ଫାଇଲେରିଆ ବଟିକା ଖାଇ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

ଫାଇଲେରିଆ ବଟିକା ଖାଇ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଦୁବଲା ଗ୍ରାମରେ ଫାଇଲେରିଆ ବଟିକା ଖାଇ ଜନୈକ ବୃଦ୍ଧ ଜଗବନ୍ଧୁ ନାଗ(୬୩)ଙ୍କ ମୃତ୍ୟୁ ହୋଇଥିବା ଅଭ‌ିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ, ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଜଗବନ୍ଧୁ ନାଗ ଗତ ୧୬ ତାରିଖ ବୁଧବାର ଦିନ ଫାଇଲେରିଆ ବଟିକା ଖାଇଥିଲେ। ଏହାପରଠୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଗତକାଲି ଗୁରୁବାର ତାଙ୍କୁ ତରଭା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହାପରେ ଗ୍ରାମବାସୀ ଡାକ୍ତରଖାନାରେ ହୋହଲ୍ଲା କରିବାରୁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଡାକ୍ତରଖାନା କର୍ତ୍ତୃପକ୍ଷ ଫା​ଇଲେରିଆ ବଟିକା ଖାଇ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଥିଲେ। ପୁଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଦୁବଲା ସରପଞ୍ଚ ଆର୍ତ୍ତତ୍ରାଣ ବଗର୍ତ୍ତୀ ଓ ସମିତିସଭ୍ୟ ସୁବାସ ସୁନାଙ୍କ ସହିତ ପୁଲିସ ଡାକ୍ତରଖାନାରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ହୋଇଥିଲା। ମୃତ ଜଗବନ୍ଧୁଙ୍କ ପୁଅ ଦାରାସିଂ ନାଗ ତାଙ୍କ ବାପା ଫାଇଲେରିଆ ବଟିକା ଖାଇବାରୁ ମୃତ୍ୟୁ ଘଟିଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ତରଭା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଏ ସମ୍ପର୍କରେ ମେଡିକାଲ ଅଫିସର କ୍ଷୀରୋଦ୍ର ମିଶ୍ରଙ୍କୁ ପଚାରିବାରୁ ‘ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି। ଆଇଆଇସି ଅନିତା କିଡ଼ୋ ମଧ୍ୟ ସମାନ କଥା କହିଛନ୍ତି। ଏହାର ତଦନ୍ତ ଦାୟିତ୍ୱ କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରାଙ୍କୁ ନ୍ୟସ୍ତ କରାଯାଇଛି। ଦୁବଲା ପଞ୍ଚାୟତ ବଗର୍ତ୍ତିପାଲିର ବିଶ୍ଵାମିତ୍ର ବଗର୍ତ୍ତି ଓ ଘାସିରାମ ବଗର୍ତ୍ତି ମଧ୍ୟ ଫାଇଲେରିଆ ଔଷଧ ଖାଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe