ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କର ମୃତ୍ୟୁ: କ୍ଷତିପୂରଣ ଦିଆଯିବା ନେଇ ପ୍ରତିଶ୍ରୁତି ମିଳିବା ପରେ ହଟିଲା ରାସ୍ତାରୋକ

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କର ମୃତ୍ୟୁ: କ୍ଷତିପୂରଣ ଦିଆଯିବା ନେଇ ପ୍ରତିଶ୍ରୁତି ମିଳିବା ପରେ ହଟିଲା ରାସ୍ତାରୋକ

ବିନିକା: ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ପାତିକାର ପଡ଼ାର ଗୋବିନ୍ଦ ଗୁରୁ। ଗତକାଲି ରାତିରେ ନିକଟସ୍ଥ ଚାଉଳ ମିଲରେ ସିକ୍ୟୁରିଟି ଗାର୍ଡ ଭାବେ କାମସାରି ନିଜଘର ବିନିକା ପାତିକାର ପଡ଼ାକୁ ଫେରୁଥିବା ବେଳେ ପଛରୁ ଗାଡ଼ି ଧକ୍କାରେ ଦେଇ ଥିଲା। ଘଟଣାସ୍ଥଳରୁ ତାଙ୍କୁ ୧୦୮ ଯୋଗେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଗୋବିନ୍ଦ ଗୁରୁଙ୍କୁ ମୃତ ଘୋଷଣା କରିଥିଲେ।
ବିନିକା ଡାକ୍ତରଖାନା ଛକ ଓ କଲେଜ ଛକରେ ପଠା ଓ ପରିବାର ଲୋକେ ସହାୟତା ଦାବି ଓ ଗାଡ଼ି ଚାଳକକୁ ଗିରଫ ଦାବିରେ ରାତିସାରା ରାସ୍ତାରୋକ କରିଥିଲେ।ଖବର ପାଇ ଗତକାଲି ରାତିରେ ପୁଲିସ୍‌ ଅଧିକାରୀଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ପହଞ୍ଚି ଆଲୋଚନା କରିଥିଲେ ବି କିଛି ଫଳପ୍ରଦ ହୋଇ ନ ଥିଲା। ଆଜି ସକାଳେ ଏଡିଏମ ସୁଯ୍ୟ ନାରାୟଣ ଦାଶ,  ଉପଜିଲ୍ଲାପାଳ ନିହାର ରଞ୍ଜନ କହଁର, ଅତିରିକ୍ତ ଏସ୍‌ପି ଜେ ଜେ ପଟେଲ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ, ବିଡିଓ ବ୍ୟାସଦେବ ବେହେରା, ଅତିରିକ୍ତ ତହସିଲଦାର ରୁପକ କୁଜୁର, ଆଇଆଇସି ପବିତ୍ର ସାହୁ , ଅତିରିକ୍ତ ଆଇଆଇସି କୃଷ୍ଣଚନ୍ଦ୍ର ମେହେର ପ୍ରମୁଖ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ ।

ତେବେ ସକାଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଦିଆଯିବା ନେଇ ପ୍ରତିଶ୍ରୁତି ମିଳିବା ପରେ ସକାଳ ୭ଟାରେ ରାସ୍ତାରୋକ ହଟିଥିଲା । ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ନିଜ ହାତରୁ ୧୦ ହଜାର ଟଙ୍କା, ରେଡକ୍ରସ ୧୦ ହଜାର ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରେ ୩ହଜାର ଟଙ୍କା ଦେଇଥିଲେ। ଏହାଛଡ଼ା ଅଜଣା ଗାଡ଼ି ଧକ୍କାରେ ୨ ଲକ୍ଷ ଟଙ୍କା ତଥା ଅନ୍ୟାନ୍ୟ ସହଯୋଗ ଦେବାକୁ ଘୋଷଣା ପରେ ସକାଳ ୭ଘଣ୍ଟା ସମୟରେ ରାସ୍ତାରୋକ ହଟିଥିଲା।

ସୂଚନାଯୋଗ୍ୟ, ପ୍ରାୟ ୧୫ ଦିନ ପୂର୍ବେ ବିବାହ କରିଥିଲେ ଗୋବିନ୍ଦ (୨୮)। ହେଲେ ନବବିବାହିତା ପତ୍ନୀଙ୍କ ହାତରୁ ମେହେନ୍ଦୀ ଲିଭି ନ ଥିବା ବେଳେ ଲିଭିଗଲା ମଥାର ସିନ୍ଦୂର। ଘରର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ସହରରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe