେ ବିଭାଗୀୟ ଏସ୍‌ଡିଓ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏମିତି ତ ତିନି ଶହ କାମ ଅଧା ପଡ଼ିଥିବ। ଲୋକମାନେ କାହିଁକି ଅନ୍ୟ ଅଭିଯୋଗ କରୁ ନାହାନ୍ତି। ସୂଚନା ମୁତାବ, ବୈତରଣୀ କୂଳରେ ଥିବା ଶୁକଦେବପୁର ଗାଁ ଏକ ଉପାନ୍ତ ଗ୍ରାମ। ବର୍ଷା ଆଉ ବନ୍ୟା ସହ ଜୁଝୁଥିବା ଏହି ଗ୍ରାମର ଲୋକେ ପିଢି ପରେ ପିଢି ସମସ୍ୟାରେ ଘାଣ୍ଟି ହୋଇ ଆସୁଛନ୍ତି। ନଦୀକୂଳିଆ ଗାଁ ହୋଇଥିବାରୁ ବନ୍ୟା ଆସିଲେ ଏମାନଙ୍କ ଚିନ୍ତା ବଢେ। ଏସବୁକୁ ଦୃଷ୍ଟିରେ ରଖି ଏ ବର୍ଷ ଏହି ଗ୍ରାମକୁ ସୁରକ୍ଷା ଦେବାକୁ ବିଭାଗ ପକ୍ଷରୁ ପଥର ପ୍ୟାକିଂ କାମ ଆରମ୍ଭ ହୋଇଥିଲା। କାମ ଗତ ଜାନୁଆରିରୁ ଆରମ୍ଭ ହୋଇ ମାର୍ଚ୍ଚ‌ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରହିଥିଲା। ୫୫ ମିଟର ନଦୀ ବନ୍ଧ ପଥରପ୍ୟାକିଂ ପାଇଁ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଜାନୁଆରି ପରିବର୍ତ୍ତେ କାମ କିନ୍ତୁ ଆରମ୍ଭ ହେଲା ଫେବ୍ରୃଆରିରେ। ଫେବ୍ରୃଆରିରୁ ଆରମ୍ଭ ‌ହୋଇଥିବା କାମ ମେ’ ଅଧା ବେଳକୁ ବି ସରିବାକୁ ନାହିଁ। କାମ ଅଧା ପଡ଼ିଛି।

ପାଖାପାଖି ପଚାଷ ପ୍ରତିଶତ କାମ ବାକି ପଡ଼ିଛି। ଏପଟେ ମେ’ ‌ଶେଷ ବେଳକୁ ମୌସୁମୀ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ କାମ ଅଧା ପଡ଼ିବା ଚିନ୍ତାର ବିଷୟ ହୋଇଛି। ବର୍ଷା ପୂର୍ବରୁ କାମ କିପରି ସରିବ ସେ ନେଇ ପ୍ରଶ୍ନ ଉଠିଛି। ଖାଲି‌ସେତିକି ନୁହେଁ, କାମ ବି ଅତ୍ୟନ୍ତ ନିମ୍ନମାନର ହେଉଛି। ପଥର ଉପରେ ପଥର ପକେଇ କାମ ସାରି ଦିଆଯାଉଛି। ଠିକାଦାର କାମ କରିବାକୁ ନାଁ ଧରୁ ନାହାନ୍ତି। ବିଭାଗୀୟ ଅଧିକାରୀ ଉପସ୍ଥିତ ନ ରହିବାରୁ କାମ ନିମ୍ନମାନର ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ବ୍ୟବସ୍ଥିତ ଢଙ୍ଗରେ କାମ ହେଉନ ଥିବାରୁ ପ୍ରଥମ ବନ୍ୟାରେ ପଥରଗୁଡିକ ନଦୀ ବକ୍ଷରେ ଧୋଇ ହୋଇଯିବ। ଏହାଛଡ଼ା ବର୍ଷା ପୂର୍ବ ରୁ କାମ ନ ସାରିଲେ ପଥର ଧୋଇଯିବ। ପୁନର୍ବାର ଟେଣ୍ଡର ହୋଇ ସରକାରୀ ଟଙ୍କା ଲୁଟ କରାଯିବ ବୋଲି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆଳି ତଟବନ୍ଧ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ସରୋଜକାନ୍ତ ମିଶ୍ର କହିଛନ୍ତି ଯେ ସେ ସେହି ସ୍ଥାନକୁ ଯାଇ କାମ ଦେଖିବେ। ବର୍ଷା ପୂର୍ବରୁ କାମ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି। ଅନ୍ୟପଟେ ରାଜକନିକା ଜଳସମ୍ପଦ ବିଭାଗ ଏସଡିଓ କୁମାର ଦାସଙ୍କୁ ପଚାରିବାରୁ ‌ସେ କହିଛନ୍ତି ଯେ ଏଭଳି ୩ଶହ ଅଧାପନ୍ତରିଆ କାମ ପଡିଛି। ଲୋକେ ଅନ୍ୟ ଅଭିଯୋଗ କରୁନାହାନ୍ତି। ଏ ଅଭିଯୋଗ କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏସ୍‌ଡିଓଙ୍କ ଏଭଳି ପ୍ରତିକ୍ରିୟା ଆଶ୍ଚର୍ଯ୍ୟର ବିଷୟ ହୋଇଥିବା ବେଳେ ଏତେ କାମ କାହିଁକି ଅଧା ପଡ଼ିଛି ତାହା ତଦନ୍ତ ସାପେକ୍ଷ ‌ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe