ଅବ୍ୟବସ୍ଥାରେ ସହରର ଆଲୋକୀକରଣ: ପାଂଚ ହଜାର ବିଦ୍ୟୁତ ଖୁଣ୍ଟକୁ ୫ଲାଇନ୍ ମ୍ୟାନ

ଅବ୍ୟବସ୍ଥାରେ ସହରର ଆଲୋକୀକରଣ: ପାଂଚ ହଜାର ବିଦ୍ୟୁତ ଖୁଣ୍ଟକୁ ୫ଲାଇନ୍ ମ୍ୟାନ

ଜୟପୁର: ଜୟପୁର ସହରର ଆଲୋକୀକରଣ ପରିଚାଳନା ଅବ୍ୟବସ୍ଥାରେ ଚାଲିଛି। ବିଦ୍ୟୁତ ଆଲୁଅ ଖୁଣ୍ଟରେ ଜଳୁ ନଥିବା ଶହରେ ଉର୍ଦ୍ଧ୍ବ ସଂଖ୍ୟକ ଅଭିଯୋଗ ମାସକୁ ଆସୁଥିବା ବେଳେ ଏଥିରୁ ମାତ୍ର ୫୦ପ୍ରତିଶତ ବି ସଜଡ଼ା ଯାଉନି। ଏହାର ପରିଚାଳନା ଭାର ଘରୋଇ କଂପାନୀ ହାତରେ ନ୍ୟସ୍ତ ରହିଛି। କେବଳ ମାସକୁ ମାସ ଆସୁଥିବା ବିଦ୍ୟୁତ ଦେୟ କେବଳ ପୌରପାଳିକା ଟାଟା ପାୱାର ନିକଟରେ ଦାଖଲ କରୁଛି। ପୌରପାଳିକା ହାତରେ ରକ୍ଷଣାବେକ୍ଷଣ, ଦେଖାରଖା ନଥିବାରୁ କୌଣସି ଅଭିଯୋଗ ପୌରପାଳିକାକୁ ଆସିଲେ ପୌରକର୍ତ୍ତୃପକ୍ଷ ହାତ ଝାଡ଼ି ଝୁଡି ହୋଇ ଆମ ହାତରେ କିଛି ନାହିଁ, ଘରୋଇ ପରିଚାଳନା ସଂସ୍ଥା ଆମ କଥା ଶୁଣୁ ନାହିଁ ବୋଲି କହୁଥିବା ଦେଖିବାକୁ ମିଳିଛି। ଏଭଳିକି ପୌରପାଳିକା ପରିସରରେ ପରିଚାଳନା କରୁଥିବା ଇଏସଏସଏଲ୍ ସଂସ୍ଥା ଅଭିଯୋଗ ଦାଖଲ କରିବା ପାଇଁ କାର୍ଯ୍ୟାଳୟ ଖୋଳିଛି। ଅଭିଯୋଗ ଗ୍ରହଣ କରାଯାଉଛି। ତେବେ ଅଭିଯୋଗ ଗ୍ରହଣ କରିବାର ମାସ ମାସ ପରେ ବି ଅଭିଯୋଗ ଅନୁଯାୟୀ, ବିଦ୍ୟୁତ ଆଲୁଅ ଜଳିଛି କି ନାହିଁ ତାହାର କିଛି ତଦାରଖ ବି କେହି କରୁ ନାହାନ୍ତି। ବିଭିନ୍ନ ସାହି ବାସିନ୍ଦା ବାରମ୍ବାର ପୌରପାଳିକା କାର୍ଯ୍ୟାଳୟକୁ ଦୌଡି ଦୌଡ଼ି ପାଟି ତୁଣ୍ଡ କରି ଫେରୁଛନ୍ତି।

ଗତ ମାସରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ବହୁ ସାହିରେ ଆଲୁଅ ସଜଡ଼ାଯାଇନି। ଗତ ୨୦ତାରିଖ ଦିନ କେଲ୍ଲାନଗର ଅଂଚଳର ଜୈନେକ ବ୍ୟକ୍ତି ଅଭିଯୋଗ କରିଥିଲେ। ଆଜି ପୁଣି ସେ ପୌର କାର୍ଯ୍ୟାଳୟକୁ ଯାଇ ଏହି ପ୍ରକୋଷ୍ଠକୁ ଯାଇ ପାଟି ତୁଣ୍ଡ କରିବା ପରେ ଯାଇ ସଜାଡାଯାଇଥିଲା। ବାଙ୍କମଠ ସମ୍ମୁଖ, ପାରାବେଡା, ବେଲରୋଡ, ସମ୍ବାରତୋଟା, ପିଆରପେଟ୍ଟା ଆଦି ଅଂଚଳରେ ଦିନ ତମାମ ଲାଇଟ୍ ଲାଗି ରହିଥିବା ଦେଖିବାକୁ ମିଳିଛି।

ଅପରପକ୍ଷରେ ଜେଲ ରୋଡ, କାପୁ ସାହି, ଭଦ୍ରାସାହି , ନୂଆସାହି ୩ୟ ଲାଇନ, ଲିଙ୍ଗରାଜ ନଗର ଆଦି ଅଂଚଳରେ ରାତିରେ ଆଉ ଲାଇଟ୍ ଲାଗୁ ନାହିଁ। ସହରରେ ପାଂଚ ହଜାର ବିଦ୍ୟୁତ ଖୁଣ୍ଟର ସମସ୍ୟାକୁ ସଜାଡ଼ିବା ପାଇଁ ୫ଜଣ ଲାଇନ୍ମ୍ୟାନଙ୍କୁ ରଖାଯାଇଛି। ଏତେ ସଂଖ୍ୟକ ଖୁଣ୍ଟକୁ ଅଳ୍ପ ସଂଖ୍ୟକ କର୍ମଚାରୀ କାମ କରି ପାରିବେ କି ବୋଲି କର୍ମଚାରୀମାନେ ଓଲଟି ପ୍ରଶ୍ନ କରିଛନ୍ତି। ବର୍ଷା ମାସରେ ତାର ଗୁଡ଼ିକ କାର୍ବନ ହେଉଛି। ତେଣୁ ଏହାକୁ ସଜାଡ଼ିବା ସହ ପ୍ରତି ୧୦ରୁ ୧୫ଟି ଲାଇଟ୍ ପାଇଁ ଗୋଟିଏ ଲେଖାଏଁ ଏମସିବି ଲଗାଯାଇଥିଲେ ଏହି ସମସ୍ୟାର ସମାଧାନ ହୋଇ ପାରନ୍ତା ବୋଲି କହିଛନ୍ତି ସମାଜସେବୀ ସୂର୍ଯ୍ୟ ପଟ୍ଟନାୟକ। ଦିନରେ ବହୁ ଅଂଚଳରେ ଲାଇଟ୍ ଲାଗି ରହୁଥିବାରୁ ଏହି ବିଦ୍ୟୁତ ଦେୟ ପୌରପାଳିକା ଅଯଥାରେ ଦେବାକୁ ବାଧ୍ୟ ହେଉଛି। ଏଥି ପାଇଁ କିଏ ଉତ୍ତରଦାୟୀ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe