ଦରଜୀରୁ ଜିଲ୍ଲା ପରିଷଦ ଚେୟାରମ୍ୟାନ: କିଛି ଏଭଳି ଥିଲା କୁନ୍ତୀଙ୍କ କାହାଣୀ

ଦରଜୀରୁ ଜିଲ୍ଲା ପରିଷଦ ଚେୟାରମ୍ୟାନ: କିଛି ଏଭଳି ଥିଲା କୁନ୍ତୀଙ୍କ କାହାଣୀ

ସୁନ୍ଦରଗଡ: ଦଳ ଓ ଜିଲ୍ଲାବାସୀଙ୍କୁ ଚମକାଇ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ସଭାପତି ଭାବେ ଟାଙ୍ଗରପାଲି ଜୋନ-୧୦ର ଜିଲ୍ଲା ପରିଷଦ ସଭ୍ୟା କୁନ୍ତି ପ୍ରଧାନଙ୍କ ନାମରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ। ମୁଦା ଲଫାପାରେ ନାମ ଆସିବା ପରେ ଜଣେ ମାତ୍ର ପ୍ରାର୍ଥୀ ଭାବେ କୁନ୍ତୀ ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ କୁନ୍ତୀ ନିର୍ଦ୍ବନ୍ଦ୍ବରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଅତ୍ୟନ୍ତ ଗରିବ ପରିବାରରେ ଦରଜୀ କାମ କରି ଗୁଜୁରାଣ ମେଣ୍ଟାଉଥିବା ସାଧାରଣ ମହିଳା କୁନ୍ତୀ ଜିଲ୍ଲାପରିଷଦ ସଭାପତି ହେବା ଜିଲ୍ଲା ବ୍ୟାପି ଆଲୋଡ଼ନ ସୃଷ୍ଟି କରିଛି।

ସୂଚନା ମୁତାବକ ୩୫ ଜିଲ୍ଲା ପରିଷଦ ଆସନରୁ ୩୩ ଆସନରେ ବିରୋଧୀଙ୍କୁ ଧରାଶାୟୀ କରି ବିଜେଡି ଏକପାଖିଆ ବାଜି ମାରିଥିଲା। ଏହା ପରେ ପରିଷଦ ସଭାପତି କିଏ ହେବ ତାକୁ ନେଇ ଦଳ ଓ ସାଧାରଣରେ ନାନା କଳ୍ପନାଜଳ୍ପନା ଲାଗି ରହିଥିଲା। ଅନୁସୂଚିତ ଜନଜାତିଙ୍କ ସଂରକ୍ଷିତ ଏହି ଆସନ ପାଇଁ ବିଶ୍ରା ଜିଲ୍ଲା ପରିଷଦ ସଭ୍ୟ ହାଲୁ ମୁଣ୍ଡାରୀ, କୁଆରମୁଣ୍ଡାର ରାଜେନ୍ଦ୍ର କୁଜୁର ଓ ସବଡେଗାର ମନୋଜ ବରୁଆଙ୍କ ନାମ ଚର୍ଚ୍ଚାରେ ଥିଲା। କିନ୍ତୁ ସମସ୍ତଙ୍କୁ ଚମକାଇ ବିଜେଡି ମୁଖିଆ କୁନ୍ତୀଙ୍କୁ ପ୍ରାର୍ଥୀ କରିଥିଲେ। ପୂର୍ବାହ୍ନ ୧୦ଟାରେ ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡାଇ ମୁଦା ଲଫାପା ଧରି ନିର୍ବାଚନସ୍ଥଳ ବିକାଶ ଭବନକୁ ପହଞ୍ଚିଥିଲେ। ଏହା ପରେ ପରେ ବିଜେଡିର ୩୩ ଜଣ ନିର୍ବାଚିତ ଜିଲ୍ଲାପରିଷଦ ସଭ୍ୟ ନିଜ ନିଜ ବିଜୟପତ୍ର ଧରି ନିର୍ବାଚନ କେନ୍ଦ୍ରକୁ ପଶିଥିଲେ।

ବିଜେପିର ନୂଆଗାଁ ଜିଲ୍ଲା ପରିଷଦ ସଭ୍ୟ ସଂଜିତା କିସପଟ୍ଟା ଓ କୋଇଡାର ସିପିଆଇଏମ ଜିଲ୍ଲାପରିଷଦ ସଭ୍ୟ ସୁଶୀଳା ମୁଣ୍ଡା ଅନୁପସ୍ଥିତ ଥିଲେ। ଶେଷରେ କୁନ୍ତି ପ୍ରଧାନଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ଘୋଷିତ କରାଯାଇଥିଲା। ବିଜେଡିର ବରିଷ୍ଠ ନେତା ମଙ୍ଗଳା କିସାନ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଉପପର୍ଯ୍ୟବେକ୍ଷକ ଦେବାଶିଷ ମଲ୍ଲିକ, ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଯୋଗେଶ ସିଂ, ଜିଲ୍ଲା ସଭାପତି ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିନୟ ଟପ୍ପୋ, ବରିଷ୍ଠ ନେତା ସନ୍ତୋଷ ଅମାତ, ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକଙ୍କ ସମେତ ଦଳର ବହୁ ବରିଷ୍ଠ ଯୁବ,ଛାତ୍ର କର୍ମକର୍ତ୍ତା ଓ କର୍ମୀ ନବନିର୍ବାଚିତ ସଭାପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହା ପରେ କୁନ୍ତୀ ଅନ୍ୟ ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ଯାଇ ଅନୌପଚାରିକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏହି ସମୟରେ ସେ ଭାବବିହ୍ବଳ ହୋଇ କାନ୍ଦି ପକାଉଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe