Sambad
ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ବର ପଞ୍ଚାୟତ କୁଳଗାଁଇଶାଳୋ ଗ୍ରାମର କଲେଜ ଛାତ୍ରୀ ରହସ୍ୟଜନକ ଭାବେ ଆତ୍ମହତ୍ୟା କରିବା ଘଟଣା ଭିନ୍ନ ମୋଡ଼ ନେଇଛି। ସାଙ୍ଗ ଓ ସହପାଠିନୀ ତାଙ୍କୁ ବ୍ଲାକ୍ମେଲ୍ କରୁଥିଲେ ବୋଲି ଗୁରୁତର ଅଭିଯୋଗ କରିଛନ୍ତି ମୃତା ଛାତ୍ରୀଙ୍କ ମା’ ଡଲିବାଳା ଦାଶ। ଏ ନେଇ ନିଶ୍ଚିନ୍ତକୋଇଲି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ପ୍ରକାଶଥାଉ କି, ଅସୁରେଶ୍ବର ପଞ୍ଚାୟତ କୁଳଗାଁଇଶାଳୋ ଗ୍ରାମର ମନୋରଞ୍ଜନ ଦାଶଙ୍କ ବଡ଼ ଝିଅ ମନୀଷା ଦାଶ(୧୭) ଅସୁରେଶ୍ବରସ୍ଥିତ ସୁଭଦ୍ରା ମହତାବ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ନିକଟରେ ସେ +୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ମନୀଷାଙ୍କ ବାପା ଅନ୍ୟତ୍ର ଚାକିରି କରୁଥିଲା ବେଳେ ତାଙ୍କ ବଡ଼ଭାଇ ଭୁବନେଶ୍ବରରେ ରହୁଛନ୍ତି। ଘରେ ମନୀଷା ଓ ତାଙ୍କ ମା’ ଡଲିବାଳା ରହୁଥିଲେ। ଗତ ଅଗଷ୍ଟ ୩୦ ତାରିଖ ସନ୍ଧ୍ୟାରେ ପରିବାର ଲୋକ ଘରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ମନୀଷା ନିଜ ବେକରେ ଓନି ଲଗାଇ ଆତ୍ମହତ୍ୟା କରିଥିଲେ। ମା’ ଘରକୁ ଫେରି ଝିଅ ଓନିରେ ଝୁଲୁଥିବା ଦେଖି ଗାଁ ଲୋକଙ୍କୁ ଡାକ ପକାଇଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ଡାକ୍ତରଖାନା ପକ୍ଷରୁ ନିଶ୍ଚିନ୍ତକୋଇଲି ଥାନାକୁ ସୂଚନା ଦିଅଯିବା ପରେ ଏକ ଅପମୃତ୍ୟୁ ମାମଲା (କେସ୍ ନଂ-୭/୨୨) ରୁଜୁ କରି ପୁଲିସ ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲା।
ହେଲେ, ନାବାଳିକା କଲେଜ ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ, ପାରିପାର୍ଶ୍ବିକ ଅବସ୍ଥା ଆଦିର ତଦନ୍ତ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପଟେ, ଛାତ୍ରୀଙ୍କ ମୃତ୍ୟୁର ୮ଦିନ ପରେ ମା’ ଡଲିବାଳାଙ୍କ ସମେତ ପରିବାର ସଦସ୍ୟ ଗୁରୁତର ଅଭିଯୋଗ କରିଛନ୍ତି। ନାବାଳିକା ଝିଅ ମନୀଷାକୁ ଅଣସରପୁର ଗ୍ରାମର ତା’ର ସହପାଠୀ ଏବଂ ଲଙ୍କାପଡ଼ା, ଅସୁରେଶ୍ବର, ବ୍ରଜରାଜପାଟଣା ଓ କୁଆଁଡୋଳ ଗ୍ରାମର ସହପାଠିନୀମାନେ ବ୍ଲାକ୍ମେଲ୍ କରିବାରୁ ମାନସିକ ଆଘାତ ପାଇ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲା ମା’ ଡଲିବାଳା ଗତକାଲି ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ବିଭିନ୍ନ ଦଫାରେ ମାମଲା (କେସ୍ ନଂ-୧୫୦/୨୨) ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି। ଅପରପକ୍ଷରେ ଉକ୍ତ ଘଟଣାରେ ବହୁ ଗୁଢ଼ ରହସ୍ୟ ରହିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାର ନିରପେକ୍ଷ ତଦନ୍ତ କରି ଝିଅ ମନୀଷାର ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ଲାଗି ମା’ ଡଲିବାଳା କଟକ ଗ୍ରାମାଞ୍ଚଳ ଏସ୍ପି, ଆଇଜିପି(ସିଆର୍) ଓ ଡିଜିପିଙ୍କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି। ପୁଲିସ ଉଚ୍ଚକର୍ତ୍ତୃପକ୍ଷ କିମ୍ବା କ୍ରାଇମବ୍ରାଞ୍ଚ ଦ୍ବାରା ମନୀଷାଙ୍କ ଆତ୍ମହତ୍ୟାର ତଦନ୍ତ କରାଗଲେ ବହୁ ଲୁକ୍କାୟିତ ରହସ୍ୟର ପର୍ଦ୍ଦାଫାସ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
Follow Us