ବିଲ୍‌ ନେଇ ଠିକାଦାର ଛୁ’, ହାଇମାଷ୍ଟ୍‌ ଓ ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ, ଅବଧି ଥାଇ ହେଉନି ମରାମତି

Advertisment
ବିଲ୍‌ ନେଇ ଠିକାଦାର ଛୁ’, ହାଇମାଷ୍ଟ୍‌ ଓ ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ, ଅବଧି ଥାଇ ହେଉନି ମରାମତି

Sambad

ମାହାଙ୍ଗା: ମାହାଙ୍ଗା ବ୍ଲକ୍‌ର ଅନେକ ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ୍‌ ଓ ହାଇମାଷ୍ଟ ଲାଇଟ୍‌ ଅଚଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଏହାର ମରାମତି ଓ ରକ୍ଷଣାବେକ୍ଷଣ ଅବଧି ୫ବର୍ଷ ‌ରହିଛି। ହେଲେ, ବିଲ୍‌ ନେଇ ଛୁ’ ମାରିଥିବା ଠିକାଦାର ଏହାର ମରାମତି କରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ଛକ-ବଜାର ଅନ୍ଧାର ରହୁଥିବା ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶଥାଉ କି, ସହରାଞ୍ଚଳ ଭଳି ମାହାଙ୍ଗା ବ୍ଲକ୍‌ର ଗ୍ରାମାଞ୍ଚଳରେ ସୌନ୍ଦର୍ଯ୍ୟକରଣ ନିମନ୍ତେ ରାସ୍ତା-ଘାଟ, ଛକ-ବଜାରକୁ ଆଲୋକୀକରଣ କରାଯାଇଛି। ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମରେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ରାସ୍ତା, ଛକ, ବଜାର, ମନ୍ଦିର, ମସ୍‌ଜିଦ୍‌ ଆଦି ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ୍‌ ଓ ହାଇମାଷ୍ଟ ଲାଇଟ୍‌ ଲଗାଯାଇଛି। ଏବେ ଅନେକ ସ୍ଥାନରେ ଏହି ଲାଇଟ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି। କୁହୁଣ୍ଡା ପଞ୍ଚାୟତର କଲ୍ୟାଣପୁର ଗାନ୍ଧୀ ଛକ, ମାହାଙ୍ଗା ମେଡ଼ିକାଲ୍‌ ଛକ, କୋଳିଅଠା ହରିହର ପୀଠ ବଜାର ଛକ, କଇଥା ପଞ୍ଚାୟତର ଆନନ୍ଦବଜାର ଆଦି ସ୍ଥାନ ସମେତ ମାହାଙ୍ଗାର ବିଭିନ୍ନ ପଞ୍ଚାୟତର ଛକବଜାରରେ ଲାଗିଥିବା ଲାଇଟ୍‌ ଏବଂ ଜେଏନ୍‌ କଲେଜ ସମ୍ମୁଖରେ ଲାଗିଥିବା ୪ଟି ହାଇମାଷ୍ଟ ଲାଇଟ୍‌ରୁ ଗୋଟିଏ ଲାଇଟ୍‌ ବହୁଦିନ ହେବ ଜଳୁ ନାହିଁ। ଏ ସମ୍ପର୍କରେ ଅଞ୍ଚଳବାସୀ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ଜଣାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଫଳରେ ଜନସାଧାରଣ ଓ ପଥଚାରୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସୂଚନାଯୋଗ୍ୟ ଯେ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇ ଏଜେନ୍ସି ମାଧ୍ୟମରେ ଏହି ଲାଇଟ୍‌ଗୁଡ଼ିକ ଲଗା ଯାଇଥିଲା। ଏହାର ମରାମତି ଓ ରକ୍ଷଣାବେକ୍ଷଣ ଅବଧି ୫ ବର୍ଷ ରହିଥିଲା। ମାତ୍ର ଠିକାଦାରମାନେ ବିଲ୍‌ ନେଇ ଛୁ’ ମାରିଥିଲା ବେଳେ ଏହାର ମରାମତି କିମ୍ବା ରକ୍ଷଣାବେକ୍ଷଣ କରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଠିକାଦାରମାନେ ୫ ବର୍ଷ ନିମନ୍ତେ ଚୁକ୍ତି କରିଥିଲେ ମରାମତି ନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ନିହାରରଂଜନ ମଲିକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଉକ୍ତ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ପାଇଁ ଜିଓନ୍‌ କଂପାନିକୁ ଦାୟିତ୍ବ ଦିଆଯାଇଥିଲା। କମ୍ପାନିର ମୁଖ୍ୟ ଫୋନ୍‌ ଉଠାଉ ନାହାନ୍ତି। ଏ ନେଇ ଉପରିସ୍ଥ ଅଧିକାରୀମାନଙ୍କୁ ଅବଗତ କରାଯାଇଛି। ସେମାନେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଡିଓ ଶ୍ରୀ ମଲିକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe