ବାଘଲଟି ଆରପାରି ୫ଖଣ୍ତ ଗାଁକୁ ଥଇଥାନ ଚିନ୍ତା: ଆଦିବାସୀଙ୍କ ସହ ଉପଜିଲ୍ଲାପାଳଙ୍କ ଆଲୋଚନା  

Advertisment

ପ୍ରଶାସନର ଅଣଦେଖା ଅଭିଯୋଗ ଆଣିଲେ, ନଭେମ୍ବରରୁ ଉନ୍ନୟନ କାମ ଆରମ୍ଭ ପ୍ରତିଶ୍ରୁତି

ପ୍ରଶାସନର ଅଣଦେଖା ଅଭିଯୋଗ ଆଣିଲେ, ନଭେମ୍ବରରୁ ଉନ୍ନୟନ କାମ ଆରମ୍ଭ ପ୍ରତିଶ୍ରୁତି

ବାଘଲଟି ଆରପାରି ୫ଖଣ୍ତ ଗାଁକୁ ଥଇଥାନ ଚିନ୍ତା: ଆଦିବାସୀଙ୍କ ସହ ଉପଜିଲ୍ଲାପାଳଙ୍କ ଆଲୋଚନା  

Photo: downtoearth

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବାଘଲଟି ଜଳଭଣ୍ଡାର ଆରପାରିରେ ଥିବା ୫ ଖଣ୍ଡ ଗାଁର ଆଦିବାସୀଙ୍କୁ ଥଇଥାନ୍ କରିବା ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏମର୍ମରେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାସନ୍ ଭି. ଆଜି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଉକ୍ତ ୫ ଗ୍ରାମର ଆଦିବାସୀଙ୍କ ସହ ଆଲୋଚନା କରିଥିଲେ। ବାଘଲଟି ଜଳଭଣ୍ତାର ନିର୍ମାଣ ପରେ ବଣିଆବସାକୁ ମିଶାଇ ସାତ ଖଣ୍ତ ଗ୍ରାମକୁ ବୁଡ଼ି ଅଞ୍ଚଳରେ ସାମିଲ୍ କରାଯାଇଥିଲା। ଛଅ ଖଣ୍ତ ଗାଁକୁ ଥଇଥାନ କରାଯାଇଥିଲା। ହେଲେ ବଣିଆବସାକୁ ଥଇଥାନ ପ୍ରାଇଁ ପ୍ରକିୟା ଆରମ୍ଭ ହୋଇସାରିଥିବା ବେଳ‌େ ଅନ୍ୟ ୫ଟି ଗ୍ରାମ ବେହେରାପୁଟୁ, ଏଲଗଲ, ମାଡ଼ୁଆଗୁମ୍ମା, ଝରବାଡ଼ ଓ ଶିରିଶିଗଣ୍ତ ତିତଲି ବାତ୍ୟା ପରେ ନାହିଁ ନଥିବା ଅସୁବିଧା ଦେଇ ଗତି କରୁଛନ୍ତି। ସେମାନଙ୍କ ଜୀବନଜୀବିକା ଦୁର୍ବିଷହ ପାଲଟିଯାଇଛି। ପୂର୍ବରୁ ଉପଜିଲ୍ଲାପାଳ ଗାଁକୁ ଯାଇ ବୈଠକ କରି ଥଇଥାନ୍ ଲାଗି ପ୍ରତିଶ୍ରୁତି ଦେଇଥିଲେ।

ବର୍ତ୍ତମାନ ତିତ୍‌ଲିକୁ ଦୁଇବର୍ଷ ବିତିସାରିଥିଲେ ହେଁ, ପ୍ରଶାସନ ପକ୍ଷରୁ ସେମାନଙ୍କ ସ୍ବାର୍ଥରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିବା ଆଦିବାସୀ ମାନେ ବୈଠକରେ ଅଭିଯୋଗ କରିଥିଲେ। ଏହାମଧ୍ୟରେ ସେମାନେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଗ୍ରାମକୁ ରାସ୍ତା ପାଇଁ ଅନୁଦାନ ଆସିଥିଲା, ହେଲେ ଠିକାଦାର ଅଧାରୁ କାମ ବନ୍ଦ କରି ଫେରିଗଲେ। ସେହିଭଳି ରାସ୍ତା ନିର୍ମାଣ ପାଇଁ କିଛି ବର୍ଷ ତଳେ ବାଘଲଟି ପ୍ରକଳ୍ପର ଦୁଇ ଅଧିକାରୀଙ୍କୁ ବନ୍ଦୀ କରି ରଖାଯାଇଥିଲା। ତଥାପି ଏଯାଏ ରାସ୍ତା ନିର୍ମାଣ ହୋଇପାରିନି। ଅଧିକାଂଶ ଆଦିବାସୀ ଏଯାଏ ତିତଲିରେ ଘର ଭଙ୍ଗା କ୍ଷତିପୂରଣ ପାଇପାରିନାହାନ୍ତି ବୋଲି ବୈଠକରେ ଅଭିଯୋଗ ହୋଇଥିଲା।

ଅନ୍ୟପକ୍ଷରେ ଉପଜିଲ୍ଲାପାଳ ଥଇଥାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ପ୍ରତିଶ୍ରୁତି ଦେବା ସହ ନିଜେ ସମସ୍ତ ଅଞ୍ଚଳ ପରିଦର୍ଶନ କରିବେ ବୋଲି କହିଥିଲେ। ସେହିଭଳି ଆସନ୍ତା ନଭେମ୍ବର ମାସରେ ବ୍ଲକ୍ ତରଫରୁ ରାସ୍ତା, ପାଣି ଦାଉରୁ ବର୍ତ୍ତିବା ଲାଗି ଗାର୍ଡ଼ୱାଲ୍‌ ଆଦି ଉନ୍ନତିମୂଳକ ହାତକୁ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ବୈଠକରେ ଆଦିବାସୀ ଗ୍ରାମର ନରସିଂହ କାର୍ଯୀ, ବୃନ୍ଦାବନ କାର୍ଯୀ, ଲିମା କାର୍ଯୀ, ଦଣ୍ତପାଣି ବେହେରା, ଅଭିମନ୍ୟୁ ବେହେରା, ଧନୁ ବେହେରା, ସମ୍ପି ନାୟକ ଓ କୈଳାସ ବିଷୋୟୀ ପ୍ରମୁଖ ଆଲୋଚନା କରିଥିଲେ। ତହସିଲଦାର ଅମିତ୍ କୁମାର ନାୟକ ଓ ବିଡ଼ିଓ ପ୍ରକାଶ ଦାସଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe