ଅଧ୍ୟକ୍ଷଙ୍କୁ ଘେରିଲେ, ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଫି' ବୃଦ୍ଧିକୁ ନେଇ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଅଶାନ୍ତି

ଅଧ୍ୟକ୍ଷଙ୍କୁ ଘେରିଲେ, ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ବ୍ୟାସନଗର : ମାସିକ ଫି' ବୃଦ୍ଧିକୁ ନେଇ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟରେ ଆଜି ଛାତ୍ର ଅସନ୍ତୋଷ ଦେଖା ଦେଇଛି। ଏହାର ପ୍ରତିବାଦରେ ଶେଷବର୍ଷ ସ୍ନାତକ ଛାତ୍ରଛାତ୍ରୀମାନେ ମିଳିତ ଭାବରେ କଲେଜର ମୁଖ୍ୟ ଫାଟକରେ ତାଲା ପକାଇଦେବା ସହ ଟାୟାର ଜାଳି ପ୍ରତିବାଦ ଜଣାଇଥିଲେ। କାର୍ଯ୍ୟାଳୟ ଓ ମୁଖ୍ୟ ଫାଟକ ସାମ୍‌ନାରେଏକାଠି ହୋଇ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଶିଚରଣ ମାଝୀଙ୍କୁ ୪ ଦଫା ସମ୍ବଳିତ ଏକ ଦାବିପତ୍ର ଦେଇଥିଲେ। ଏହାପରେ ଅଧ୍ୟକ୍ଷ ଦିନ ପ୍ରାୟ ୧୧ଟା ବେଳକୁ ଛାତ୍ର ପ୍ରତିନିଧିଙ୍କୁ ଆଲୋଚନା ପାଇଁ ଡାକିଥିଲେ। ଏଥିରେ ଅଧ୍ୟକ୍ଷଙ୍କ ସମେତ କେତେକ ଅଧ୍ୟାପକ ଓ ୧୫ ଜଣିଆ ଛାତ୍ର ପ୍ରତିନିଧିଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ବର୍ଦ୍ଧିତ ପି' ପ୍ରତ୍ୟାହାର କରିବାକୁ କଲେଜ କର୍ତ୍ତୃପକ୍ଷ ରାଜି ନହେବାରୁ ଆଲୋଚନା ବିଫଳ ହୋଇଥିଲା। ଛାତ୍ରଛାତ୍ରୀମାନେ ସେଠାରୁ ବାହାରି ପୁଣି ଫାଟକ ବାହାରେ ହୋହଲ୍ଲା କରିଥିଲେ। ଦେୟ ହ୍ରାସ ଘୋଷଣା ନହେବା ପର୍ଯ୍ୟନ୍ତ ତାଲା ଫଟିବନି ବୋଲି ଚେତାବନୀ ଦେଇଥିଲେ।

ଖବର ପାଇ ବ୍ୟାସନଗର ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଳିକ, ରାଜସ୍ବ ନିରୀକ୍ଷକ କାଟେ ପୂର୍ତ୍ତି, ଯାଜପୁରରୋଡ଼୍‌ ଥାନା ଏସ୍‌ଆଇ ରାଜେଶ ସେଠୀ, ଏଏସଆଇ ଶାନ୍ତିଲତା ମଲିକ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ଅଧ୍ୟକ୍ଷ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଦ୍ବିତୀୟବାର ଆଲୋଚନା କରିଥିଲେ। ଏଥିରେ ସରକାରୀ ମାର୍ଗଦର୍ଶିକା ଓ ତଥ୍ୟ ଉପରେ ସୂଚନା ଦିଆଯାଇଥିଲା। ଛାତ୍ରଛାତ୍ରୀମାନେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ଦାବି କରିଥିଲେ। ଦୀର୍ଘ ସମୟ ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ। ଆଲୋଚନାରେ ପିଇବା ପାଣି ସମସ୍ୟା, ଶୌଚାଳୟ, ବଏଜ ଆଣ୍ତ ଲେଡିଜ କମନରୁମ୍, ଷ୍ଟଡି ସେଣ୍ଟର ଉପରେ ଥିବା ଦାବିକୁ ଅଧ୍ୟକ୍ଷ ବିଚାର କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe