ଚମକୁଛି ସ୍କୁଲ, ସାଇକେଲ ଷ୍ଟାଣ୍ଡରେ ଚାଲିଛି ପାଠପଢ଼ା

Advertisment
ଚମକୁଛି ସ୍କୁଲ, ସାଇକେଲ ଷ୍ଟାଣ୍ଡରେ ଚାଲିଛି ପାଠପଢ଼ା

ଦେଓଗାଁ: ଶିକ୍ଷାଦାନ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ହାଇସ୍କୁଲଗୁଡ଼ିକୁ ୫-ଟିରେ ରୂପାନ୍ତରିତ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଚକାଚକ ଦିଶୁଛି ସ୍କୁଲ। ସ୍କୁଲ ଭିତରେ ଡିଜିଟାଲ ସ୍ମାର୍ଟକ୍ଲାସ୍‌ ଚାଲିଥିବା ବେଳେ ବାହାରେ ସାଇକେଲ ଷ୍ଟାଣ୍ଡରେ ଚାଲିଛି ପାଠପଢ଼ା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ କୁରୁଆଝରସ୍ଥିତ ଶ୍ରୀରାମଚନ୍ଦ୍ର ହାଇସ୍କୁଲରେ। ଏହି ସ୍କୁଲକୁ ୫-ଟି ଯୋଜନାରେ ସାମିଲ କରି ସରକାର ୪୫ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି। ଏହି ଟଙ୍କାରେ କେବଳ ସ୍କୁଲରେ ଇ-ଲାଇବ୍ରେରି, ବିଜ୍ଞାନାଗାର, ସ୍ମାର୍ଟ କ୍ଲାସରୁମ ସହ ସୌନ୍ଦର୍ଯ୍ୟକରଣ କାମ ହୋଇଛି। ତାହା ପୁଣି ଅଧାପନ୍ତରିଆ ଭାବେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି।

ହେଲେ ୫-ଟି ଯୋଜନାରେ ସ୍କୁଲ ସାମିଲ ହେବା ପରେ ପାଠପଢ଼ାରେ ଘୋର ବ୍ୟାଘାତ ଦେଖାଦେଇଛି। ଦୁଇଟି କୋଠରିକୁ ଲାଇବ୍ରେରି ଓ ବିଜ୍ଞାନାଗାର କରିବା ଯୋଗୁ ସାଇକଲ ଷ୍ଟାଣ୍ଡରେ ପାଠ ପଢ଼ୁଛନ୍ତି ୬ଷ୍ଠରୁ ୮ମ ଶ୍ରେଣୀର ୭୯ ଜଣ ଛାତ୍ରଛାତ୍ରୀ। ବର୍ଷା ହେଲେ ଏମାନଙ୍କୁ ସ୍ମାର୍ଟ କ୍ଲାସରୁମର ବାରଣ୍ଡାକୁ ନିଆଯାଉଛି। ଏହି ସ୍କୁଲରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୬୦ ଜଣ ପିଲା ଅଛନ୍ତି। ୩ଟି କୋଠରିରେ ୧ମରୁ ୫ମ ଯାଏ ୭୧ଜଣ ଛାତ୍ରଛାତ୍ରୀ ବସୁଛନ୍ତି। ଏପରିକି ସ୍କୁଲର ରୋଷେଇ ଘର ଓ ଅଫିସ ଘରର ଗୋଟିଏ କୋଣରେ ବି ପିଲାଙ୍କୁ ପାଠ ପଢ଼ାଉଛନ୍ତି ଶିକ୍ଷକ। ନବମ ଓ ଦଶମ ଶ୍ରେଣୀର ୧୩୩ ଜଣ ଛାତ୍ରଛାତ୍ରୀ ଖୁନ୍ଦାଖୁନ୍ଦି ହୋଇ ଡିଜିଟାଲ କ୍ଲାସରୁମ୍‌ରେ ପାଠ ପଢ଼ୁଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

publive-image

ପ୍ରଥମେ ଶିକ୍ଷକ ସହ ଶିକ୍ଷାଦାନ କକ୍ଷ ଦେଇ ପରେ ସୌନ୍ଦର୍ଯ୍ୟୀକରଣ ହେଉ ବୋଲି ପୂର୍ବତନ ଛାତ୍ରମାନେ  ଦାବି କରିଛନ୍ତି। ଏନେଇ ପ୍ରଧାନ ଶିକ୍ଷକ ଲୋକେଶ୍ୱର ପଧାନଙ୍କୁ ପଚାରିବାରୁ ସେ କହିଥିଲେ, ମୋଟ ୨୯୩ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଶ୍ରେଣୀ‌ କୋଠରି ଅଭାବ ଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଫଳରେ ଗତ ୩-୪ ବର୍ଷ ହେଲା ସାଇକଲ ଷ୍ଟାଣ୍ଡରେ ପାଠାପଢ଼ା ହେଉଛି। ଏ ସଂପର୍କର ବ୍ଲକ୍‌ ପ୍ରଶାସନ ଓ ଶିକ୍ଷା ବିଭାଗକୁ ଅବଗତ କରାଯାଇଛି ବୋଲି ସେ କହିଥିଲେ। ଶୀଘ୍ର ନୂଆ ସ୍କୁଲ କୋଠା ନିର୍ମାଣ ପାଇଁ ଅନୁଦାନ ନଦେଲେ ଆନ୍ଦୋଳନ କରାଯିବ ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ପ୍ରଦୀପ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe