ଶିକ୍ଷକ ବଦଳିକୁ ନେଇ ତେଲିପାଲି ୟୁପି ସ୍କୁଲରେ ତାଲା

ଶିକ୍ଷକ ବଦଳିକୁ ନେଇ ତେଲିପାଲି ୟୁପି ସ୍କୁଲରେ ତାଲା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ର ତେଲିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ବଦଳିକୁ ନେଇ ସ୍କୁଲ ଫାଟକରେ ତାଲା ମାରି ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ସୁଚନାମତେ ଉକ୍ତ ସ୍କୁଲର ସହକାରୀ ଶିକ୍ଷକ ସୁଶାନ୍ତ ମିଶ୍ରଙ୍କୁ ଲୁତୁରପଙ୍କ କ୍ଳଷ୍ଟରର କେଶଲଗା ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଛି। ତେବେ ଉକ୍ତ ଶିକ୍ଷକଙ୍କୁ ତୁରନ୍ତ ବଦଳି ପ୍ରତ୍ୟାହାର କରି ପୁନର୍ବାର ତେଲିପାଲି ସ୍କୁଲରେ ନିଯୁକ୍ତି ଦେବାକୁ ଦାବି କରିଛନ୍ତି।
ଏହି ସ୍କୁଲରେ ଆଠଟି ଶ୍ରେଣୀ ପାଇଁ ପ୍ରାୟ ୮୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏମାନଙ୍କୁ ପଢ଼ାଇବା ପାଇଁ ୫ ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକ ଥିଲେ। ଉକ୍ତ ସ୍କୁଲର ସଂପୃକ୍ତ ଶିକ୍ଷକଙ୍କ ବଦଳିକୁ ଛାତ୍ରଛାତ୍ରୀ ଓ ଅଭିଭାବକ ସହଜରେ ଗ୍ରହଣ କରି ନ ଥିଲେ। ତାଙ୍କୁ ପୁନର୍ବାର ସ୍କୁଲକୁ ଫେରାଇ ଆଣିବାକୁ ଦାବି କରିଛନ୍ତି। ବଦଳି ପ୍ରତିବାଦ କରି ବୁଧବାର ସକାଳ ୧୦ ଘଣ୍ଟା ସମୟରେ ସ୍କୁଲ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଛାତ୍ରୀଛାତ୍ରଙ୍କ ସହିତ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମଧ୍ୟ ପ୍ରତିବାଦରେ ସାମିଲ ହୋଇଛନ୍ତି। ସ୍କୁଲ ଆଗରେ ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ମଧ୍ୟ ରହିଥିଲେ। ଏପରିକି ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଥିଲା।

ଏନେଇ ଖବର ପାଇଁ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଶିକ୍ଷା ଅଧିକାରୀ ବାଞ୍ଛାନିଧି ମିଶ୍ର ଓ ଚକାବର କ୍ଲଷ୍ଟରର ସିଆରସିସି ଉମାଶଙ୍କର ପୂଝାରୀ ସ୍କୁଲକୁ ଯାଇ ଛାତ୍ରଛାତ୍ରୀ ,ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟଙ୍କ ସହିତ ଆଲୋଚନା କରି କିଛି ଦିନ ମଧ୍ୟରେ ଜଣେ ନୂତନ ଶିକ୍ଷକଙ୍କୁ ନିଯୁକ୍ତି କରାଯିବ ବୋଲି ପ୍ରକାଶ କରିଥିଲେ। ମାତ୍ର ଏଥିରେ କେହି ରାଜି ହୋଇ ନ ଥିଲେ। ତେବେ ଆଲୋଚନା ବିଫଳ ହୋଇଥିବା ଜଣା ପଡ଼ିଛି। ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଘିବିଲାଙ୍କୁ ପଚାରିବାରୁ ଶିକ୍ଷକ ବଦଳି ପ୍ରତିବାଦରେ ତାଲା ପଡ଼ିଥିବା ପ୍ରକାଶ କରିଛନ୍ତି। ଏନେଇ ବୀରମହାରାଜପୁର ବିଇଓ ଶାନ୍ତନୁ କୁମ୍ଭକାରଙ୍କୁ ପଚରିବାରୁ ନିୟମ ହିସାବରେ ଶିକ୍ଷକଙ୍କ ବଦଳି ହୋଇଛି। ତେବେ ନୂତନ ଶିକ୍ଷକ ନିଯୁକ୍ତି ହେଲେ ଏଠାରେ ଜଣେ ଶିକ୍ଷକଙ୍କୁ ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ଛାତ୍ରଛାତ୍ରୀ ଓ ଅଭିଭାବକ ଏଥିରେ ରାଜି ହୋଇ ନ ଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe