ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲି ଥାନା ଚେରୁପାଲି ବସଷ୍ଟାଣ୍ଡଠାରେ ରବିବାର ରାତି ୮ଟାରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ସାଲେଭଟା ଗାଁର ସରୋଜ ସୁନା(୪୦) ଏକ ବାଇକ୍ରେ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ବଲାଙ୍ଗୀର ପଟରୁ ଗୋଟିଏ ବାଇକ୍ରେ କୁଷାମାଲ ଆସୁଥିବା ଦୁଇଭାଇ ସୁଜିତ ଘିବେଲା (୩୦) ଓ ଅଜିତ ଘିବେଲା(୨୬)ଙ୍କ ସହ ସରୋଜଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା।
ଦୁର୍ଘଟଣା ପରେ ଗୁରୁତର ୩ ଜଣଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା। ସରୋଜଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୁଜିତ ଓ ଅଜିତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ପଠାଯାଇଛି। ଡୁଙ୍ଗୁରିପାଲି ଆଇଆଇସି ରୋଜାଲିନ ପଟେଲଙ୍କ ସହ ଏସ୍ଆଇ ପ୍ରେମରାଜ ସାହୁ ଓ ଏସ୍ଆଇ ଏକାମ୍ର ନାହାକ ଘଟଣାସ୍ଥଳରୁ ବାଇକ ଜବତ କରି ତଦନ୍ତ କରୁଛନ୍ତି। ମୃତ ସରୋଜଙ୍କ ପରିବାର ଓ ସାଥୀ ଡାକ୍ତରଖାନାକୁ ଆସିଥିବା ବେଳେ ସୋମବାର ଶବ ବ୍ୟବଚ୍ଛେଦ ପାଇଁ ବିନିକା ପଠାଯିବ ବୋଲି ପୁଲିସଠାରୁ ପ୍ରକାଶ।
Follow Us