ବାଲେଶ୍ବର : ବାଲେଶ୍ବର ଓ ଭଦ୍ରକରେ ଥିବା ୨ ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପ୍ରଥମବର୍ଷ ପରୀକ୍ଷା ଅଫ୍ଲାଇନରେ କରିବା ନେଇ ଫକୀରମୋହନ ବିଶ୍ବବିଦ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ଛାତ୍ରଛାତ୍ରୀମାନଙ୍କ ତରଫରୁ ବିରୋଧ କରାଯାଇଛି। କୋଭିଡ୍ ଦୃଷ୍ଟିରୁ ସମସ୍ତ ବିଶ୍ୱବିଦ୍ୟାଳୟ ଅନଲାଇନ୍ ମାଧ୍ୟମରେ ପରୀକ୍ଷା କରୁଥିବାବେଳେ ଏଫ୍ଏମ୍ୟୁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି କାହିଁକି ନେଇଛନ୍ତି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଏନେଇ ବାରମ୍ବାର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣା ଯାଇସାରିଥିବା ବେଳେ ପୁନଶ୍ଚ ଲିଖିତ ଭାବେ ଏହି ନିଷ୍ପତ୍ତିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ଓ ସଦର ବିଧାୟକ ସ୍ବରୁପ ଦାସଙ୍କୁ ଭେଟିଥିଲେ। ବିସିଜେଡି ଜିଲ୍ଲା ସଭାପତି ସିମନ ଦାସମହାପାତ୍ର ଓ ଛାତ୍ରନେତା ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସମସ୍ୟାର ସମାଧାନ ନିମନ୍ତେ ଶ୍ରୀ ଜେନା ଏବଂ ଶ୍ରୀ ଦାସ ବିଶ୍ବବିଦ୍ୟାଳୟର ବିଭାଗୀୟ ଅଧିକାରୀଙ୍କୁ ଫୋନ କରି ଆଲୋଚନା କରିଛନ୍ତି। ତେବେ ସୋମବାର ସୁଦ୍ଧା ଯଦି ଦାବି ପୂରଣ ନହୁଏ ତାହେଲେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
Follow Us