ଅଷ୍ଟମ ଛାତ୍ରୀଙ୍କୁ ‌ପ୍ରେମ ନିବେଦନ ଘଟଣା, ରସିକ ଖେଳ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

Advertisment
ଅଷ୍ଟମ ଛାତ୍ରୀଙ୍କୁ ‌ପ୍ରେମ ନିବେଦନ ଘଟଣା, ରସିକ ଖେଳ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

କେନ୍ଦ୍ରାପଡ଼ା: ନିଜ ଝିଅ ବୟସର ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ। ଆଉ କେହି ନୁହେଁ, ପୀଡ଼ିତାଙ୍କ ମା ଏ ସଂକ୍ରାନ୍ତରେ ମାର୍ଶାଘାଇ ବ୍ଲକ୍ ଅଂଚଳର ଏକ ପ୍ରତିଷ୍ଠିତ ହାଇସ୍କୁଲର ଖେଳ ଶିକ୍ଷକଙ୍କ ନାଁରେ ଜିଲ୍ଲା ଶିକ୍ଷାଧିକାରୀ(ଡିଇଓ) ସଂଜୀବ ସିଂହଙ୍କୁ ଲିଖିତ ଅଭିଯୋଗ କଲେ। ଡିଇଓ ବି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ମାର୍ଶାଘାଇ ବ୍ଲକ୍ ଶିକ୍ଷାଧିକାରୀ ସ୍କୁଲ୍‌ ଯାଇ ମାମଲାର ତନାଘନା କଲେ। ବିଇଓଙ୍କ ତଦନ୍ତ ରିପୋର୍ଟ ଆଧାରରେ ଡିଇଓ ସଂପୃକ୍ତ ରସିକ ଶିକ୍ଷକଙ୍କୁ କୈଫିୟତ୍ ତଲବ କଲେ। କାହିକି ତୁମ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ, ସାତ ଦିନ ଭିତରେ ଲିଖିତ ଜଣାଇବାକୁ କହିଲେ ା ହେଲେ ଇତିମଧ୍ୟରେ ଘଟଣାକୁ ମାସେରୁ ଅଧିକ ଏବଂ ନୋଟିସ୍‌ ଜାରିକୁ ୨୦ରୁ ଅଧିକ ଦିନ ବିତିଯାଇଥିଲେ ବି ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ନିଜ ଝିଅ ବୟସର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିବାର ଲିଖିତ ଅଭିଯୋଗ ପରେ ବି ଯଦି ଶିକ୍ଷକଙ୍କ ବିରୋଧରେ ମାସେ ପରେ ବି କାର୍ଯ୍ୟାନୁଷ୍ଠାନ ହେବନି, ତଦନ୍ତ ଓ ନୋଟିସ୍‌ ଜାରିରେ ବ୍ୟବସ୍ଥା ସୀମିତ ରହିଯିବ, ତାହେଲେ ବୁଝିନେବାକୁ ପଡ଼ିବ ଯେ ଡିଇଓ କୌଣସି ନା କୌଣସି ଉପାୟରେ ରସିକ ଶିକ୍ଷକଙ୍କୁ ବୋଧହୁଏ ବଂଚାଇବାକୁ ଚେଷ୍ଟା କରୁଛନ୍ତି।

ଗୁରୁ-ଶିଷ୍ୟର ମହାନ୍ ପରମ୍ପରାରେ କଳଙ୍ଗ ଲଗାଇ ଦେଇଥିବା ଏହି ଘଟଣାରେ ଡିଇଓଙ୍କ ଏଭଳି ନରମ ଆଚରଣ ବୁଦ୍ଧିଜୀବୀ ମହଲକୁ ବିସ୍ମିତ କରି ଦେଇଛି। ଉଲ୍ଲେଖଥାଉକି, ଗତ ନଭେମ୍ବର ୨୩ତାରିଖରେ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଥିଲା।  ମାର୍ଶାଘାଇ ବ୍ଲକ୍ ଅଂଚଳର ଏକ ହାଇସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀର ପାଠ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ସେହି ସ୍କୁଲ୍‌ର ଜଣେ ଖେଳ ଶିକ୍ଷକ ବାରମ୍ବାର ପ୍ରେମ ନିବେଦନ କରିଥିଲେ। କେବଳ ସେତିକି ନ‌ୁହେଁ, ମୋବାଇଲ୍‌ ଏକାଧିକବାର ଅଶ୍ଳୀଳ ମେସେଜ୍ ପଠାଇବା ସହିତ ପ୍ରେମ କରିବାକୁ ଝିଅକୁ ବାଧ୍ୟ କରୁଥିବା ପୀଡ଼ିତାଙ୍କ ମା ଡିଇଓଙ୍କ ଉଦ୍ଦେଶ୍ୟରେ ପ୍ରଧାନ ଶିକ୍ଷକଙ୍କ ପାଖେ ଲିଖିତ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ପ୍ରଥମେ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଜିଲ୍ଳା ଶିକ୍ଷାଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ା

ବିଇଓ ଘଟଣାର ତଦନ୍ତ କରି ଡିଇଓଙ୍କୁ ଡିସେମ୍ବର ପ୍ରଥମ ସପ୍ତାହରେ ରିପୋର୍ଟ ଦେଇଥିଲେ ା ଏହି ଆଧାରରେ ଡିଇଓ ସଂପୃକ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ହେଲେ ଏହାପରେ ଶିକ୍ଷକ ନୋଟିସ୍‌ର ଉତ୍ତର ଦେଲେ କି ନାହିଁ, ତାହା ଅସ୍ପଷ୍ଟ ଥିବା ବେଳେ କାର୍ଯ୍ୟାନୁଷ୍ଠାନ କିନ୍ତୁ ଏଯାଏ ହେଲା ନାହିଁ।  ଉଦ୍‌ବେଗର ବିଷୟ ହେଉଛି, ସଂପୃକ୍ତ ରସିକ ଶିକ୍ଷକଙ୍କ ଏପ୍ରକାର ଅଭଦ୍ରାମି କୁଆଡ଼େ ନୂଆ ନୁହେଁ। ତାଙ୍କ ଝିଅ ସହିତ ଏଭଳି ହରକତ କରିବା ପୂର୍ବରୁ ମଧ୍ୟ ଦୁଇ ଛାତ୍ରୀଙ୍କୁ ଏଭଳି ହଇରାଣ କରିଥିଲେ। ସେମାନେ ଭୟରେ ସ୍କୁଲରୁ ଟିସି ନେଇ ପଳାଇଥିବା ପୀଡ଼ିତାଙ୍କ ମା’ ଡିଇଓଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଅଭିଯୋଗପତ୍ରରେ ବି ଦର୍ଶାଇଥିଲେ। ଏତେ ସବୁ ସତ୍ତ୍ବେ ଯଦି ମାମଲାର ସମ୍ବେଦନଶୀଳକୁ ହେଜି ଡିଇଓ କାର୍ଯ୍ୟାନୁଷ୍ଠାନ ଦିଗରେ ତତ୍ପରତା ଦେଖାଇବେନି, ତାହେଲେ ଧରିନେବାକୁ ପଡ଼ିବ ଯେ ସ୍କୁଲ୍‌ ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ ବି ଶିକ୍ଷକଙ୍କୁ ମାଫ୍ ! କାହିଁକି ଡିଇଓ ଏତେ ଦିନ ହେବ ଚୁପ୍ ବସିଛନ୍ତି? ସଂପୃକ୍ତ ଶିକ୍ଷକଙ୍କ ପ୍ରତି ନରମ ଆଭିମୁଖ୍ୟ ଦେଖାଇବା ପଛର କାରଣ କ’ଣ ହେଇପାରେ? ମିଳିମିଶି ଘଟଣାକୁ ଚାପିଦେବାକୁ ଷଡ଼ଯନ୍ତ୍ର ହେଇନାହିଁ ତ ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି। ଅନ୍ୟପକ୍ଷରେ ଡିଇଓ କହିଛନ୍ତି, ସଂପୃକ୍ତ ଶିକ୍ଷକ ପ୍ରଥମ ନୋଟିସ୍‌ର ଉତ୍ତର ଦେଇନାହାନ୍ତି। ଏଥିପାଇଁ ଦ୍ବିତୀୟ ନୋଟିସ୍‌ ଦିଆଯାଇଛି। ଏହାର ଉତ୍ତର ନ ମିଳିଲେ ତାଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe