ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ, ଚାରିଦିନ ହେଲା ହନ୍ତସନ୍ତ ହେଉଛନ୍ତି ଛାତ୍ର, ବଢ଼ୁଛି ଅସନ୍ତୋଷ

Advertisment

ଗରମ, ଗୁଳଗୁଳି ସହ ଅଂଶୁଘାତ ଭୟ ପିଇବାକୁ ପାଣି ଟୋପେ ମିଳୁନି

ଗରମ, ଗୁଳଗୁଳି ସହ ଅଂଶୁଘାତ ଭୟ ପିଇବାକୁ ପାଣି ଟୋପେ ମିଳୁନି

ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ, ଚାରିଦିନ ହେଲା ହନ୍ତସନ୍ତ ହେଉଛନ୍ତି ଛାତ୍ର, ବଢ଼ୁଛି ଅସନ୍ତୋଷ

Sambad

ନରସିଂହପୁର: ନରସିଂହପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ଚାରିଦିନ ହେଲା ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ଫଳରେ ଛାତ୍ରଛାତ୍ରୀ ଗରମ ଓ ଗୁଳଗୁଳି ଯୋଗୁଁ ହନ୍ତସନ୍ତ ହେଉଥିଲା ବେଳେ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଂଶୁଘାତର ଭୟ ଲାଗି ରହିଛି। ଏପରି କି, ବିଦ୍ୟୁତ୍‌ ମଟର୍‌ ଅଚଳ ହୋଇପଡ଼ିଥିବାରୁ ବିଦ୍ୟାଳୟରେ ପାଣି ଟୋପେ ମିଳୁନି। ଏଥିନେଇ ଛାତ୍ର ଅସନ୍ତୋଷ ବଢ଼ିବାରେ ଲାଗିଛି। ସୂଚନା ମୁତାବକ, ବକେୟା ବିଲ୍‌ ରହିଥିବା ଦର୍ଶାଇ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଚାରିଦିନ ତଳେ ନରସିଂହପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଥିଲା। ହେଲେ, ବିଦ୍ୟାଳୟ ହସ୍ତାନ୍ତର ସମୟରେ ସେମିତି କିଛି ବିଲ୍‌ ବକେୟା ଥିବା ନେଇ ଜାଣି ନାହାନ୍ତି ବୋଲି ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ନିବେଦିତା ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ନାମରେ କୌଣସି ବକେୟା ବିଦ୍ୟୁତ୍‌ ବିଲ୍‌ ନାହିଁ। ବିଦ୍ୟୁତ୍‌ ବିଭାଗ ବିନା କାରଣରେ ବିଦ୍ୟାଳୟରୁ ବିଦ୍ୟୁତ୍‌ ସଂଯୋଗ ବନ୍ଦ କରାଯାଇଛି ବୋଲି ସୁଶ୍ରୀ ଜେନା ଅଭିଯୋଗ କରିଛନ୍ତି। ଗୃହ ନିର୍ମାଣ କରିଥିବା ପ୍ରମିଳା ବିଲ୍‌ଡର୍‌ ନାମରେ ବକେୟା ଟଙ୍କା ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ବିଦ୍ୟାଳୟ ନାମରେ ନୂଆ ଟ୍ରାନ୍ସଫର୍ମର ସହ ବିଦ୍ୟୁତ୍‌ ସଂଯୋଗ ପାଇଁ ଅର୍ଥ ଜମା କରାଯାଇଛି। ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍‌ ବିଭାଗ ନୂଆ ସଂଯୋଗ ଦେଇନାହିଁ। ଏହା ପରିବର୍ତ୍ତେ ବକେୟା ଅର୍ଥ ଆଳରେ ଗତ ୨୬ ତାରିଖରୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରିଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ଘଟଣା ସମ୍ପର୍କରେ ବିଦ୍ୟୁତ୍‌ ବିଭାଗ ଅଧିକାରୀ ଓ ଶିକ୍ଷା ବିଭାଗ ଜିଲ୍ଲା ଅଧିକାରୀଙ୍କୁ ଅବଗତ କରାଯାଇଥିବା ଅଧ୍ୟକ୍ଷା ସୁଶ୍ରୀ ଜେନା କହିଛନ୍ତି। ଏ ନେଇ ନରସିଂହପୁର ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ବିଶ୍ୱଜିତ୍‌ ଦେହୁରୀ କହିଛନ୍ତି ଯେ ବିଦ୍ୟାଳୟ ନାମରେ ୨୩ ହଜାର ଟଙ୍କା ବକେୟା ବିଦ୍ୟୁତ୍‌ ବିଲ୍‌ ରହିଛି। ବହୁବାର ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ଏହି ଟଙ୍କା ଜମା କରା ନ ଯିବାରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଛି ବୋଲି ଏସ୍‌ଡିଓ ଶ୍ରୀ ଦେହୁରୀ ପ୍ରକାଶ କରିଛନ୍ତି। ଅନ୍ୟପଟେ, ଚାରିଦିନ ଧରି ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେବାରୁ ବିଦ୍ୟାର୍ଥୀମାନେ ଅଧ୍ୟୟନ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖରାର ପ୍ରକୋପ ବୃଦ୍ଧି ସହ ଗୁଳଗୁଳି ଯୋଗୁଁ ପିଲାମାନେ ଅଂଶୁଘାତରେ ପଡ଼ିବାର ଆଶଙ୍କା ରହିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏଥିସହ ଛାତ୍ରଛାତ୍ରୀଙ୍କୁ ପିଇବା ପାଣି ଟୋପେ ମିଳିବା କାଠିକର ପାଠ ହୋଇପଡ଼ିଛି। ଛାତ୍ରଛାତ୍ରୀ ବାଧ୍ୟ ହୋଇ ବଜାରରୁ ପାଣି କିଣି ପିଉଥିବା ଜଣାପଡ଼ିଛି। ସେହିପରି ପାଣି ନ ଥିବାରୁ ଶୌଚାଳୟ ବ୍ୟବହାରରେ ସେମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟରେ ହଷ୍ଟେଲ୍‌ ସୁବିଧା ନ ଥିବାରୁ ଦୂରଦୂରାନ୍ତରୁ ଛାତ୍ରଛାତ୍ରୀ ଆସି ମଧ୍ୟାହ୍ନ ସମୟରେ ଫେରୁଛନ୍ତି। ଏପରିସ୍ଥଳେ ସେମାନେ କିପରି ଅଧ୍ୟୟନ କରିବେ ସେଥିନେଇ ବିଦ୍ୟାର୍ଥୀ ଓ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି। ଏ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏହାର ସମାଧାନ କରି ବିଦ୍ୟାଳୟକୁ ବିଦ୍ୟୁତ‌୍ ସଂଯୋଗ ଦେବାକୁ ଅଞ୍ଚଳର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe