ଅଜଣା ମହିଳାଙ୍କ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍‌:ପ୍ରେମ ଜନିତ ହତ୍ୟାକାଣ୍ଡ, ଅଭିଯୁକ୍ତ ପ୍ରେମିକ ଗିରଫ

Advertisment
ଅଜଣା ମହିଳାଙ୍କ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍‌:ପ୍ରେମ ଜନିତ ହତ୍ୟାକାଣ୍ଡ, ଅଭିଯୁକ୍ତ ପ୍ରେମିକ ଗିରଫ

ବୀରମହାରାଜପୁର: ଗତ ନଭେମ୍ବର ୩୦ ତାରିଖ ଦିନ ବୀରମହାରାଜପୁର ଥାନା କଳାପଥର ପଞ୍ଚାୟତ ପଧାନପାଲି ଗାଁର ନିମୁହି ବନ୍ଧ ନିକଟରୁ ଉଦ୍ଧାର କରାଯାଇଥିବା ଅଜଣା ମହିଳାଙ୍କ ମୃତଦେହ ଘଟଣାର ପର୍ଦ୍ଦାଫାସ୍‌ କରିଛି ପୁଲିସ୍‌। ତଦନ୍ତରେ ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିବା ବେଳେ ପୁଲିସ୍‌ ଅଭିଯୁକ୍ତ ମୁର୍ଷୁଣ୍ଢୀ ଗାଁର ସଂଜୀବ ଭୋଇ (୩୦) ଗିରଫ କରିଛି ବୋଲି ସୁବର୍ଣ୍ଣପୁର ଏସ୍‌ପି ପ୍ରଫୁଲ୍ଲ ପାତ୍ର ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ସୂଚନା ଦେଇଛନ୍ତି।
ଶ୍ରୀ ପାତ୍ରଙ୍କ ସୂଚନାନୁସାରେ ନଭେମ୍ବର ୩୦ ତାରିଖ ଦିନ ଗ୍ରାମବାସୀ ବନ୍ଧ ନିକଟରେ ଶବ ପଡ଼ିଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ତାହା ଜବତ କରିଥିଲେ ହେଁ ସଂପୃକ୍ତ ମହିଳାଙ୍କ ପରିଚୟ ମିଳି ନଥିଲା କି କେହି ଦାବିଦାର ନଥିଲେ। ଫଳରେ ପୁଲିସ୍‌ ଥାନା କେସ୍‌ ନଂ. ୧୧୫/୧୭ରେ ମାମଲା ରୁଜୁ କରି ଘଟଣା ସ୍ଥଳରୁ ମିଳିଥିବା ତିନିଟି ଔଷଧ ଷ୍ଟ୍ରିପ୍‌କୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା। ଅନୁସନ୍ଧାନ ବେଳେ ମହିଳା ଜଣକ ବାଉଁଶୁଣୀ ଥାନା ତମରଗାଡ଼ ଗାଁର ସୁମିତ୍ରା ଗହୀର (୨୯) ଓ ସେ ବୌଦ୍ଧ ଜିଲ୍ଲା ଆମ୍ବଝରୀ ପଞ୍ଚାୟତ ଝାଙ୍କରପଡ଼ାର ଏକାଦଶିଆ ଗହୀରଙ୍କୁ ବିବାହ କରିଥିବା ଜଣାପଡ଼ିଥିଲା। ଆହୁରି ମଧ୍ୟ ଜଣାପଡ଼ିଥିଲା ଯେ ତାଙ୍କର ୪ଟି ପୁଅ ଥିବା ବେଳେ ସ୍ୱାମୀ ରୋଗଗ୍ରସ୍ତ। ତେଣୁ ସୁମିତ୍ରା ବହୁ ସମୟରେ ବାପ ଘର ତମରଗାଡ଼କୁ ପଳାଇ ଯାଆନ୍ତି ଓ ୭/୮ ଦିନ ରହିବା ପରେ ଫେରନ୍ତି।

ଏହି ଯିବା ଆସିବା ଭିତରେ ପ୍ରାୟ ବର୍ଷେ ତଳେ ତାଙ୍କର ଅଭିଯୁକ୍ତ ସଂଜୀବ ଭୋଇ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଶବ ମିଳିବାର ଦିନକ ପୂର୍ବରୁ ଅର୍ଥାତ୍‌ ୨୯ ତାରିଖରେ ସୁମିତ୍ରା ସଂଜୀବକୁ ଫୋନ୍‌ କରି ସୋନପୁର ଡକାଇବା ସହ ସେଠାରେ ବିବାହ କରିବାକୁ ଜିଦ୍‌ ଧରିଥିଲା। ଫଳରେ ସଂଜୀବ ତାଙ୍କୁ ରାସ୍ତାରୁ ହଟାଇବା ଯୋଜନା କରି ସେଠାରୁ ଏକ ଛୁରି କିଣି ଲୁଚାଇ ରଖିଥିଲା। ସେଠାରେ ସେମାନେ ପଧାନପାଲି ଗାଁ ନିମୁହି ବନ୍ଧ ନିକଟରେ ୩୦ ତାରିଖ ବଡ଼ି ଭୋର୍‌ରୁ ପହଞ୍ଚିବା ପରେ ସଂଜୀବ ପୂର୍ବ ଯୋଜନା ମୁତାବକ ସୁମିତ୍ରାଙ୍କ ଗଳାକୁ ଗାମୁଛାରେ ଚିପି ବେହୋସ୍‌ କରିବା ସହ ଛୁରିରେ ଗଳା କାଟି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବୀରମହାରାଜପୁର ଥାନା ଆଇଆଇସି କୁଶ ପାଣିଗ୍ରାହୀ ଘଟଣାର ତଦନ୍ତ କରି ମଙ୍ଗଳବାର ସଂଜୀବକୁ ମୁର୍ଷୁଣ୍ଢୀ ଗାଁରୁ ଗିରଫ କରିବା ସହ ତା’ ନିକଟରୁ ମୋବାଇଲ୍‌, ସିମ୍‌ କାର୍ଡ, ହତ୍ୟାକାଣ୍ଡରେ ବ୍ୟବହୃତ ସାଇକଲ ଓ ଅଭିଯୁକ୍ତର ଫୋନ୍‌ ଜବତ କରିଥିଲେ। ଡାକ୍ତରୀ ପରୀକ୍ଷା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏସ୍‌ପିଙ୍କ ସହ ଏସ୍‌ଡିପିଓ ଶ୍ରୀ ଧୀରଜ ଚୋପଦାର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe