Image Courtesy of India Today
ସୁନ୍ଦରଗଡ଼ : ପଟୁଆଡିହି ସ୍କୁଲ ହଷ୍ଟେଲ ଛାତରୁ ଖସି ଦଶମ ଶ୍ରେଣୀ ଛାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟଣାକୁ ୯ ଦିନ ବିତିଗଲାଣି। ସାରା ଜିଲ୍ଲାକୁ ଆଲୋଡ଼ିତ କରିଥିବା ଏହି ମର୍ମନ୍ତୁଦ ଘଟଣାକୁ ବିଭିନ୍ନ ସଂଗଠନ ନିନ୍ଦା କରିବା ସହ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଟେଲ ଓ ଅନ୍ୟ ସମ୍ପୃକ୍ତ କର୍ମଚାରୀ, ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରି ଆସୁଛନ୍ତି। ଶୁକ୍ରବାର ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ମୃତାଙ୍କୁ ନ୍ୟାୟ ଓ ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ସ୍ବର ଉଠାଇଥିବା ବେଳେ ସିବିଆଇ ତଦନ୍ତ ଦାବି କରିଛି ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ। ଅନ୍ୟପଟେ ଘଟଣାରେ ପ୍ରଧାନଶିକ୍ଷକଙ୍କ ଯୌନ ନିର୍ଯାତନା କଥା ଚର୍ଚ୍ଚାକୁ ଆସିଥିବାରୁ ପୁଲିସ ସେ ଦିଗରେ ତଦନ୍ତକୁ ତ୍ବରାନ୍ବିତ କରି ଆବଶ୍ୟକ ପ୍ରମାଣ ଯୋଗାଡ଼ରେ ଲାଗିଛି। ଏସ୍ଥିତିରେ ମାମଲାରେ ମୁହଁ ନଖୋଲିବାକୁ ପ୍ରଧାନଶିକ୍ଷକଙ୍କୁ ସମର୍ଥନ କରୁଥିବା କିଛି ବ୍ୟକ୍ତି ଓ ସେହି ସ୍କୁଲର ଜଣେ ସହକାରୀ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି। ବିଶେଷ କରି ଘଟଣା ପରେ ପୁଲିସ ଆଗରେ ପ୍ରଧାନଶିକ୍ଷକଙ୍କ ନିର୍ଯାତନା ସମ୍ପର୍କରେ ଛାତ୍ରଛାତ୍ରୀ ବୟାନ ବା ସୂଚନା ଦେଇଥିବା ଓ ଗଣମାଧ୍ୟମ ଆଗରେ ମଧ୍ୟ ଛାତ୍ରୀଙ୍କ ପ୍ରତି ନିର୍ଯାତନା ବଢ଼ି ଯାଇଥିଲା ବୋଲି କିଛି ଛାତ୍ର ପ୍ରକାଶ କରିବା ପରେ ଉକ୍ତ ଶିକ୍ଷକ ଓ ସମର୍ଥକମାନେ ଏପରି ଚାପ ପକାଉଛନ୍ତି। ଆଗକୁ ମାଟ୍ରିକ ପରୀକ୍ଷା ଥିବାରୁ ପୁଲିସ ଝାମେଲାରେ ନ ପଡ଼ିବାକୁ ସେମାନେ କହୁଥିବା ଚର୍ଚ୍ଚା ହେଉଛି।
ଜିଲ୍ଲା ପ୍ରଶାସନ ଓ ପୁଲିସ ଏହାକୁ ଗମ୍ଭୀରତାର ସହ ନେଇ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅନ୍ୟପଟେ ଏହା ମଧ୍ୟରେ ପଟୁଆଡିହି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସ୍କୁଲରୁ ସମସ୍ତ ଦାୟିତ୍ବରୁ ଅବ୍ୟାହତି ଦେବା ସହ କୌଣସି ସ୍ଥିତିରେ ଆଗକୁ ସ୍କୁଲରେ ପୂରାଇ ନଦେବାକୁ ପ୍ରସ୍ତାବ ଗ୍ରହଣ କରିଛି। ସୂଚନାଯୋଗ୍ୟ, ଗତ ଏପ୍ରିଲ ୧ ତାରିଖ ଅପରାହ୍ନ ୨ଟା ୪୫ରେ ପଟୁଆଡିହି ହାଇସ୍କୁଲ ହଷ୍ଟେଲର ଦୁଇ ମହଲା ଛାତରୁ ଖସି ଜଣେ ଛାତ୍ରୀ ପ୍ରାଣ ହରାଇଥିଲେ। ସେତେବେଳେ ମୃତ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ନିଜ କଠୋରୀକୁ ଡାକି ବାରମ୍ବାର ଯୌନ ନିର୍ଯାତନା ଦେଇଥିବା ଓ ନିର୍ଯାତନା ସୀମା ଲଂଘିବାରୁ ଅତିଷ୍ଠ ଛାତ୍ରୀ ଜୀବନ ହାରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ୨ ତାରିଖରେ ପୁଲିସ ୧୦- ଶିଶୁ ଯୌନ ନିର୍ଯାତନା ସୁରକ୍ଷା ଆଇନ ଓ ଭାରତୀୟ ଦଣ୍ଡବିଧି ଧାରା ୫୦୩ରେ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରଧାନଶିକ୍ଷକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟ ଜାମିନ ନାମଞ୍ଜୁର କରି ତାକୁ ଜେଲକୁ ପଠାଇ ଦେଇଥିଲେ।
Follow Us