ବନ୍ଦ ବିଦ୍ୟାଳୟ ଖୋଲିବାକୁ ଛାତ୍ରଛାତ୍ରୀଙ୍କ ଧାରଣା

Advertisment
ବନ୍ଦ ବିଦ୍ୟାଳୟ ଖୋଲିବାକୁ ଛାତ୍ରଛାତ୍ରୀଙ୍କ ଧାରଣା

Sambad

ଖୋର୍ଦ୍ଧା: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଖାତିର ନ କରି ଗଣଶିକ୍ଷା ବିଭାଗର ବିଦ୍ୟାଳୟ ମିଶ୍ରଣ ପଦକ୍ଷେପରେ ବନ୍ଦ ପଡ଼ିଥିବା ବିଦ୍ୟାଳୟ ପୁଣି ଖୋଲିବା ନେଇ ଜିଲ୍ଲାପାଳଙ୍କ ସାକ୍ଷାତ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ପିଣ୍ଡାରେ କୁନିକୁନି ଛାତ୍ରଛାତ୍ରୀଙ୍କ ବସିବା ଘଟଣା ଆଜି ଜିଲ୍ଲାପାଳ କାର୍ଯ୍ୟାଳୟର ଚର୍ଚ୍ଚାର ବିଷୟ ଥିଲା। ଆଜି ପୂର୍ବାହ୍ନରେ ସ୍ଥାନୀୟ ଗାଁ ଲୋକ, ଅଭିଭାବକଙ୍କ ସହ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସରପଞ୍ଚ ପ୍ରଭାତ କୁମାର ଦାସ, ଅଭିଭାବକ ନାରାୟଣ ଶତପଥୀ, ଲିଙ୍ଗରାଜ ମାର୍ଥା ପ୍ରମୁଖଙ୍କ କହିବା କଥା ହେଲା, ଯେଉଁ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା ୨୦ରୁ କମ୍ ସେହି ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟ ସହ ସମିଶ୍ରଣ କରାଯିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା। ନିଷ୍ପତ୍ତି ଅନୁସାରେ, ୨୦୧୭ରେ, ଟାଙ୍ଗୀ ବ୍ଲକ ଅଧୀନ ବଘେଇପୁଟ ପ୍ରାଥମିକ ବିଦ୍ୟାଳଟି ପ୍ରାୟ ୧ କିମି ଦୂର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ମିଶ୍ରଣ କରାଯାଇଥିଲା।

ଏହି ମିଶ୍ରଣର ୬ ବର୍ଷ ପରେ ଗାଁରେ ବିଦ୍ୟାଳୟ ଯିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ଗାଁର ୩୩ ଜଣ ପ୍ରଥମରୁ ୫ମ ଶ୍ରେଣୀର ଛାତ୍ରଛାତ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଉଛନ୍ତି। ଯଦିଓ ବିଦ୍ୟାଳୟଟି ବିଶେଷ ଦୂର ନୁହେଁ କିନ୍ତୁ ଯେଉଁ ରାସ୍ତା ଦେଇ ଯାଉଛନ୍ତି ତାହା ବଣଜଙ୍ଗଲ ରାସ୍ତା, ବର୍ଷା ସମୟରେ ରାସ୍ତାରେ ଯିବା ଆସିବା କଷ୍ଟକର ହୋଇଥାଏ। ଏହାସହ ସେହି ରାସ୍ତାଟି ହାତୀର ଚଲାପଥ ହୋଇଥିବାରୁ ନିୟମିତ ଭାବେ ହାତୀ ଭୟ ରହୁଛି। ଏହି ଦୃଷ୍ଟିରୁ ପୁଣି ବିଦ୍ୟାଳୟଟି ଖୋଲା ଯାଇଥିଲେ ଗାଁରେ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ପାଇଥାନ୍ତା ଓ ଛାତ୍ରଛାତ୍ରୀମାନେ ଉପକୃତ ହୋଇଥାନ୍ତେ। ତେବେ ଆଜି ବେଗୁନିଆରେ ପ୍ରଶାସନର ମିଳିତ ଅଭିଯୋଗ ପ୍ରକୋଷ୍ଠ ଥିବାରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନପାରି ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ସାକ୍ଷାତ କରି ନିଜର ଦାବିପତ୍ର ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe