ଡବଲପାହାଡ ଗାଁର ଦୁଃଖ, ପାଣି ନାହିଁ କି ସ୍କୁଲ ନାହିଁ, ପାଠ ବଦଳରେ କାଠ ବୋହୁଛନ୍ତି ପିଲା

Advertisment
ଡବଲପାହାଡ ଗାଁର ଦୁଃଖ, ପାଣି ନାହିଁ କି ସ୍କୁଲ ନାହିଁ, ପାଠ ବଦଳରେ କାଠ ବୋହୁଛନ୍ତି ପିଲା

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏଭଳି ବହୁ ଗ୍ରାମ ରହିଛି ଯେଉଁଠି ଆଜି ବି ପ୍ରଶାସନର ପାଦ ପଡିନାହିଁ।ମାଲକାନଗିରି ଜିଲ୍ଲା ମାନଚିତ୍ରରେ ଗାଁ ଗୁଡିକ ରହିଛି ସିନା ପ୍ରଶାସନ କୌଣସି ସୁବିଧା ସୁଯୋଗ ପହଞ୍ଚାଇ ପାରିନାହିଁ। ଏଭଳି ଏକ ଗାଁ ହେଉଛି ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳର ରାଲଗେଡା ପଞ୍ଚାୟତର ଡବଲପାହାଡ ଗାଁ। ଦୁଇଟି ବିଶାଳ ପାହାଡ ମଝିରେ ରହିଛି ଏହି ଗାଁ। ତେଣୁ ଏହାର ନାମ ଡବଲପାହାଡ ବୋଲି ନାମିତ ହୋଇଥିବା ଜଣାପଡିଛି। ଏହି ଗ୍ରାମରେ ପ୍ରାୟ ୪୦ରୁ  ଉର୍ଦ୍ଧ୍ବ ଗୃହ ରହିଛି। ସମସ୍ତେ ଆଦିବାସୀ ସମ୍ପ୍ରଦାୟର ଲୋକେ।

ସରକାରଙ୍କ ତରଫରୁ ଏଠାରେ ଏକ ସ୍କୁଲ ରହିଛି। କିନ୍ତୁ ଏହି ସ୍କୁଲ ଗୃହ ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସରିନାହିଁ। ତେବେ କେବେ ଠାରୁ ସ୍କୁଲ ଗୃହ ନିର୍ମାଣ ଚାଲିଛି ତାହା ଜଣାପଡି ନାହିଁ। ଗାଁ ଲୋକେ ମଧ୍ୟ ଠିକ ଭାବେ କିଛି କହି ପାରୁନାହାଁନ୍ତି। ସ୍କୁଲ ଗୃହ ନଥିବାରୁ ଶିକ୍ଷକଙ୍କ ଦେଖା ମିଳୁନାହିଁ। କାହିଁ କେବେ ଠାରୁ ଶିକ୍ଷକ ଏହି ସ୍କୁଲକୁ ଆସୁ ନାହାଁନ୍ତି ତାହା ମଧ୍ୟ ଗାଁ ଲୋକେ ଠିକ ଭାବେ କହିପାରୁ ନାହାଁନ୍ତି। ବେଶୀ ଦିନ ହେଲା ଶିକ୍ଷକ ଆସୁନଥିବା ଗାଁ ଲୋକେ କହିଥିଲେ। ପିଲାମାନେ ଅଶିକ୍ଷିତ ହୋଇ ବଣ ଜଙ୍ଗଲ ବୁଲୁଥିବା ଦେଖିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟ କରିଥିଲା ଛୋଟ ଛୋଟ ଶିଶୁ କାନ୍ଧରେ କାଠ ବିଡା ଧରି ଜଙ୍ଗଲରୁ ଫେରୁଛନ୍ତି। ଯେଉଁ କାନ୍ଧେ ବହିବସ୍ତାନୀର ବ୍ୟାଗ ରହିବା କଥା ସେହି କାନ୍ଧରେ କାଠର ବୋଝ ଦେଖିବାକୁ ମିଳିଥିଲା। ଯାହାକି ସ୍ବାଭିମାନ ଅଞ୍ଚଳରେ ଶିକ୍ଷାର ପ୍ରଚାର ପ୍ରସାର କିପରି ଚାଲିଛି ତାହା ସ୍ପଷ୍ଟ ମନେ ହେଉଛି। ଗାଁରେ ପ୍ରାୟ ୩୦ ଜଣ ପିଲା ରହୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହି ସ୍କୁଲର ଶିକ୍ଷକ ବର୍ଷବର୍ଷ ଧରି ସ୍କୁଲକୁ ନଆସି ସରକାରଙ୍କର ଦରମା କିପରି ପାଉଛନ୍ତି ତାହା ତଦନ୍ତ ସାପେକ୍ଷ। ଏଥିପାଇଁ ଏହି ପଞ୍ଚାୟତର ସିଆରସିସି ମଧ୍ୟ ଦାୟି ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି। ସ୍ବାଭିମାନ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

publive-image Sambad

ପିଲାମାନେ କେଉଁ ଶ୍ରେଣୀରେ ପାଠ ପଢନ୍ତି ଜାଣନ୍ତି ନାହିଁ। ଅ, ଆ, ୧, ୨ ଜାଣନ୍ତି ନାହିଁ। ଶିକ୍ଷା ବିଭାଗ ପକ୍ଷରୁ ଏହି ଅଞ୍ଚଳକୁ କେବେ ମଧ୍ୟ ଅଧିକାରୀମାନେ ଗସ୍ତ କରି ନଥିବାରୁ ଏଠାରେ ବିଦ୍ୟାଳୟ ଗୃହ ନିର୍ମାଣ ତ ହୋଇ ପାରୁନାହିଁ। ଏଥିସହ ସ୍କୁଲରେ ଶିକ୍ଷକ ଅନୁପସ୍ଥିତ ରହୁଥିବା ମଧ୍ୟ ବିଭାଗୀୟ ଅଧିକାରୀ ଜାଣିପାରୁଛନ୍ତି କି ନାହିଁ ତାହା ସନ୍ଦେହ ଘେରରେ। ସେହିପରି ଗ୍ରାମରେ ପାନୀୟ ଜଳର ସମସ୍ୟା ଉତ୍କଟ। ପାହାଡର ଝରଣା ପାଣିକୁ ଏକ ପାଇପ ଯୋଗେ ଗାଁକୁ ଅଣାଯାଇଛି। ଗ୍ରାମବାସୀ ଏହି ପାଣିକୁ ପିଇବା ସହ ଗାଧୋଇବା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବିନିଯୋଗ କରୁଛନ୍ତି। ଗାଁକୁ ପକ୍କା ରାସ୍ତା ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ନିର୍ମାଣ ହୋଇପାରିଲା ନାହିଁ।

ଗ୍ରାମବାସୀ ଭଗବାନଙ୍କ ଭରସାରେ ପଡି ରହିଛନ୍ତି। କେବଳ ଡବଲପାହାଡ ଗ୍ରାମ ହିଁ ନୁହେଁ ସ୍ବାଭିମାନ ଅଞ୍ଚଳର ଏଭଳି ବହୁ ଗ୍ରାମକୁ ସରକାର ଏବଂ ପ୍ରଶାସନର ପାଦ ପଡିନାହିଁ। ଯାହାଫଳରେ ଏଠାରେ ବିକାଶ ସମ୍ଭବ ହୋଇ ପାରୁନାହିଁ। ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ନିର୍ବାଚିତ ହୋଇଥିବା ବେଳେ ହୁଏତ ଆଗକୁ ଏହି ଅଞ୍ଚଳର ବିକାଶ ସମ୍ଭବ ହେବ ବୋଲି କୁହାଯାଇଛି। ପଞ୍ଚାୟତର ପିଇଓ ମାନଙ୍କ ଖାମଖିଆଲି ମନଭାବ ଯୋଗୁଁ ଗାଁ ଗୁଡିକର ବିକାଶ ହୋଇପାରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଡବଲପାହାଡ ଗ୍ରାମରେ କେବେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସମସ୍ୟା ଦୂର ହୋଇପାରିବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe