ThePleasantDream
ବେଲଗୁଣ୍ଠା/ପ୍ରତାପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ପଞ୍ଚାୟତ ଓ ବେଲଗୁଣ୍ଠା ଥାନା ଅଧୀନ ପଥରାପଲ୍ଲୀ ଗ୍ରାମରେ ସାପ କାମୁଡ଼ାରେ ଜଣେ ଛାତ୍ର ପ୍ରାଣ ହରାଇଛନ୍ତି। ମୃତକ ଜଣକ ହେଉଛନ୍ତି ରୁଦ୍ରପ୍ରସାଦ ନାୟକ। ସୂଚନାନୁସାରେ, ଗତକାଲି ଶନିବାର ରାତିରେ ରୁଦ୍ର ଓ ତାଙ୍କ ପରିବାରବର୍ଗ ଘରେ ଶୋଇଥିଲେ। ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ ତାଙ୍କ ମାଆ ଓ ଭଉଣୀ ପରିସ୍ରା ପାଇଁ ଉଠିଥିବା ବେଳେ ରୁଦ୍ରଙ୍କ ମୁଣ୍ଡ ଉପରେ ଏକ ଚିତିସାପ ଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ରୁଦ୍ରଙ୍କୁ ଉଠାଇଥିବା ବେଳେ ସାପଟି ମାଟି ଘରର ଏକ ଗାତରେ ପଶି ଯାଇଥିଲା। ଏହାପରେ ସମସ୍ତେ ମାଟି ଭର୍ତ୍ତି କରି ଶୋଇ ପଡ଼ିଥିଲେ। କିଛି ସମୟ ପରେ ରୁଦ୍ର ଉଠି ଯନ୍ତ୍ରଣାରେ ଚିତ୍କାର କରିଥିଲେ। ଚିତିସାପ ହିଁ ତାଙ୍କୁ କାମୁଡ଼ିଥିବା ଜାଣି ରୁଦ୍ରଙ୍କୁ ପରିବାରବର୍ଗ ଜଣେ କ୍ବାକ୍ଙ୍କ ପାଖକୁ ଓ ପରେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ।
ଆଜି ରବିବାର ସକାଳ ସାଢ଼େ ୯ଟାରେ ରୁଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବେଲଗୁଣ୍ଠା ଥାନା ଏସଆଇ ଅଭୟ କୁମାର ପ୍ରଧାନ ପହଞ୍ଚି ଶବକୁ ଜବତ କରିଥିବା ବେଳେ ଏନେଇ କେସ୍ ନମ୍ବର ୧୮ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତ ଦୀପକ ବେଲଗୁଣ୍ଠା କଲେଜର ଯୁକ୍ତଦୁଇ ପ୍ରଥମବର୍ଷ ଛାତ୍ର ଥିଲେ। ତାଙ୍କ ବାପା ପ୍ରମୋଦ ନାୟକ ଦୁଇବର୍ଷ ତଳେ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। ତାଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।
Follow Us