ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଅଫ୍‌ଲାଇନରେ ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ବିରୋଧ, ଅଫ୍‌ଲାଇନରେ ହେବ ସ୍ନାତକ ପରୀକ୍ଷା

Advertisment
ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଅଫ୍‌ଲାଇନରେ ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ବିରୋଧ, ଅଫ୍‌ଲାଇନରେ ହେବ ସ୍ନାତକ ପରୀକ୍ଷା

ବାରିପଦା: ରାଜ୍ୟ ସରକାର ୟୁଜି, ପିଜି ପରୀକ୍ଷା ଆରମ୍ଭ କରିବାକୁ ଘୋଷଣା କରିବା ପରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅନ୍‌ଲାଇନରେ ପରୀକ୍ଷା କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ତଦନୁଯାୟୀ ସ୍ଥାନୀୟ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟ  ଅନ୍‌ଲାଇନରେ ପରୀକ୍ଷା କରିବା ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ କରିଛି। ମାତ୍ର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି।

ମୟୂରଭଞ୍ଜ ଜିଲ୍ଲା ସହିତ ବାରିପଦା ପୌରପରିଷଦରେ କରୋନା ମହାମାରୀ ଉପରମୁହାଁ ହୋଇଥିବା ସମୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କ ସୁବିଧାକୁ ଅଣଦେଖା ପ୍ରଦର୍ଶନପୂର୍ବକ ବିଶ୍ୱବିଦ୍ୟାଳୟର ୟୁଜି ଓ ପିଜି ଆଦି ପରୀକ୍ଷାଗୁଡ଼ିକୁ ଅଫ୍‌ଲାଇନ ମାଧ୍ୟମରେ କରାଇବାର ନିଷ୍ପତ୍ତି ନେଇଛନ୍ତି । ଏହାର ପ୍ରତିବାଦରେ ବିଶ୍ୱବିଦ୍ୟାଳୟରେ ୟୁଜି ଓ ପିଜି ବିଭାଗରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଥି ସହିତ ଅଫ୍‌ଲାଇନରେ ପରୀକ୍ଷା କରାଇବାର ନିଷ୍ପତ୍ତିକୁ ପୁର୍ନବିଚାର କରିବା ନିମନ୍ତେ ଛାତ୍ରଛାତ୍ରୀ ଦାବି କରିଛନ୍ତି।

ଛାତ୍ରନେତା ମନୀଷ କୁମାର ଗିରିଙ୍କ ନେତୃତ୍ୱରେ ପିଜି ୟୁନିଟ୍‌ର ପ୍ରଦ୍ୟୁମ୍ନ ବେହେରା, ସୁଦୀପ, ହୋପନ, ଲକ୍ଷ୍ମୀପ୍ରିୟା ପ୍ରଧାନ, ସଂଯୁକ୍ତା ମହାପାତ୍ର, କବିତା ମହାପାତ୍ର, ଜୟାଶୀଲା ସିଂ, ୟୁଜି ୟୁନିଟର ଆଦିତ୍ୟ ମହାପାତ୍ର, ଅରଜିତ ମିଶ୍ର, ବିଶ୍ୱଜିତ୍‌, ଏସ କେ ଜେନା, ଅରୁଣ ସାହୁ, ପ୍ରିୟବ୍ରତ ଗିରି, ବର୍ଷାରାଣୀ ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧିମଣ୍ଡଳୀ କୁଳପତିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥି ସହିତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅଫ୍‌ଲାଇନ ପରୀକ୍ଷା କରାଇବାର ନିଷ୍ପତିରୁ ଓହରି ନ ଆସିଲେ ଆଗାମୀ ଦିନରେ ଛାତ୍ର ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବା ସହ ବିଶ୍ୱବିଦ୍ୟାଳୟର କାମକାର୍ଯ୍ୟକୁ ଅଚଳ କରାଇ ଦିଆଯିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ୨୧ରୁ ସ୍ନାତକ(ୟୁଜି) ପରୀକ୍ଷା ଅଫ୍‌ଲାଇନ ମୋଡ୍‌ରେ କରିବାର ନିଷ୍ପତି ହୋଇଛି। ଛାତ୍ରଛାତ୍ରୀଙ୍କ ଦାବିକୁ ବିଚାରକୁ ନେଇ ପିଜି ପରୀକ୍ଷା ଅନ୍‌ଲାଇନ ମୋଡ୍‌ରେ କରିବାର ଯୋଜନା ହୋଇଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ ଜଣାପଡ଼ିଛି। ତେବେ ସୋମବାର ହେବାକୁ ଥିବା ବୈଠକରେ ଏନେଇ ନିଷ୍ପତି ନିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe