ଦିଗାପୁର ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କ ମୃତ୍ୟୁ, ତଦନ୍ତ ସହ ସହାୟତା ପ୍ରଦାନ ପାଇଁ ପରିବାରବର୍ଗଙ୍କ ଦାବି

Advertisment
ଦିଗାପୁର ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କ ମୃତ୍ୟୁ, ତଦନ୍ତ ସହ ସହାୟତା ପ୍ରଦାନ ପାଇଁ ପରିବାରବର୍ଗଙ୍କ ଦାବି

ଜୟପୁର: କୋରାପୁଟ ଜିଲ୍ଲା ‌କୁନ୍ଦୁରା ବ୍ଲକ୍ ଅନ୍ତର୍ଗତ ଦିଗାପୁର ସ୍ଥିତ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ସକାଳେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ଜଣକ ହେଲେ ସବିତା ମାଠପଡ଼ିଆ (୧୬)। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। କିନ୍ତୁ ଏହି ଘଟଣାର ସଠିକ୍ ତଦନ୍ତ କରିବା ସହ ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରିବା ପାଇଁ ପରିବାରବର୍ଗ ଦାବି କରିଛନ୍ତି।ସୂଚନା ଅନୁଯାୟୀ, ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଜି.ଭାଲୁଗୁଡ଼ା ଗ୍ରାମର କୃଷ୍ଣ ମାଠପଡ଼ିଆଙ୍କ ଝିଅ ସବିତା ମାଠପଡ଼ିଆ ଦିଗାପୁର ସେବାଶ୍ରମ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ସେ ବିଦ୍ୟାଳୟର ଛାତ୍ରୀନିବାସରେ ରହୁଥିଲେ। ଆଜି ସକାଳୁ ୯ଟା ବେଳେ ସବିତା ଗାଧୋଇ ସାରିବା ପରେ ଲୁଗା ଶୁଖାଇବା ପାଇଁ ଯାଇଥିଲେ।

ଛାତ୍ରୀନିବାସ ପରିସରରେ ଏକ ହାଇମାକ୍ସ ଲାଇଟ୍ ଲାଗିଥିବା ବେଳେ କୌଣସି କାରଣରୁ ସବିତା ସେହି ଖୁଣ୍ଟର ସଂସ୍ପର୍ଶରେ ଆସିଥିଲେ। ସବିତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ବିଦ୍ୟାଳୟର ମାଟ୍ରୋନ ସୁନୀତା ଗୌଡ଼ ମଧ୍ୟ ଆହତ ହୋଇଥିଲେ। ସବିତାକୁ ଦେଖି ଅନ୍ୟ କର୍ମଚାରୀମାନ‌େ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। ଆମ୍ବୁଲାନ୍ସ ଯୋଗେ ସବିତାକୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗିରିଜା ଖାଡ଼ଙ୍ଗା ବୈପାରିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ।

publive-image

ପରେ ପୁଲିସ ଏନେଇ ଥାନାରେ କେସ୍ ନଂ-୨୬/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଅପରପକ୍ଷରେ ଝିଅର ମୃତ୍ୟୁକୁ ନେଇ ପରିବାରବର୍ଗ ସ୍ବୀକାର କରିପାରୁନଥିବା ବେଳେ ଏହାର ସଠିକ୍ ତଦନ୍ତ ପାଇଁ ଦାବି କରିଛନ୍ତି। ଖବର ପାଇ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ଭୁଜବଳ, କୁନ୍ଦୁରା ବ୍ଲକ୍ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁଜ୍ଞାନ ଜାଲି, ଏଏସଆଇ କୃଷ୍ଣଚନ୍ଦ୍ର ସେଠୀ ସେମାନଙ୍କୁ ବୁଝାସୁଝା କରିବା ସହ ସହାୟତା ରାଶି ପ୍ରଦାନ ପାଇଁ ସରକାରଙ୍କୁ ଚିଠି ଲେଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଅନ୍ତିମ ସଂସ୍କାର ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାପରେ ଅପରାହ୍ନ ୫ଟା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ବୈପାରିଗୁଡ଼ା ଥାନା ଅଧିକାରୀ ଅଶ୍ବିନୀ କୁମାର ପଟ୍ଟନାୟକ କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସତ୍ୟତା ଜଣାପଡ଼ିବ ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ମାଟ୍ରୋନ ସୁନୀତାଙ୍କର ଚିକିତ୍ସା ପାଇଁ ଦିଗାପୁର ସ୍ଥିତ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବିଦ୍ୟାଳୟରେ ମୋଟ ୩୪୮ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ହଷ୍ଟେଲରେ ୧୨୧ ଜଣ ଛାତ୍ର ଓ ୬୮ ଜଣ ଛାତ୍ରୀ ରହୁଛନ୍ତି। ଏଭଳି ଏକ ଘଟଣା ଘଟି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି କେମିତି ଦୃ୍ଷ୍ଟି ଦେଉନାହାନ୍ତି ବୋଲି ଜନସାଧାରଣରେ ଉଦବେଗ ପ୍ରକାଶ ପାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe