ଉଲୁଣ୍ଡା (କୁଶ ବଘାର): ଅତ୍ୟାଧୁନିକ ଯୁଗରେ ପ୍ରଯୁକ୍ତିବିଦ୍ୟା ବହୁ ଆଗକୁ ଅଗ୍ରଗତି କରିଛି। ଆଧୁନିକ ବ୍ୟବସ୍ଥା ଯୋଗୁଁ ଶିଶୁ ଜନ୍ମ ହେବାର ତାରିଖ ଡାକ୍ତରମାନେ କହିପାରୁଛନ୍ତି। କିନ୍ତୁ ମୃତ୍ୟୁର ତାରିଖକୁ କେହି କହିପାରୁ ନାହାନ୍ତି। ମୃତ୍ୟୁର ସମୟ କେତେବେଳେ ଏବଂ କେଉଁ ପରିସ୍ଥିତିରେ ହେବ, ତାହା କାହାରିକୁ ଜଣା ନଥାଏ। ସୁବର୍ଣ୍ଣପୁରଜିଲ୍ଲା ଉଲୁଣ୍ଡା ଥାନା ଅଧୀନସ୍ଥ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଆନ୍ଦୋଳନ ପାଇଁ ମୁତୟନ ଥିବା ଜଣେ ପୁଲିସ କନେଷ୍ଟବଳଙ୍କ ରାଜରାସ୍ତାରେ ମୃତ୍ୟୁ ଘଟିଛି। ମୃତ ପୁଲିସ କର୍ମଚାରୀ ହେଲେ ସରୋଜ ପ୍ରଧାନ, ଯିଏକି ଆଉ ୪ ବର୍ଷ ପରେ ଅବସର ନେଇଥାନ୍ତେ। 

Advertisment

ଡ୍ୟୁଟିରେ ଥିଲେ ସରୋଜ ପ୍ରଧାନ

ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପକ୍ଷରୁ ଆଜି ଉଲୁଣ୍ଡାରେ ଏକ ଆନ୍ଦୋଳନ କରାଯାଇଥିଲା। ଆଇନ ଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସୋନପୁର-ସମ୍ବଲପୁର ରାସ୍ତାରେ ପୁଲିସ କର୍ମଚାରୀମାନେ ମୁତୟନ ହୋଇଥିଲେ। ଏହି ପୁଲିସ ଟିମ୍‌ରେ ସରୋଜ ପ୍ରଧାନ ମଧ୍ୟ ସାମିଲ ଥିଲେ। ଆନ୍ଦୋଳନକାରୀମାନେ ସରକାର ଏବଂ ପ୍ରଶାସନ ବିରୋଧରେ ଶ୍ଲୋଗାନ ଦେଇ ଆଗକୁ ମାଡ଼ି ଚାଲିଥିବା ବେଳେ ଘଟଣାସ୍ଥଳରେ ସେତେବେଳେ ସରୋଜ ପଧାନ ଭିଡିଓ ରେକର୍ଡ଼ିଂ କରୁଥିଲେl ସେ ହଠାତ ସେହି ସ୍ଥାନରେ ହିଁ ଟଳି ପଡ଼ିଥିଲେ। ସରୋଜଙ୍କୁ ତୁରନ୍ତ ଉଲୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେl  

ଗାଁ ମଶାଣିରେ ହେବ ଅନ୍ତିମ ସଂସ୍କାର

ଶବ ବ୍ୟବଚ୍ଛେଦ ପରେ ସରୋଜଙ୍କ ପାର୍ଥିବ ଶରୀରକୁ ଅପରାହ୍‌ଣରେ ସୋନପୁର ରିଜର୍ଭ ପୁଲିସକୁ ନିଆଯାଇଥିଲା। ସେଠାରେ ସରୋଜଙ୍କୁ ପୁଲିସ କର୍ମଚାରୀମାନେ ଶ୍ରଦ୍ଧାଞ୍ଜଳି ଦେବା ସହିତ ଶୋକ ପ୍ରକାଶ କରିଥିଲେ। ଜଣେ ବରିଷ୍ଠ ପୁଲିସ କର୍ମଚାରୀ ଏବଂ ଆଦର୍ଶ ବ୍ୟକ୍ତି ଥିବାରୁ ଅନ୍ୟ କର୍ମଚାରୀଙ୍କ ଆଖିରୁ ଲୁହ ବାହାରି ପଡୁଥିଲା। ରିପୋର୍ଟ ଲେଖାଯିବା ବେଳକୁ ଶ୍ରଦ୍ଧାଞ୍ଜଳି ପରେ ସରୋଜଙ୍କ ମରଶରୀର ତାଙ୍କର ପୈତୃକ ଗାଁ ଅଭିମୁଖେ ବାହାରିଛି। ଆଜି ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: Nuapada Election: କେବଳ ପ୍ରଚାରରେ ବିକାଶ ହେବ ନାହିଁ: ନବୀନ

କିଛି ମାସ ପୂର୍ବରୁ ସୋନପୁର ବଦଳି

ସୂଚନାଯୋଗ୍ୟ, ସରୋଜ ପ୍ରଧାନ (୫୬) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ତା ଥାନା ଅଧୀନ ମହୁଲପାଲି ଗ୍ରାମରେ ଜନ୍ମ ହୋଇଥିଲେ। ଅବିଭକ୍ତ ବଲାଙ୍ଗୀର ଜିଲ୍ଲା ପୁଲିସ ସେବାରେ ସେ ଯୋଗଦେଇଥିଲେ। ସେ ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ କନେଷ୍ଟବଳ ଭାବେ ଗତ ଜୁନ୍‌ ମାସରେ ବଦଳି ହୋଇ ଆସିଥିଲେ। ଏହା ପୂର୍ବରୁ ସେ ବିନିକା ଥାନାରେ ରାଇଟର ଭାବେ କାର୍ଯ୍ୟ କରୁଥିଲେ। ବିନିକା ଥାନାରେ ଯେଗ ଦେବା ପୂର୍ବରୁ ବୀରମହାରାଜପୁର ଆଦର୍ଶ ଥାନାରେ ମଧ୍ୟ ସେ କାମ କରିଥିଲେ। ତାଙ୍କର ଏକ ପୁଅ ଓ ଏକ ଝିଅ ଅଛନ୍ତି। ଉଭୟ ଭାଇ ଭାଇ-ଭଉଣୀ ପାଠ ପଢୁଛନ୍ତି। ତାଙ୍କର ପରଲୋକରେ ପରିବାର ଅସହାୟ ଅନୁଭବ କରୁଛନ୍ତି। ଜିଲ୍ଲା ପୁଲିସ ମହଲ ଏବଂ ମହୁଲପାଲି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। 

ଆହୁରି ପଢ଼ନ୍ତୁ: Nitin Gadkari In Bhubaneswar: ବିଶ୍ବସ୍ତରୀୟ ଭିତ୍ତିଭୂମି ଆମର ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ