Sambad
ଗଞ୍ଜାମ: ଗଞ୍ଜାମ ସହର ସ୍ଥିତ ଏକ୍ସବୋର୍ଡ଼ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଆକ୍ରୋଶମୂଳକ ଭାବେ ଚାକିରିରୁ ନିଲମ୍ବନ କରିବା ଘଟଣାକୁ ନେଇ ଆଜି ଗୁରୁବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ନିଲମ୍ବନ ନିର୍ଦ୍ଦେଶକୁ ପ୍ରତିବାଦ କରି ଆଜି ବିଦ୍ୟାର୍ଥୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ତରଫରୁ ଗଞ୍ଜାମ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାର ଖବର ପାଇ ସେଠାକୁ କିଛି ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଜଣେ ସିଆର୍ସିସି ବାଧା ଦେଇଥିଲେ। ଏପରିକି ସିଆର୍ସିସି ଜଣଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପର୍କରେ ସାମ୍ବାଦିକଙ୍କ ତରଫରୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି। ଗତ କିଛିଦିନ ତଳେ ଗଞ୍ଜାମ ବିଇଓଙ୍କ ମନମୁଖି କାର୍ଯ୍ୟକୁ ନେଇ ପ୍ରଥମେ ଶିକ୍ଷକଶିକ୍ଷୟତ୍ରୀ ଧାରଣା ଦେଇଥିବା ବେଳେ ଆଜି ପୁଣି ଏକ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଇଓ ଅଫିସ୍ ଆଗରେ ଧାରଣାରେ ବସିଥିଲେ। ବିନା କାରଣରେ ଏକ୍ସବୋର୍ଡ଼ ନୋଡ଼ାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ନିଲମ୍ବନ କରାଯାଇଥିବା ଅଭିଯୋଗ କରି ଏହି ଧାରଣା ଦିଆଯାଇଥିଲା।
ଆସନ୍ତାକାଲି ପିଲାମାନଙ୍କ ପରୀକ୍ଷା ଥିବା ବେଳେ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ତୁରନ୍ତ ନିଲମ୍ବନ ନିର୍ଦ୍ଦେଶ ପ୍ରତ୍ୟାହାର ନକଲେ ଧାରଣାରୁ ଉଠିବୁ ନାହିଁ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଜିଦ୍ ଧରିଥିଲେ। ସ୍ଥାନୀୟ ସିଆର୍ସିସି ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ। ବିଇଓ ଆସି ଆଲୋଚନା କରନ୍ତୁ ବୋଲି ଦାବି କରିଥିଲେ। ପରିସ୍ଥିତି ଅଣାୟତ୍ତ ହେଉଥିବା ଖବର ପାଇ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ରଙ୍କ ନିର୍ଦ୍ଦେଶରେ ଏସ୍ଆଇ ସୁପ୍ରଭା ସାହୁ, ଏବିଇଓ ବିଜୟ ବେହେରା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ତିନିଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ଲିଖିତ ଭାବେ ଏବିଇଓ ବିଜୟ ବେହେରା ପ୍ରତିଶ୍ରୁତି ଦେବା ପରେ ଧରଣା ବନ୍ଦ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରତିଶ୍ରୁତି କାର୍ଯ୍ୟକାରୀ କରାନଗଲେ ସ୍କୁଲରେ ତାଲା ପକାଇବାକୁ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ତରଫରୁ ଚେତାବନୀ ଦିଆଯାଇଛି। ପ୍ରକାଶ ଥାଉ କି, ଉପରିସ୍ଥ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଦର୍ଶାଇ ପ୍ରଧାନଶିକ୍ଷକ ଶ୍ରୀ ବେହେରାଙ୍କୁ ବିଇଓ ନିଲମ୍ବନ କରିଥିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।
Follow Us